ନୂଆଦିଲ୍ଲୀ,୧୦/୦୭: ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର । ଡେନ୍ମାର୍କର ଔଷଧ କମ୍ପାନି ନୋଭୋ ନର୍ଡିସ୍କ ବୁଧବାର ଭାରତରେ ‘ଆୱିକ୍ଲି(ଇନ୍ସୁଲିନ୍ ଆଇକୋଡେକ୍)’ ଲଞ୍ଚ୍ କରିଛି । ଏହା ଦୁନିଆର ପ୍ରଥମ ସାପ୍ତାହିକ ବା ସପ୍ତାହକୁ ଥରେ ନିଆଯାଉଥିବା ବେସଲ ଇନ୍ସୁଲିନ୍ ବୋଲି କମ୍ପାନି ଦାବି କରିଛି, ଯାହା କି ଟାଇପ୍-୧ ଏବଂ ଟାଇପ୍-୨ ଡାଇବେଟିସ୍ର ବରିଷ୍ଠ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ । ଏହା ଦ୍ୱାରା ପ୍ରତିଦିନ ଲଗାଉଥିବା ୩୬୫ ଇନ୍ସୁଲିନ୍ ଇଞ୍ଜେକ୍ସନ ସଂଖ୍ୟା କମି ୫୨ ରହିଯିବ । କମ୍ପାନି ମୁତାବକ, ଆୱିକ୍ଲିର ଉଦ୍ଦେଶ୍ୟ ଭାରତରେ ଇନ୍ସୁଲିନ୍ ନେବାରେ ହେଉଥିବା ବିଳମ୍ବକୁ କମ୍ କରିବା । ପ୍ରତିଦିନ ଇଞ୍ଜେକ୍ସନ ନେବାର ଡର ରୋଗୀଙ୍କ ମଧ୍ୟରେ ଇନ୍ସୁଲିନ୍ ଥେରାପି ଆରମ୍ଭ କରିବାରେ ସବୁଠୁ ବଡ଼ ବାଧା, ଫଳରେ ଇନ୍ସୁଲିନ୍ ନେବାରେ ହାରାହାରି ୭ରୁ ୯ ବର୍ଷ ଡେରି ହୋଇଯାଇଥାଏ ।
କମ୍ପାନି ୭୦୦ ୟୁନିଟ୍ ପ୍ୟାକ୍କୁ ୨,୬୧୧ ଟଙ୍କାରେ ଲଞ୍ଚ୍ କରିଛି । ଅର୍ଥାତ ଏହାର ଗୋଟିଏ ୟୁନିଟ୍ରେ ମୂଲ୍ୟ ୩ ଟଙ୍କା ୭୩ ପଇସା, ଯାହା କି ବର୍ତ୍ତମାନର ଦିନିକିଆ ବେସଲ ଇନ୍ସୁଲିନ୍ ତୁଳନାରେ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା । ଯଦି କୌଣସି ରୋଗୀଙ୍କୁ ପ୍ରତିଦିନ ୧୦ ୟୁନିଟ୍ ଇନ୍ସୁଲିନ୍ ଆବଶ୍ୟକ ପଡ଼େ ତେବେ ତାଙ୍କୁ ସପ୍ତାହରେ ୭୦ ୟୁନିଟ୍ ଇନ୍ସୁଲିନ୍ ଲାଗିବ । ଏହାର ମୂଲ୍ୟ ମାସକୁ ପ୍ରାୟ ୨୬୧ ଟଙ୍କା ପଡ଼ିବ । ଏକ ନିର୍ଦ୍ଦିଷ୍ଟ ଦିନରେ ଏକ ପ୍ରି-ଫିଲ୍ଡ ପେନ୍ ଡିଭାଇସ୍ ଜରିଆରେ ପେଟ, ଜଙ୍ଘ କିମ୍ବା ବାହୁର ଚର୍ମ ତଳେ ନିଆଯାଇଥାଏ । ନୋଭୋ ନର୍ଡିସ୍କ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିକ୍ରାନ୍ତ ଶ୍ରୋତ୍ରୀୟ କହିଛନ୍ତି, ଆୱିକ୍ଲିକୁ ଲଞ୍ଚ କରାଯିବାରେ ଭାରତ ସପ୍ତମ ଦେଶ । ଏହି ଚିକିତ୍ସା ରୋଗୀଙ୍କ ମଧ୍ୟରେ ଥିବା ମାନସିକ ଏବଂ ଶାରୀରିକ ବାଧାକୁ ଦୂର କରିବ ବୋଲି ଆଶା । ପୂର୍ବରୁ ଏହା ଆମେରିକା, ୟୁରୋପୀୟ ସଂଘ ଏବଂ ଅନ୍ୟ କେତେକ ଦେଶରେ ଅନୁମୋଦନ ଲାଭ କରିସାରିଛି ।
ପ୍ରକାଶଥାଉ କି, ଭାରତରେ ୧୦ କୋଟିରୁ ଊଦ୍ଧ୍ୱର୍ ଲୋକ ଡାଇବେଟିସ୍ ଏବଂ ୧୩.୬ କୋଟିରୁ ଊଦ୍ଧ୍ୱର୍ ପ୍ରାକ୍-ଡାଇବେଟିସ୍ର ଶିକାର । ଭାରତରେ ଇନ୍ସୁଲିନ୍ ବଜାର କ୍ରମାଗତ ବୃଦ୍ଧି ପାଉଥିବା ସମୟରେ ଏହି ଇନ୍ସୁଲିନ୍ ଲଞ୍ଚ୍ କରାଯାଇଛି । ଭାରତୀୟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଏସ୍ କେ ୱାଙ୍ଗନୁ କହିଛନ୍ତି, ଇନ୍ସୁଲିନ ଚିକିତ୍ସା ଆରମ୍ଭ କରିବାରେ ବିଳମ୍ବ ଏବଂ ନିୟମିତ ଭାବେ ଔଷଧ ନ ନେବା ମଧୁମେହକୁ ଗମ୍ଭୀର କରିଥାଏ । ତେଣୁ ଚିକିତ୍ସାକୁ ସରଳ କରୁଥିବା ଏଭଳି ନୂତନ ଉଦ୍ଭାବନ ରୋଗୀଙ୍କ ଠିକ୍ ସମୟରେ ଚିକିତ୍ସା କରିବାରେ ସହାୟକ ହେବ । ସଦ୍ୟ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ (ଏନ୍ଏଫ୍ଏଚ୍ଏସ୍) ଅନୁସାରେ, ସହର ସମେତ ଗ୍ରାମାଞ୍ଚଳରେ ବି ହାଇ ବ୍ଲଡ ସୁଗାର ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କମ୍ ବୟସରେ ବି ଲୋକମାନେ ଟାଇପ୍-୨ ଡାଇବେଟିସ୍ର ଶିକାର ହେଉଛନ୍ତି ।