ଭୁବନେଶ୍ୱର, ୨୬/୦୩: ଟେଷ୍ଟ ଡ୍ରାଇଭ୍‌ ବାହାନାରେ ବିହାରୀ ଲୁଟେରାଙ୍କ ଆତଙ୍କ । ଭରତପୁର ଅଞ୍ଚଳରୁ ଏକ ଦାମୀ କାର୍‌ ଲୁଟି ନେଇଥିବା ଅଭିଯୋଗ । ୧୦ କି ୨୦ ଲକ୍ଷ ନୁହେଁ, ଦେଢ଼ କୋଟି ଟଙ୍କାର ଦାମୀ କାର(ଡିଫେଣ୍ଡର) ନେଇ ଛୁ ମାରିଛନ୍ତି । ଏମିତିକି ସୋ’ ରୁମ୍‌ ସେଲସ୍ ମ୍ୟାନ ଓ ମ୍ୟାନେଜରଙ୍କୁ ବନ୍ଧୁକ ମୁନରେ ଡରାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । କେବଳ ଏତିକିରେ ଏମାନଙ୍କ ଉତ୍ପାତ ସୀମିତ ରହିନି । ଜଣେ ମହିଳା ସେଲ୍‌ସମ୍ୟାନଙ୍କୁ ଅସଦାଚରଣ କରିବାକୁ ପଛେଇ ନାହାନ୍ତି । ଲୁଟେରାମାନେ ଭରତପୁର ଷ୍ଟୁଡିଓ ଛକ-ଚନ୍ଦକା ରାସ୍ତା କଡ଼ରେ ଥିବା ଏକ ହୋଟେଲରେ ଏମିତି କାଣ୍ଡ ଭିଆଇଛନ୍ତି ।

