ବ୍ରହ୍ମପୁର, ୦୩/୦୬: ଏମ୍‌କେସିଜି  ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି  ରାଗିଂ ଅଭିଯୋଗ । ଏମ୍‌ବିବିଏସ୍‌ ୪ର୍ଥ  ବର୍ଷ ଛାତ୍ରଙ୍କୁ ଦୁଇ ଜଣ ହାଉସ ସର୍ଜନ୍‌  (ଏଚ୍‌ଏସ୍‌) ରାଗିଂ କରିଥିବା ଅଭିଯୋଗ  ହୋଇଛି । ଏହାକୁ ନେଇ ଦୁଇ ଏଚ୍‌ଏସ୍‌ଙ୍କୁ  ୨୫ ହଜାର ଲେଖାଏଁ ଜରିମାନା ଦେବାକୁ  ଚିଠି କରାଯାଇଥିବା କହିଛନ୍ତି ଡିନ୍‌  ପ୍ରଫେସର ଡା. ସୁଚିତ୍ରା ଦାଶ ।

ସେ  କହିଛନ୍ତି, ଚତୁର୍ଥ ବର୍ଷ ଛାତ୍ର କାହିଁକି  ନମସ୍କାର କରୁନାହାନ୍ତି ଏବଂ କାହିଁକି  ସମ୍ମାନ ଦେଉନାହାନ୍ତି ବୋଲି ଦୁଇ ଜଣ  ଏଚ୍‌ଏସ୍‌ ତାଙ୍କୁ ପଚାରିଥିଲେ । ଏ ନେଇ  ପାଟିତୁଣ୍ଡ ହୋଇଥିଲା । ଯଦିଓ ପରବର୍ତ୍ତୀ  ସମୟରେ ସେମାନଙ୍କ ବୁଝାମଣା  ହୋଇଥିଲା କିନ୍ତୁ ଗତ ୧୩ ତାରିଖରେ  ଆଣ୍ଟି ରାଗିଂ ସେଲ୍‌ ଦିଲ୍ଲୀରୁ ଏକ ଚିଠି  ଆସିଥିଲା । ସେଥିରେ ଏହି ଅଭିଯୋଗ  ସମ୍ପର୍କରେ ଲେଖାଥିଲା । ସୋମବାର  ଡିନ୍‌ଙ୍କ ଅଧ୍ୟକ୍ଷତାରେ ଏମ୍‌କେସିଜି ଆଣ୍ଟି  ରାଗିଂ ସେଲ୍‌ ବୈଠକ ହୋଇଥିଲା ।  

ଅଭିଯୋଗକାରୀ ଛାତ୍ରଙ୍କୁ ଡାକି ଘଟଣା  ସମ୍ପର୍କରେ ପୁଣି ପଚରା ଯାଇଥିଲା ।  ସେ ଆଣ୍ଟି ରାଗିଂ ସେଲ୍‌ରେ କୌଣସି  ଅଭିଯୋଗ କରିନଥିବା କହିଥିଲେ ।  ଯେହେତୁ ସେହି ଘଟଣାକୁ ନେଇ ଆଣ୍ଟି  ରାଗିଂ ସେଲ୍‌ରୁ ଚିଠି ଆସିଥିଲା, ତେଣୁ  ତଦନ୍ତ କରି ସମ୍ପୃକ୍ତ ଦୁଇ ଏଚ୍‌ଏସ୍‌ଙ୍କୁ  ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଆଇନ ଅନୁସାରେ ସେମାନଙ୍କ ଉପରେ  ଯାହା କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ  ରହିଛି ତାହା ନିଆଯିବ । ଏଥିସହ ସମ୍ପୃକ୍ତ  ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦେଖିବାକୁ  ପୁଲିସକୁ ଅନୁରୋଧ କରାଯାଇଛି । ଯେଉଁ  ଦୁଇ ଜଣ ଏଚ୍‌ଏସ୍‌ଙ୍କ ବିରୋଧରେ ରାଗିଂ  ଅଭିଯୋଗ ଆସିଛି ସେମାନେ ବି ଦୋଷ  ସ୍ୱୀକାର କରିଛନ୍ତି । ଭବିଷ୍ୟତରେ ଏଭଳି  ନ କରିବାକୁ ଲିଖିତ ଭାବେ ଜଣାଇଛନ୍ତି । 

ସୂଚନାଯୋଗ୍ୟ ଯେ, ଦେଶର ସରକାରୀ  ମେଡିକାଲ କଲେଜରେ ରାଗିଂରେ ୧  ନମ୍ବରରେ ରହିଛି ଏମ୍‌କେସିଜି ମେଡିକାଲ  କଲେଜ । ଗତ ୩ ବର୍ଷ ମଧ୍ୟରେ  ଏମ୍‌କେସିଜିରୁ ସର୍ବାଧିକ ୨୫ଟି ରାଗିଂ  ଅଭିଯୋଗ ହୋଇଛି । ଏହାର ସମାଧାନ  ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଡିନ୍‌ଙ୍କୁ ପଚରାଯିବାରେ ସେ  କହିଛନ୍ତି, କିଛି ମିଛ ଅଭିଯୋଗ ମଧ୍ୟ  ହେଉଛି । ତଦନ୍ତ ସମୟରେ କେହି  ଅଭିଯୋଗକାରୀ ଆସୁନାହାନ୍ତି । କଲେଜ  ପକ୍ଷରୁ ରାଗିଂକୁ ନେଇ ସଚେତନ  କରାଯାଉଛି ଏବଂ ରାଗିଂର ପ୍ରମାଣ  ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।