ରାଜକୋଟ,୧୪/୦୧: ଆଜି ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ପ୍ରଥମ ମ୍ୟାଚ୍ ଜିତି ମନୋବଳ ସୁଦୃଢ଼ କରିସାରିଥିବା ଭାରତୀୟ ଦଳ ଆଉ ଏକ ବିଜୟ ସହ ସିରିଜ କବ୍‌ଜା କରିବାକୁ ପ୍ରୟାସ କରିବ । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ୍ ‘କର ବା ମର’ । ତେଣୁ ଭ୍ରମଣକାରୀ ଦଳ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ସବୁ ଶକ୍ତି ଖଟାଇବ। ମ୍ୟାଚ୍ ଫଳାଫଳ ଅପେକ୍ଷା ସମଗ୍ର ବିଶ୍ୱର ନଜର ବିରାଟ କୋହଲିଙ୍କ ଉପରେ ରହିବା ନିଶ୍ଚିତ । ଶେଷ ୭ଟି ଦିନିକିଆରେ କୋହଲି ଯଥାକ୍ରମେ ୭୪ଞ୍ଚ, ୧୩୫, ୧୦୨, ୬୫ଞ୍ଚ, ୧୩୧, ୭୭ ଓ ୯୩ ରନ୍‌ର ଇନିଂସ ଖେଳି ସାରିଛନ୍ତି । ଦିନିକିଆ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ତାଙ୍କୁ ଅପେକ୍ଷା କରି ରହିଛି । ଭଦୋଦରା ଭଳି ରାଜକୋଟରେ ମଧ୍ୟ ସେ ରାଜୁତି କରିବା ଆଶା କରାଯାଉଛି ।

ନ୍ୟୁଜିଲାଣ୍ଡ ଏକ ଯୁବ ଦଳ ନେଇ ଆସିଥିଲେ ହେଁ ତାରକା ଖଚିତ ଭାରତୀୟ ଦଳକୁ ପ୍ରଥମ ମ୍ୟାଚ୍‌ରେ କଡ଼ା ଟକ୍କର ଦେଇଥିଲା । ଏକ ସମୟରେ ଭାରତ ମ୍ୟାଚ ହାରିବା ଆଶଙ୍କା ଦେଖା ଦେଇଥିଲା । ମାତ୍ର କେଏଲ ରାହୁଲ ଓ ହର୍ଷିତ ରାଣା ଷଷ୍ଠ ୱିକେଟ୍‌ରେ ୩୭ ରନ ଯୋଗ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ଏହି ମ୍ୟାଚର ଫଳାଫଳ ଭାରତ ସପକ୍ଷରେ ରହିଥିଲେ ହେଁ ନ୍ୟୁଜିଲାଣ୍ଡକୁ ହାଲକା ଭାବେ ଗ୍ରହଣ କରିବା ବୁମେରାଂ ସାବ୍ୟସ୍ତ ହୋଇପାରେ । ପ୍ରଥମ ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଥିଲେ ହେଁ ବ୍ୟାଟିଂ ବିଭାଗରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା । ବିଶେଷ କରି ବିରାଟ କୋହଲି ଆଉଟ୍ ହେବା ପରେ ରନ ସଂଗ୍ରହ କଷ୍ଟକର ହୋଇଥିଲା । ନ୍ୟୁଜିଲାଣ୍ଡ ଦଳରେ ଅଭିଜ୍ଞ ବୋଲରଙ୍କ ସଂଖ୍ୟା କମ୍ ରହିଥିଲେ ହେଁ ଢ଼େର ବିଭିନ୍ନତା ରହିଛି । ତେଣୁ ପ୍ରତ୍ୟେକ ବୋଲରଙ୍କ ପାଇଁ ଭାରତୀୟ ବ୍ୟାଟରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ।

ବୁଧବାର ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜାଙ୍କ ଉପରେ ନଜର ରହିବ । ରୋହିତ ପ୍ରଥମ ଦିନିକିଆରେ କିଛି ଦର୍ଶନୀୟ ସଟ୍ ଖେଳିଥିଲେ । ମାତ୍ର ଗୋଟିଏ ଭୁଲ ସଟ୍ ଖେଳି ଆଉଟ୍ ହୋଇଥିଲେ । ଜାଡେଜାଙ୍କ ପାଇଁ ଏହା ଘରୋଇ ଗ୍ରାଉଣ୍ଡ । ତେଣୁ ତାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଖିବାକୁ ଦର୍ଶକ ଆଶା ରଖିବେ । ନ୍ୟୁଜିଲାଣ୍ଡ ଦଳର ଡାରିଲ ମିଚେଲ ଓ କେଲି ଜାମିସନ ଚମତ୍କାର ଫର୍ମରେ ରହିଛନ୍ତି । ପ୍ରଥମ ମ୍ୟାଚ୍‌ରେ ଜାମିସନ ରୋହିତ, କୋହଲି, ଶ୍ରେୟାସ ଆୟର ଓ ଜାଡେଜାଙ୍କୁ ଆଉଟ୍ କରିଥିଲେ । ସେହିପରି ମିଚେଲ ୮୪ ରନ୍‌ର ଏକ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । 

ବୁଧବାର ଭାରତ ଏକାଦଶରେ ପରିବର୍ତ୍ତନ କରିବ । ୱାସିଂଟନ ସୁନ୍ଦର ପ୍ରଥମ ଦିନିକିଆରେ ଆହତ ହୋଇଥିଲେ । ତାଙ୍କ ସ୍ଥାନରେ ଆୟୂଷ ବାଦୋନିଙ୍କୁ ଦଳରେ ସ୍ଥାନ ମିଳିଛି । ମାତ୍ର ସେ ଆସନ୍ତାକାଲି ପଦାର୍ପଣ କରିବା ଆଶା ନାହିଁ । ସୁନ୍ଦରଙ୍କ ସ୍ଥାନରେ ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ରାଜକୋଟ୍‌ର ନୂଆ ଷ୍ଟାଡ଼ିୟମ୍‌ରେ ଏପର୍ଯ୍ୟନ୍ତ ୪ଟି ଦିନିକିଆ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ସମସ୍ତ ମ୍ୟାଚ ଜିତିଛନ୍ତି । ତେଣୁ ଟସ ସେଭଳି ପ୍ରଭାବ ପକାଇବ ନାହିଁ । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୩୫୦ ରନ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନାହିଁ ।

ସମ୍ଭାବ୍ୟ ଏକାଦଶ

ଭାରତୀୟ : ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ/ଆୟୂଷ ବାଦୋନି, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ/ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ : ଡେଭନ କନୱେ, ହେନରୀ ନିକୋଲ୍ସ, ୱିଲ ୟଙ୍ଗ, ଡାରିଲ ମିଚେଲ, ମାଇକେଲ ହେ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍ (ଅଧିନାୟକ), ଜ୍ୟାକ୍ ଫୋଲ୍କସ, କେଲି ଜାମିସନ, କ୍ରିଷ୍ଟିଆନ କ୍ଲାର୍କ, ଆଦିତ୍ୟ ଅଶୋକ ।