ନୂଆଦିଲ୍ଲା,୧୮/୦୨; ଟି-ଟ୍ୱେଣ୍ଟି ବିଶ୍ୱକପରେ ନେପାଳ ଦଳ ଏକ ରୋମାଞ୍ଚକର ବିଜୟ ସହ ଅଭିଯାନ ଶେଷ କରିଛି । ପ୍ରଥମ ୩ଟି ଲିଗ୍ ମ୍ୟାଚରେ ଯଥାକ୍ରମେ ଇଂଲଣ୍ଡ, ଇଟାଲୀ ଓ ୱେଷ୍ଟ ଇଣ୍ଡିଜ ଠାରୁ ପରାଜିତ ହୋଇଥିବା ନେପାଳ ଆଜି ଅନୁଷ୍ଠିତ ଅନ୍ତିମ ଲିଗ୍ ମ୍ୟାଚରେ ସ୍କଟଲାଣ୍ଡକୁ ୭ ୱିକେଟ୍‌ରେ ହରାଇଥିଲା । ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ଖେଳାଯାଇଥିବା ଗ୍ରୁପ୍ ସି’ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୭ ୱିକେଟ୍ ବିନିମୟରେ ୧୭୦ ରନ ସଂଗ୍ରହ କରିଥିଲା । ଜବାବରେ ନେପାଳ ୧୯.୨ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସ୍କଟଲାଣ୍ଡର ଦୁଇ ଓପନର ଜର୍ଜ ମୁନସୀ ଓ ମାଇକେଲ ଜୋନ୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ୮୦ ରନ ସଂଗ୍ରହ କରିଥିଲେ । ଦଶମ ଓଭରରେ ଯୋଡ଼ି ଭାଙ୍ଗିଥିଲେ ରୋହିତ ପୌଡ଼େଲ । ମୁନସୀ ୨୮ ରନ କରି ଆଉଟ୍ ହୋଇଥିଲେ । ଜୋନ୍ସଙ୍କୁ ଅଟକାଇବା ସମ୍ଭବ ହୋଇ ନଥିଲା । ସେ ବିସ୍ଫୋରକ ସଟ୍ମାନ ଖେଳି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋରକୁ ୧୩୨ରେ ପହଞ୍ଚାଇଥିଲେ । ୪୫ଟି ବଲ୍‌ରେ ୫ ଚୌକା ଓ ୩ଛକା ବଳରେ ୭୧ ରନ କରି ଜୋନ୍ସ ଆଉଟ୍ ହେବା ପରେ ସ୍କଟଲାଣ୍ଡ ଲାଇନଚ୍ୟୁତ ହୋଇଥିଲା । ପରବର୍ତ୍ତୀ ବ୍ୟାଟରମାନେ ଦ୍ରୁତ ରନ ସଂଗ୍ରହ କରିବାକୁ ଯାଇ ବିଫଳ ହୋଇଥିଲେ । ଶେଷରେ ସ୍କଟଲାଣ୍ଡ ଇନିଂସ ୭/୧୭୦ରେ ସୀମିତ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ରାଣ୍ଡନ ମ୍ୟାକମୁଲେନ ୨୫, ମାର୍କ ୱାଟ୍ ଅପରାଜିତ ୧୦ ଓ ରିଚି ବେରିଂଟନ ୧୦ ରନ କରିଥିଲେ । ନେପାଳ ପକ୍ଷରୁ ସୋମପାଲ କାମି ୩ଟି ଓ ନନ୍ଦନ ଯାଦବ ୨ଟି ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...ସୁପର-୮ରେ ଏଣ୍ଟ୍ରି ମାରି ଇତିହାସ ରଚିଲା ଜିମ୍ୱାୱେ , ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ରୁ ଏମିତି ବାହାରିଲା ଅଷ୍ଟ୍ରେଲିଆ

ନେପାଳ ମଧ୍ୟ ଲଢୁଆ ଜବାବ ଦେଇଥିଲା । କୁଶଲ ଭୁର୍ତେଲ ଓ ଆସିଫ ଶେଖ ୯ ଓଭରରେ ୭୧ ରନ ସଂଗ୍ରହ କରି ମୂଳଦୁଆ ସୁଦୃଢ଼ କରିଥିଲେ । ଭୁର୍ତେଲ ୧ଚୌକା ଓ ୪ଛକା ବଳରେ ୪୩ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ପରେ ଆସିଫ ୩୩ (୨ଛକା) ଓ ରୋହିତ ପୌଡ଼େଲ ୧୬ ରନ କରି ବିଦାୟ ନେବା ସହ ନେପାଳ ୯୮ ରନ୍‌ରେ ୩ଟି ୱିକେଟ୍ ହରାଇଥିଲା । ଏହାପରେ ଦୀପେନ୍ଦ୍ର ସିଂ ଆଇରି ଓ ଗୁଲଶନ ଝା ଲଢୁଆ ବ୍ୟାଟିଂ କରିଥିଲେ । ସ୍କଟଲାଣ୍ଡ ଏହି ଯୋଡ଼ି ଭାଙ୍ଗିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲା । ଉଭୟ ୭୩ ରନ୍‌ରେ ଭାଗିଦାରୀ ଗଠନ କରି ଦଳକୁ ବିଜୟୀ କରାଇଥିଲେ । ଦୀପେନ୍ଦ୍ର ୨୩ଟି ବଲ୍‌ରେ ୪ଚୌକା ଓ ୩ ଛକା ବଳରେ ୫୦ ଓ ଝା ୧୭ଟି ବଲ୍‌ରେ ୧ଚୌକା ଓ ୨ ଛକା ବଳରେ ୨୪ ରନ କରିଥିଲେ । ସ୍କଟଲାଣ୍ଡ ପକ୍ଷରୁ ମାଇକେଲ ଲିସ୍କ ୩ଟି ଯାକ ୱିକେଟ୍ ଅକ୍ତିଆର କରିଥିଲେ ।