ନୂଆଦିଲ୍ଲୀ –ସିକନ୍ଦର ରଜାଙ୍କ ପରିଚାଳନାରେ ଜିମ୍ୱାୱେ ଟିମ୍ ଟି-୨୦ ବିଶ୍ୱକପ୍ ୨୦୨୬ରେ ଐତିହାସିକ ଉପଲବ୍ଧି ହାସଲ କରିଛି। ଜିମ୍ୱାୱେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସୁପର-୮ ରାଉଣ୍ଡରେ ସ୍ଥାନ ପକ୍କା କରି ନେଇଛି। ଜିମ୍ୱାୱେ ପଲ୍ଲେକେଲେରେ ଆୟରଲ୍ୟାଣ୍ଡ ମ୍ୟାଚ୍ ବାତିଲ ହେବା ପରେ ଆଗାମୀ ରାଉଣ୍ଡର ଟିକେଟ କାଟି ଥିଲା। ମଙ୍ଗଳବାର ଜିମ୍ୱାୱେ ବନାମ ଆୟରଲ୍ୟାଣ୍ଡ ଗ୍ରୁପ୍-ବି ମ୍ୟାଚ୍ରେ ବର୍ଷା କାରଣରୁ ଟସ୍ ବି ହୋଇ ପାରି ନାହିଁ।
ମ୍ୟାଚ୍ ବାତିଲ ହେବା କାରଣରୁ ଦୁଇ ଟିମ୍କୁ ୧-୧ ପଏଣ୍ଟ ବାଣ୍ଟିବାକୁ ପଡ଼ିଥିଲା। ଜିମ୍ୱାୱେ ଗ୍ରୁପ୍ –ବିରୁ ଆଗାମୀ ପର୍ଯ୍ୟାୟକୁ ପହଞ୍ଚିବାରେ ଦ୍ୱିତୀୟ ଟିମ୍ ହୋଇ ପାରିଛି। ତାର ଆକାଉଣ୍ଟରେ ତିନୋଟି ମ୍ୟାଚ୍ରେ ପାଞ୍ଚ ପଏଣ୍ଟ ରହିଛି। ଗ୍ରୁପ୍-ବିରୁ ସହ-ପ୍ରାୟୋଜକ ଶ୍ରୀଲଙ୍କା ତିନୋଟି ମ୍ୟାଚ୍ରେ ୬ ପଏଣ୍ଟ ସହ ପ୍ରଥମେ ସୁପର-୮ରେ ପହଞ୍ଚି ସାରିଛି। ଆୟରଲ୍ୟାଣ୍ଡ ( ୪ ମ୍ୟାଚ୍ରେ ୩ ପଏଣ୍ଟ ) ସହ ଅଷ୍ଟ୍ରେଲିଆ (ତିନି ମ୍ୟାଚ୍ରେ ୨ ପଏଣ୍ଟ )ର ମଧ୍ୟ ସୁପର-୮ ରାଉଣ୍ଡର ଆଶା ମଉଳି ଯାଇଛି।
- ଅଷ୍ଟ୍ରେଲିଆ ସହ ୧୭ ବର୍ଷ ପରେ ହେଲା ଏମିତି -
ଅଷ୍ଟ୍ରେଲିଆ ୧୭ ବର୍ଷ ପରେ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବାହାର ହୋଇ ଯାଇଛି। ଅଷ୍ଟ୍ରେଲିଆର ଏହା ପୂର୍ବରୁ ୨୦୦୯ ଟି-୨୦ ବିଶ୍ୱକପ୍ରେ ଗ୍ରୁପ୍ ଷ୍ଟେଜ୍ରୁ ଆଉଟ୍ ହୋଇ ଯାଇଥିଲା। ୨୦୨୧ର ଟି-୨୦ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆର ଆଗାମୀ ପର୍ଯ୍ୟାୟର ଆଶା ଆୟରଲ୍ୟାଣ୍ଡର ବିଜୟ ଉପରେ ତିଷ୍ଠି ରହିଥିଲା , କିନ୍ତୁ ଭାଗ୍ୟ ସାହାଯ୍ୟ କଲା ନାହିଁ। ଅଷ୍ଟ୍ରେଲିଆକୁ ନିଜର ଦୁଇଟି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଲା। ଶ୍ରୀଲଙ୍କା କଙ୍ଗାରୁ ଟିମ୍କୁ ଆଠ ୱିକେଟ୍ରେ ହରାଇ ଥିଲା। ସେପଟେ , ଜିମ୍ୱାୱେ ଅଷ୍ଟ୍ରେଲିଆକୁ ୨୩ ରନ୍ରେ ହରାଇ ବଡ଼ ଓଲଟପାଲଟ କରିଦେଲା। ଅଷ୍ଟ୍ରେଲିଆକୁ ଏବେସୁଦ୍ଧା ଗୋଟିଏ ମାତ୍ର ବିଜୟ ଆୟରଲ୍ୟାଣ୍ଡ ବିପକ୍ଷରେ ମିଳିଛି। ଅଷ୍ଟ୍ରେଲିଆକୁ ନିଜର ଶେଷ ଗ୍ରୁପ୍ ମ୍ୟାଚ୍ରେ ଓମାନ (୨୦ ଫେବ୍ରୁଆରୀ)ସହ ସମ୍ମୁଖୀନ ହେବ। ଆହତ ସମମ୍ୟା ଦେଇ ଗତି କରୁଥିବା ଅଷ୍ଟ୍ରେଲିଆର ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଦୁର୍ବଳ ନଜର ଆସିଛି। ପ୍ୟାଟ୍ କମିନ୍ସ ଓ ଜୋଶ୍ ହେଜଲୱୁଡ ଖେଳି ନାହାନ୍ତି।
ଅନ୍ୟପଟେ ,ଜିମ୍ୱାୱେର ଟୁର୍ଣ୍ଣାମେଣ୍ଟରେ ଏବେସୁଦ୍ଧା ପ୍ରଦର୍ଶନ ଆକର୍ଷଣୀୟ ରହିଛି। ଏହାର ତିନୋଟି ଦ୍ରୁତ ବୋଲର ରିଚର୍ଡ ନଗାରୱା , ବ୍ଲେସିଙ୍ଗ ମୁଜରବାନି ଓ ବ୍ରେଡ୍ ଇଭାନ୍ସ କଲମ୍ୱୋରେ ଖେଳାଯାଇ ଥିବା ନିଜର ପ୍ରଥମେ ମ୍ୟାଚ୍ରେ ୩-୩ଟି ୱିକେଟ୍ ନେଇ ଓମାନକୁ କେବଳ ୧୦୩ ରନ୍ରେ ଆଉଟ୍ କରିଦେଇ ଥିଲେ।