ନୂଆଦିଲ୍ଲୀ, ୧୩/୦୩ : ନୋଏଡାରେ ବଡ଼ ଅନ୍ତର୍ଜାତୀୟ ସାଇବର୍ ଠକେଇ ମଡ୍ୟୁଲର ପର୍ଦ୍ଦାଫାସ୍। ୮୦ କୋଟି ଟଙ୍କା ଟ୍ରାନ୍ସଫର କରିବାକୁ ଷଡ଼ଯନ୍ତ୍ର। ନୋଏଡାରୁ ନାଇଜେରିଆ ଯାଏଁ ଲମ୍ବିଥିଲା ନେଟୱର୍କ। ବ୍ୟାଙ୍କିଂ ସିଷ୍ଟମର ଦୁର୍ବଳତାକୁ ଅସ୍ତ୍ର କରିଥିଲେ ଠକ। ଯୋଜନାରେ ସଫଳ ହେବା ପୂର୍ବରୁ ଜାଲ ବିଛେଇ ସାଇବର୍ ଠକେଇର ପର୍ଦ୍ଦାଫାସ୍ କରିଦେଲା ଗୌତମବୁଦ୍ଧନଗର ସାଇବର୍ କ୍ରାଇମ୍ ଟିମ୍। ୨ ବିଦେଶୀ ନାଗରିକ ଗିରଫ।
ଭାରତରେ ଏକ ସାଇବର ଠକେଇ ମଡ୍ୟୁଲ୍ ସକ୍ରିୟ ଥିବା ଏବଂ ବ୍ୟାଙ୍କିଂ ସିଷ୍ଟମର ଦୁର୍ବଳତାକୁ ସୁଯୋଗ ଦେଇ ବଡ଼ ଠକେଇ କରିବାକୁ ପ୍ରସ୍ତୁତି ଚାଲିଥିବା ନେଇ ଗୌତମବୁଦ୍ଧ ନଗର ପୁଲିସ କମିଶନରେଟର ସାଇବର କ୍ରାଇମ୍ ଟିମ୍ ସୂଚନା ପାଇଥିଲା। ଏହାପରେ ସାଇବର କ୍ରାଇମ୍, ନଲେଜ ପାର୍କ ଥାନା, ଏବଂ ମେରଠ ଜୋନର ସାଇବର କମାଣ୍ଡୋ ଟିମ୍ କୁ ଆଲର୍ଟ କରାଯାଇଥିଲା। ଡିଜିଟାଲ ଟ୍ରାକିଂ କରି ସାଇବର ଠକଙ୍କ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଇଥିଲା। ତଦନ୍ତ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ତାହା ଦେଖି ପୁଲିସର ମୁଣ୍ଡ ଗୋଲ୍ ହୋଇଯାଇଥିଲା।
ଡିସିପି ସାଇବର୍ କ୍ରାଇମ୍ ଶୈବ୍ୟା ଗୋୟଲଙ୍କ କହିବା ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତ ସୋଲାର ସ୍ପାଇଡର୍ ନାମକ ଏକ ଅନ୍ତରାଷ୍ଟ୍ରୀୟ ସାଇବର୍ ଥ୍ରେଟ୍ ଗ୍ରୁପ୍ ସହ ସାମିଲ ଥିଲା। ଏହି ଗ୍ରୁପ୍ ବିଭିନ୍ନ ଦେଶରେ ସାଇବର ଆଟାକ୍ ଏବଂ ଆର୍ଥିକ ଠକେଇରେ ସକ୍ରିୟ ଥିଲା। ଏହି ମଡ୍ୟୁଲ ଭାରତରେ ବସି ବ୍ୟାଙ୍କିଂ ସିଷ୍ଟମକୁ ଟାର୍ଗେଟ୍ କରୁଥିଲା। ବିଶେଷ କରି କୋ-ଅପରେଟିଭ୍ ବ୍ୟାଙ୍କର ସାଇବର ସୁରକ୍ଷା ସମ୍ପର୍କିତ ଦୁର୍ବଳତାକୁ ଟାର୍ଗେଟ୍ କରିବାକୁ ବଡ଼ ଷଡ଼ଯନ୍ତ୍ର ରଚିଥିଲା। ଏପରିକି ଠକେଇ ପାଇଁ ସେମାନେ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ କରିଥିଲେ। ଶନିବାର ଏବଂ ରବିବାର ସେମାନଙ୍କ ପାଇଁ ସର୍ବୋତ୍କୃଷ୍ଟ ସମୟ ଥିଲା। କାରଣ ଏହି ସମୟରେ ଠକେଇ କଲେ ଜାଣିବାକୁ ଅଧିକ ସମୟ ଲାଗିଯିବ।
ଏହି ଉପାୟରେ ଠକମାନେ ମାର୍ଚ୍ଚ ୮ ତାରିଖ ଭିତରେ ଗୁଜରାଟର କୋ-ଅପରେଟିଭ୍ ବ୍ୟାଙ୍କକୁ ଟାର୍ଗେଟ୍ କରି ପ୍ରାୟ ୮ କୋଟି ଟଙ୍କା ହଡ଼ପ କରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତମାନେ ଏହିଭଳି ଭାବେ ୬୦ ରୁ ୮୦ କୋଟି ଟଙ୍କା ଭିନ୍ନ ଭିନ୍ନ ମ୍ୟୁଲ୍ ଆକାଉଣ୍ଟରେ ଟ୍ରାନ୍ସଫର କରିବାକୁ ଯୋଜନା କରିଥିଲେ। ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଟଙ୍କାକୁ ବହୁ ଲେୟାରରେ ଟ୍ରାନ୍ସଫର୍ କରାଯାଏ। ଏହାଦ୍ଵାରା ଅସଲି ସ୍ରୋତ ବିଷୟରେ ଜାଣିବା ମୁସ୍କିଲ ହୋଇଯାଏ। ଏହାପରେ ଟଙ୍କାକୁ କ୍ରିପ୍ଟୋ କରେନ୍ସିରେ ପରିବର୍ତ୍ତନ କରାଯାଏ। କ୍ରିପ୍ଟରେ କନଭର୍ଟ ହେବାପରେ ଏହାକୁ ବିଦେଶୀ ୱାଲେଟକୁ ଟ୍ରାନ୍ସଫର୍ କରାଯାଏ। ଏହି ସବୁ ପ୍ରକ୍ରିୟା ସରିଯିବା ପରେ ଟଙ୍କା ଟ୍ରାକ୍ କରିବା ମୁସ୍କିଲ ହୋଇଯାଏ। ଏହି ଠକେଇ ଗ୍ୟାଙ୍ଗର ଲିଙ୍କ୍ ନାଇଜେରିଆ ଯାଏଁ ଲମ୍ଵିଥିବା ପୁଲିସ ସନ୍ଦେହ କରୁଛି। ଏନେଇ ଅଧିକ ଛାନଭିନ୍ ଚଳାଇଛି।
ଏହି ଖବରଟିକୁ ପଢନ୍ତୁ- ପ୍ରେମିକାକୁ ହତ୍ୟା କରି ପ୍ରେମିକର ଆତ୍ମହତ୍ୟା, ବିଭିିନ୍ନ ଦିଗରୁ ତଦନ୍ତ ଆରମ୍ଭ କଲା ପୁଲିସ