ଅଭିଯୋଗକ୍ରମେ ଭରତପୁର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଉଦ୍ୟମରେ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଚାଲିଛି । ଲୁଟ୍‌ ଓ ଆକ୍ରମଣ ମାମଲାରେ ୫ଜଣ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ଉକ୍ତ ହୋଟେଲର ଓ ଆଖପାଖର ସିସି କ୍ୟାମେରା ଫୁଟେଜ୍‌ରୁ ଲୁଟେରାଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ଜଣ ବିହାର ଅଞ୍ଚଳର କୁଖ୍ୟାତ ଅପରାଧୀ । ଅନ୍ୟ ଜଣେ ଓଡ଼ିଆ । ଫୁଲ୍‌ନଖରା ଗ୍ରାଣ୍ଡ ବଜାର ସାମ୍ନାରେ ଏହି ଦାମୀ ଏସ୍‌ୟୁଭି କାରର ସୋ’ ରୁମ୍‌ ଅଛି । ମଙ୍ଗଳବାର ସୋ’ରୁମ୍‌କୁ ଟେଲି କଲ୍‌ ଜରିଆରେ ଦେଢ଼ କୋଟି ମୂଲ୍ୟ ଡିଫେଣ୍ଡର କାର୍ ଟେଷ୍ଟ ଡ୍ରାଇଭ୍‌ ପାଇଁ ଅର୍ଡର ଆସିଥିଲା । ବୁଧବାର ମଧ୍ୟାହ୍ନରେ ଜଣେ ମହିଳା ସେଲ୍‌ସମ୍ୟାନ୍‌ ସହ ସେଲ୍‌ସମ୍ୟାନ ସନ୍ତୋଷ ନାୟକ ଓ ଡ୍ରାଇଭର ଡେମୋ ଡିଫେଣ୍ଡରକୁ ନେଇ ଷ୍ଟୁଡିଓ ଛକରେ ପହଞ୍ଚିଲେ । ସନ୍ତୋଷଙ୍କ କହିବା ମୁତାବକ, ଏକ କଳା ରଙ୍ଗର ଦାମୀ କାର ଭିତରେ ୪ଜଣ ଦୁର୍ବୃତ୍ତ ଷ୍ଟୁଡିଓ ଛକରେ ପୂର୍ବରୁ ସେମାନଙ୍କୁ ଅପେକ୍ଷା କରିଥିଲେ । ସେମାନଙ୍କୁ ହୋଟେଲ ଯାଏ ବାଟ କଢ଼ାଇ ନେଇଥିଲେ । ସନ୍ତୋଷ ପ୍ରଥମ ମହଲାରେ ଥିବା ରୁମ୍‌କୁ ଯାଇଥିଲେ । ସେଠାରେ ଲୁଟେରମାନେ ତାଙ୍କୁ ଫଳ ଖାଇବାକୁ ଦେଲେ । କିଛି ସମୟ ପରେ ଲୁଟେରାଙ୍କ ଅସଲି ରୂପ ସାମନାକୁ ଆସିଲା । ସେମାନେ ଏକ ବେଡ୍‌ସିଟ୍‌ରେ ସନ୍ତୋଷଙ୍କ ମୁଣ୍ଡକୁ ଘୋଡ଼ାଇ ତାଙ୍କ ମୁହଁକୁ ନିର୍ଧୁମ ପିଟି ଚାଲିଲେ । ତାଙ୍କ ମନି ପର୍ସରୁ ନଗଦ ୬ ହଜାର ଟଙ୍କା ଲୁଟି ନେଲେ । ସେମାନେ ବନ୍ଧୁକ ପଏଣ୍ଟରେ ସନ୍ତୋଷଙ୍କୁ ଡରାଇ ସୋ’ ରୁମ୍‌ ଜିଏମ୍‌ ଗୌତମ ସିହ୍ନାଙ୍କୁ ଫୋନ କରି ୨ଟି ଡିଫେଣ୍ଡର କିଣିବାର ପ୍ରଲୋଭନ ଦେଖାଇ ଗୌତମଙ୍କୁ ଡକାଇଲେ । ଷ୍ଟୁଡିଓ ଛକରୁ ୩ ଲୁଟେରା ସନ୍ତୋଷଙ୍କ ସହ ସେଠାକୁ ଯାଇ ଗୌତମଙ୍କୁ ହୋଟେଲ ଯାଏ ବାଟ କଢ଼ାଇ ଆଣିଥିଲେ । ଲୁଟେରମାନେ ଗୌତମଙ୍କୁ ହୋଟେଲ ରୁମ୍‌ରେ ବନ୍ଧୁକ ଦେଖାଇ ଡରାଇଥିଲେ । ତାଙ୍କଠାରୁ ଫୋନ୍‌ ପେ’ ଜରିଆରେ ୧ ଲକ୍ଷ ଟଙ୍କା ଓ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ ଜରିଆରେ ୫୦ ହଜାର ଟଙ୍କା ନେଇଗଲେ । କିଛି ସମୟ ପରେ ଲୁଟେରାମାନେ ମହିଳା ସେଲ୍‌ସ୍‌ ମ୍ୟାନ୍‌ଙ୍କୁ ରୁମ୍‌କୁ ଡକାଇଲେ । ତାଙ୍କୁ ଧମକାଇଥିଲେ ୩ ଘଣ୍ଟା ଧରି ଆତଙ୍କ ଖେଳାଇବା ପରେ ଲୁଟେରମାନେ ୨ଟି ରୁମ୍‌ରେ ଗୌତମ, ସନ୍ତୋଷ, ଡ୍ରାଇଭର ଓ ମହିଳା ସେଲ୍‌ସମ୍ୟାନଙ୍କୁ ବନ୍ଧକ ରଖି ଡିଫେଣ୍ଡର ଗାଡ଼ି ନେଇ ଚନ୍ଦକା ରାସ୍ତା ଦେଇ ଛୁ ମାରିଲେ । ଅଧଘଣ୍ଟା ପରେ ହୋଟେଲ କର୍ତ୍ତୃପକ୍ଷଙ୍କ ସହାୟତାରେ ରୁମ୍‌ରୁ ସମସ୍ତେ ବାହାରିଥିଲେ । ଲୁଟେରାମାନେ ପୂର୍ବରୁ ଆଣି ଆସିଥିବା ଦାମୀ କାରକୁ ହୋଟେଲରେ ହିଁ ଛାଡ଼ି ପଳାଇଥିଲେ । ଉକ୍ତ କାରକୁ ସେମାନେ ବରମୁଣ୍ଡାର ଏକ ଟ୍ରାଭେଲ୍‌ ସଂସ୍ଥାଠାରୁ ଭଡ଼ାସୂତ୍ରରେ ଆଣିଥିବା ପୁଲିସ ଜାଣିବାକୁ ପାଇଛି । ଲୁଟ୍‌ରେ ହୋଟେଲ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରରେ ଅଛି । ୩ ଘଣ୍ଟା ଧରି ଲୁଟ୍‌ ଓ ଆକ୍ରମଣର କାଣ୍ଡ ଭିଆଇଥିଲେ ହେଁ ହୋଟେଲ କର୍ତ୍ତୃପକ୍ଷ କେମିତି ଜାଣି ପାରିଲେନି । ତାହା ପୁଲିସ ଜାଣିବାକୁ ଚେଷ୍ଟା ଚଳାଇଛି ।

​​​​​​​

ଲଣ୍ଡନରୁ ଲକ୍‌ ହେଲା କାର ଇଞ୍ଜିନ୍‌:

ଡେମୋ କାରଟି ଚୋରି ହୋଇଥିବା ନେଇ ସୋ’ ରୁମ୍‌ ପକ୍ଷରୁ କାର ନିର୍ମାତା ସଂସ୍ଥାର ମୁଖ୍ୟାଳୟକୁ ଅବଗତ କରାଗଲା । ଲଣ୍ଡନସ୍ଥିତ ମୁଖ୍ୟାଳୟର କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ କାରର ଇଞ୍ଜିନକୁ ଲକ୍‌ କରିଦେଇଛନ୍ତି । ଅଧାରାସ୍ତାରେ କାରଟି ବନ୍ଦ ପଡ଼ିଗଲା । ସେତେବେଳକୁ ଲୁଟେରାମାନେ ଡିଫେଣ୍ଡର ଗାଡ଼ିକୁ ନୟାଗଡ଼ ପର୍ଯ୍ୟନ୍ତ ନେଇଯାଇଥିଲେ । ବାଧ୍ୟ ହୋଇ ଲୁଟେରମାନେ କାରକୁ ଛାଡ଼ି ଖସି ପଳାଇଲେ । ଭୁବନେଶ୍ୱର ଭରତପୁରରୁ ଲୁଟ୍‌ ହୋଇଥିବା ଡିଫେଣ୍ଡର ୩ ଘଣ୍ଟା ପରେ ମିଳିଗଲା ।