ନୂଆଦିଲ୍ଲୀ, ୨୯/୦୬: ଡବଲ୍‌  ଅଲିମ୍ପିକ୍‌ ପଦକ ବିଜେତା ଭାରତର ନୀରଜ ଚୋପ୍ରା ସଦ୍ୟ ଘୋଷିତ ବିଶ୍ୱ ଆଥଲେଟିକ୍ସ  ଜାଭେଲିନ ମାନ୍ୟତା ତାଲିକାରେ ଶୀର୍ଷ  ସ୍ଥାନ ଫେରି ପାଇଛନ୍ତି । ସେ ମୋଟ୍  ୧୪୪୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ପୂର୍ବରୁ ଏହି ସ୍ଥାନରେ ଥିବା ଗ୍ରେନାଡାର ଆଣ୍ଡରସନ ପିଟର୍ସ ଦ୍ୱିତୀୟକୁ  ଖସିଛନ୍ତି । ସେ ୧୪୩୧ ପଏଣ୍ଟ ପାଇଛନ୍ତି ।  ସେହିପରି ଜର୍ମାନୀର ଜୁଲିଏନ ୱେର ୧୪୦୧ ପଏଣ୍ଟ ସହ ତୃତୀୟ, ଅଲିମ୍ପିକ୍‌ ଚାମ୍ପିଅନ୍‌  ପାକିସ୍ତାନର ଅର୍ଶଦ ନଦୀମ ୧୩୭୦ ପଏଣ୍ଟ  ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଗତ ବର୍ଷ ସେପ୍ଟେମ୍ବର ମାସରେ ପିଟର୍ସ ଡାଏମଣ୍ଡ  ଲିଗ୍‌ ଫାଇନାଲ୍‌ରେ ଚାମ୍ପିଅନ୍‌ ହେବା ସହ  ନୀରଜଙ୍କୁ ପଛରେ ପକାଇ ଶୀର୍ଷ ମାନ୍ୟତା  ଦଖଲ କରିଥିଲେ । 

ଚଳିତ ସିଜନରେ ନୀରଜଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ସେ ପୋଏଷ୍ଟ୍ରୁମ୍‌ ଠାରେ  ଅନୁଷ୍ଠିତ ମିଟ୍‌ରେ ସ୍ୱର୍ଣ୍ଣ ପଦକ ଜିତି ସିଜନ ଆରମ୍ଭ କରିଥିଲେ । ଏହି ମିଟରେ ସେ  ୮୪.୫୨ମିଟର ଥ୍ରୋ କରିଥିଲେ । ଏହାପରେ  ଦୋହା ଡାଏମଣ୍ଡ୍‌ରେ ପ୍ରଥମ ଭାରତୀୟ  ଭାବେ ୯୦ମିଟର ଦୂରତା ଅତିକ୍ରମ କରି  ଇତିହାସ ରଚିଥିଲେ । ସେ ୯୦.୨୩ମିଟର  ଥ୍ରୋ ସହ ଦ୍ୱିତୀୟରେ ରହିଥିଲେ । ପରେ  ନୀରଜ ଜାନୁଜ କୁସୋସିନସ୍କି ମେମୋରିଆଲ୍‌  ଇଭେଣ୍ଟରେ ୮୪.୧୪ମିଟର ସହ ଦ୍ୱିତୀୟ,  ପ୍ୟାରିସ୍‌ ଡାଏମଣ୍ଡ୍‌ ଲିଗ୍‌ରେ ୮୮.୧୬ମିଟର  ସହ ପ୍ରଥମ ଏବଂ ଓଷ୍ଟ୍ରାଭା ଗୋଲ୍ଡେନ  ସ୍ପାଇକ୍‌ ଇଭେଣ୍ଟରେ ୮୫.୨୯ମିଟର  ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।  ଏହି ପ୍ରଦର୍ଶନ ବଳରେ ସେ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ଫେରିପାଇଛନ୍ତି ।