ନୂଆଦିଲ୍ଲୀ; ୭/୧ : ବନ୍ଧୁ ନେତାନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଫୋନଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ନିଜର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ମୋର ବନ୍ଧୁ ନେତାନ୍ୟାହୁଙ୍କ ସହ କଥା ହେବା ଏକ ଆନ୍ଦର ବିଷୟ । ମୁଁ ତାଙ୍କୁ ଏବଂ ଇସ୍ରାଏଲ ଲୋକଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଉଛି । ଆଗାମୀ ବର୍ଷରେ ଭାରତ-ଇସ୍ରାଏଲ ରଣନୈତିକ ସଦଭାବନାକୁ ଆହୁରି ମଜବୁତ କରିବା ପାଇଁ ଆମେ ଆଲୋଚନା କରିଥିଲୁ । ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିବା ସମ୍ପର୍କରେ ମଧ୍ୟ ଆଲୋଚନା କଲୁ ।
ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ
ଗତ ବର୍ଷ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରିଥିଲେ। ଦୁଇ ନେତା ସେମାନଙ୍କର ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ, ଉଭୟ ନେତା ଆତଙ୍କବାଦ ବିରୁଦ୍ଧରେ ସେମାନଙ୍କର ଶୂନ୍ୟ-ସହନଶୀଳତା ନୀତିକୁ ପୁନର୍ବାର ଦୋହରାଇଥିଲେ, ସ୍ପଷ୍ଟ ଭାବରେ କହିଥିଲେ ଯେ ଆତଙ୍କବାଦକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ।
ମୋଦି ଏବଂ ନେତାନ୍ୟାହୁ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ଏହି ଅଞ୍ଚଳରେ ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପାଇଁ ପ୍ରୟାସକୁ ସମର୍ଥନ କରେ । ପ୍ରଧାନମନ୍ତ୍ରୀ ଗାଜା ଶାନ୍ତି ଯୋଜନାର ଶୀଘ୍ର କାର୍ଯ୍ୟକାରୀତାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଦୁଇ ନେତା ଯୋଗାଯୋଗରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ।