ଭୁବନେଶ୍ୱର,୦୬/୧୨ (ଲିଙ୍ଗରାଜ ମହାପାତ୍ର): କିମ୍ବଦନ୍ତୀ ଓ ଐତିହ୍ୟସମ୍ପର୍ଣ୍ଣ ଏକ ଧାର୍ମିକ ତୀର୍ଥସ୍ଥଳ ହେଉଛି ପଞ୍ଚୁ ପାଣ୍ଡବ ଗୁମ୍ପା । ଯାହାର ନା ଶୁଣିଲେ ପୋଥି, ପୁରାଣ, ଖୋଜିବାକୁ ହୁଏ ଓ ମହାଭାରତୀୟ ଯୁଗକୁ ଫେରିବାକୁ ପଡ଼େ । ଗର୍ବ ଲାଗେ ଯେ ଏହି ଗୁମ୍ଫା ମନ୍ଦିର ମାଳିନୀ ସହର ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଅବସ୍ଥିତ । କଳ୍ପନା ଛକରୁ ବଡ଼ଗଡ଼ ଗାଁ ପ୍ରବେଶ ପଥ ଛକର ପୂର୍ବରୁ ଡାହାଣ ପଟେ ସିଧା ବ୍ରିଟ୍ କଲୋନୀକୁ ଗଲେ ସେଠାରେ ରହିଛି ଏହି ପ୍ରାଚୀନ ଗୁମ୍ଫା । ଏହି ଗୁମ୍ଫା ଯାହା ମହାଭାରତର ପାଣ୍ଡବ ପାଞ୍ଚ ଭାଇଙ୍କ ଅଜ୍ଞାତବାସର ସ୍ମୃତି ବହନ କରେ ।
ପୁନରୁଦ୍ଧାର ନେଇ ବେଫିକର ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ
୧୦ ବର୍ଷ ହେବ ଏହି ପ୍ରାଚୀନ ଐତିହ୍ୟକୁ କେହି ପଚାରୁ ନାହାନ୍ତି । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ କହୁଛି ଏହା ଆମର ଦାୟିତ୍ୱରେ ନାହିଁ । ସ୍ଥାନୀୟ ପ୍ରଶାସନ ମଧ୍ୟ ଏହାକୁ ଦୃଷ୍ଟି ଦେଉନାହିଁ । ସ୍ଥାନୀୟ ବଡ଼ଗଡ଼ ବ୍ରିଟ କଲୋନୀ ଉନ୍ନୟନ କମିଟି ଏହି ପ୍ରାଚୀନ ଐତିହ୍ୟର ପାରିପାର୍ଶ୍ବିକ ବିକାଶ ପାଇଁ ବାରମ୍ବାର ବିଭିନ୍ନ ଫୋରମରେ ଦାବି କରୁଛନ୍ତି। କିନ୍ତୁ କେହି ଶୁଣୁ ନାହାନ୍ତି । ପ୍ରାୟ ୧୦ ବର୍ଷ ତଳେ ରାଜ୍ୟ ସଂସ୍କୃତି ବିଭାଗ ଅଧୀନରେ ଥିବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆଂଶିକ ସଂରକ୍ଷଣ କାର୍ଯ୍ୟ କରାଯାଇଥିଲା । ଚାରିପଟ ପାଚେରି ନିର୍ମାଣ କରାଯାଇ ନ ଥିଲା ଓ କିନ୍ତୁ ତାହା ପରଠାରୁ ଅବହେଳିତ ଅବସ୍ଥାରେ ରହିଛି ଏହି ସ୍ଥାନ । ଗୁମ୍ଫା ଚାରିପଟେ ବଣ ଜଙ୍ଗଲ ମାଡି ଗଲାଣି । ଦକ୍ଷିଣ ପାଶ୍ୱର୍ ପରିସରରୁ କିଛି ପରିମାଣର ଜମି ଜବରଦଖଲରେ । ଲାଇଟ ନାହିଁ, ପାଣି ନାହିଁ, ଯାତ୍ରୀ ବିଶ୍ରାମଗାର ନାହିଁ କିମ୍ବା ପରିସ୍ରାଗାର ନାହିଁ । ପର୍ଯ୍ୟଟକ ସେଠାରେ ପହଁଚିଲେ ଏହିଭଳି ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଠାକୁ ଆସିବାକୁ କେହି ଇଛାପ୍ରକାଶ କରୁନାହାନ୍ତି ।
ମାଡ଼ି ଗଲାଣି ବଣ ବୁଦା, ନାହିଁ ସାମାନ୍ୟତମ ସୁବିଧା
ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକଙ୍କୁ ଦରଖାସ୍ତ ଦେଇ ଏଠାରେ ମୌଳିକ ସୁବିଧା ଉପଲବ୍ଧ କରିବା ଦିଗରେ ଅନୁରୋଧ କରାଯାଇଛି । ପାଚେରିକୁ ପୂର୍ଣ୍ଣାଙ୍ଗ କରିବା, ପର୍ଯ୍ୟଟକମାନଙ୍କ ପାଇଁ ଥଣ୍ଡା ପିଇବା ପାଣିର ବ୍ୟବସ୍ଥା କରିବା, ଗୁମ୍ପାର ପରିସରକୁ ସମ୍ପୂର୍ଣ ସଫା କରିବା ଆଦି ଦାବି ରଖାଯାଇଛି । ହେଲେ ତାହା କାର୍ଯ୍ୟକାରୀ ହେଉନି । ଆଲୋକୀକରଣ ସହ ଗୁମ୍ଫାର ଉପର ଅଂଶରେ ବାଡ଼ କରିବା, ଗୁମ୍ପାରେ ଲଗାଯାଇଥିବା କଳଙ୍କି ଲଗା ଲୁହା ଗ୍ରୀଲକୁ ହଟାଯାଇ ଷ୍ଟିଲ ଗ୍ରୀଲ ଲଗାଇବା, ଗୁମ୍ପାର ତଳ ଓ ଉପର ଭାଗରେ ନାନାଦି ପ୍ରକାରର ଫୁଲ ଗଛ ଲଗାଇବା ସହ ଗୁମ୍ଫାର ଉପର ଭାଗରେ ନୂତନ ମାଟି ପକାଇ ଘାସର ଗାଲିଚା ମାନ ପକେଇବା ଆଦି ବିଭିନ୍ନ ପ୍ରକାର ଦାବି ରହିଛି । ଗତବର୍ଷ ତତ୍କାଳୀନ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକ ଅଶ୍ୱିନୀ କୁମାର ଶତପଥୀ ଏହି ଗୁମ୍ଫାକୁ ପର୍ଯ୍ୟଟନ ଧର୍ମୀ କରିବା ପାଇଁ ବଡ଼ଗଡ଼ ବ୍ରିଟ କଲୋନୀ ଉନ୍ନୟନ କମିଟି ସଭ୍ୟମାନଙ୍କୁ ପ୍ରତିଶୃତି ଦେଇଥିଲେ । ରାଜ୍ୟ ବିଧାନସଭାରେ ଏକଥା ଉଠିଥିଲା । ଶ୍ରୀ ଶତପଥୀ ଅବସର ପରେ ସମସ୍ତେ ଏହି କଥା ଭୁଲିଗଲେ ।
ଆଜକୁ ୬ ମାସ ହେବ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଦେବଯାନୀ ଭୂୟାଁ କହିଛନ୍ତି, ଥଣ୍ଡା ପିଇବା ପାଣିର ବ୍ୟବସ୍ଥା, ନୂତନ ଲାଇଟ ଲଗାଇବା, ନୂତନ ପାହାଚ କରିବା, ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର ଇତ୍ୟାଦି ଆମର ଦାୟିତ୍ୱ ନୁହେଁ। ଏବିଷୟରେ ଆମେ ରାଜ୍ୟ ସରକାରଙ୍କୁ ଜଣାଇବୁ । ଯାହା ନିର୍ଦ୍ଦେଶ ମିଳିବ ତାହା କରିବୁ ।