ନୂଆଦିଲ୍ଲୀ, ୨୯/୦୬: ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଭାରତର ନୀରଜ ଚୋପ୍ରା ସଦ୍ୟ ଘୋଷିତ ବିଶ୍ୱ ଆଥଲେଟିକ୍ସ ଜାଭେଲିନ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ଫେରି ପାଇଛନ୍ତି । ସେ ମୋଟ୍ ୧୪୪୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ପୂର୍ବରୁ ଏହି ସ୍ଥାନରେ ଥିବା ଗ୍ରେନାଡାର ଆଣ୍ଡରସନ ପିଟର୍ସ ଦ୍ୱିତୀୟକୁ ଖସିଛନ୍ତି । ସେ ୧୪୩୧ ପଏଣ୍ଟ ପାଇଛନ୍ତି । ସେହିପରି ଜର୍ମାନୀର ଜୁଲିଏନ ୱେର ୧୪୦୧ ପଏଣ୍ଟ ସହ ତୃତୀୟ, ଅଲିମ୍ପିକ୍ ଚାମ୍ପିଅନ୍ ପାକିସ୍ତାନର ଅର୍ଶଦ ନଦୀମ ୧୩୭୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଗତ ବର୍ଷ ସେପ୍ଟେମ୍ବର ମାସରେ ପିଟର୍ସ ଡାଏମଣ୍ଡ ଲିଗ୍ ଫାଇନାଲ୍ରେ ଚାମ୍ପିଅନ୍ ହେବା ସହ ନୀରଜଙ୍କୁ ପଛରେ ପକାଇ ଶୀର୍ଷ ମାନ୍ୟତା ଦଖଲ କରିଥିଲେ ।
ଚଳିତ ସିଜନରେ ନୀରଜଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ସେ ପୋଏଷ୍ଟ୍ରୁମ୍ ଠାରେ ଅନୁଷ୍ଠିତ ମିଟ୍ରେ ସ୍ୱର୍ଣ୍ଣ ପଦକ ଜିତି ସିଜନ ଆରମ୍ଭ କରିଥିଲେ । ଏହି ମିଟରେ ସେ ୮୪.୫୨ମିଟର ଥ୍ରୋ କରିଥିଲେ । ଏହାପରେ ଦୋହା ଡାଏମଣ୍ଡ୍ରେ ପ୍ରଥମ ଭାରତୀୟ ଭାବେ ୯୦ମିଟର ଦୂରତା ଅତିକ୍ରମ କରି ଇତିହାସ ରଚିଥିଲେ । ସେ ୯୦.୨୩ମିଟର ଥ୍ରୋ ସହ ଦ୍ୱିତୀୟରେ ରହିଥିଲେ । ପରେ ନୀରଜ ଜାନୁଜ କୁସୋସିନସ୍କି ମେମୋରିଆଲ୍ ଇଭେଣ୍ଟରେ ୮୪.୧୪ମିଟର ସହ ଦ୍ୱିତୀୟ, ପ୍ୟାରିସ୍ ଡାଏମଣ୍ଡ୍ ଲିଗ୍ରେ ୮୮.୧୬ମିଟର ସହ ପ୍ରଥମ ଏବଂ ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ୍ ଇଭେଣ୍ଟରେ ୮୫.୨୯ମିଟର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ଫେରିପାଇଛନ୍ତି ।