ଲାହୋର: ନ୍ୟୁଜିଲାଣ୍ଡ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ କିୱି ଦଳ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ପରାସ୍ତ କରିଛି । ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟାଇଟଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ବିଷୟରେ କହିବାକୁ ଗଲେ, ପ୍ରଥମେ ଖେଳି ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ୱିକେଟ୍ ହରାଇ ୩୬୨ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଦଳ କେବଳ ୩୧୨ ରନ କରିପାରିଛି । ଦକ୍ଷିଣ ଆଫ୍ରିକା ପାଇଁ, ଡେଭିଡ୍ ମିଲର ୬୭ ବଲରୁ ଅପରାଜିତ ୧୦୦ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ରଚିନ ରବିନ୍ଦ୍ର ୧୦୮ ଏବଂ କେନ୍ ୱିଲିୟମସନ ୧୦୨ ରନ୍ କରିଥିଲେ । ତା'ପରେ ବୋଲିଂରେ ମିଚେଲ ସାଣ୍ଟନର ୩ଟି ୱିକେଟ୍ ନେଇଥିଲେ।
ଲାହୋରରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ମିଚେଲ ସାଣ୍ଟନର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ତାଙ୍କ ଦଳ ୫୦ ଓଭରରେ ୩୬୩ ରନର ଏକ ବିଶାଳ ସ୍କୋର କରିଥିଲା । ବଡ଼ ଲକ୍ଷ୍ୟ ଆଗରେ ଦକ୍ଷିଣ ଆଫ୍ରିକାର ବ୍ୟାଟର ମୁଣ୍ଡ ନୁଆଁଇଛନ୍ତି । କିୱି ବୋଲରମାନେ ପ୍ରଥମ ଓଭରରୁ କଡ଼ା ବୋଲିଂ କରିଥିଲେ ଏବଂ ସ୍କୋର କରିବାକୁ ଦକ୍ଷିଣ ଆଫ୍ରିକାକୁ କୌଣସି ସୁଯୋଗ ଦେଇ ନଥିଲେ । ୫ମ ଓଭରରେ ଦ୍ରୁତ ରନ କରିବାକୁ ଚେଷ୍ଟା କରୁଥିବା ସମୟରେ ରିଆନ ରିକେଲଟନ ମ୍ୟାଟ ହେନରୀଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।
ଏହା ପରେ ଅଧିନାୟକ ଟେମ୍ବା ବାଭୁମା ଏବଂ ଭାନ୍ ଡେର ଡୁସେନଙ୍କ ମଧ୍ୟରେ ୧୦୫ ରନର ଭାଗିଦାରୀ ହୋଇଥିଲା। କିନ୍ତୁ ଧୀର ଖେଳ ଯୋଗୁଁ ଚାପ ବଢ଼ିବାରେ ଲାଗିଲା। ୧୨୫ ସ୍କୋରରେ ବାଭୁମା ଦ୍ୱିତୀୟ ୱିକେଟ୍ ଭାବରେ ଆଉଟ୍ ହେବା ପରେ, କୌଣସି ବ୍ୟାଟର ବଡ଼ ଇନିଂସ ଖେଳିପାରି ନଥିଲେ । ଦଳ ୧୬୧ ରନରେ ତୃତୀୟ ୱିକେଟ ଏବଂ ୧୬୭ ରନରେ ଚତୁର୍ଥ ୱିକେଟ ହରାଇଥିଲା ।
ଦଳର ଅଧା ଖେଳାଳି ୧୮୯ ରନରେ ଆଉଟ୍ ହୋଇଯାଇଥିଲେ। ପରବର୍ତ୍ତୀ ୨୯ ରନ ସ୍କୋର କରିବାରେ ଦକ୍ଷିଣ ଆଫ୍ରିକା ଆଉ ୩ଟି ୱିକେଟ ହରାଇଥିଲା । ଶେଷରେ, ଡେଭିଡ୍ ମିଲର ଏକା ଲଢ଼ି ୬୭ ବଲରେ ୧୦୦ ରନ୍ କରିଥିଲେ । କିନ୍ତୁ ତାଙ୍କର ଶତକ ବେକାର ଯାଇଛି । ତାଙ୍କ ବ୍ୟତୀତ ବାଭୁମା ୭୧ ବଲ୍ ରେ ୫୬ ରନ୍, ଭାନ୍ ଡେର ଡୁସେନ୍ ୬୬ ବଲରେ ୬୯ ରନ୍ ଏବଂ ଏଡେନ୍ ମାର୍କରମ ୨୯ ବଲରେ ୩୧ ରନ୍ କରିଥିଲେ ।