ଭୁବନେଶ୍ୱର, ୧୦/୦୯: ରାଜ୍ୟରେ ଡ୍ରପ୍‌ ଆଉଟ୍‌ ହାର କମାଇବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଡ୍ରପ୍‌ ଆଉଟ୍‌ ହାର କମିବ କ'ଣ, ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ଜାତୀୟସ୍ତରରେ ଡ୍ରପ୍‌ଆଉଟ୍‌ ହାର କମୁଛି । ଏପରିକି ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଡ୍ରପ୍‌ ଆଉଟ୍‌ ହାର କମିଛି । ଓଡ଼ିଶା କ୍ଷେତ୍ରରେ ୨୦୨୩-୨୪ ଶିକ୍ଷାବର୍ଷରେ ଏହା ୯.୧% ଥିବାବେଳେ ୨୦୨୪-୨୫ରେ ୯.୮% ପହଞ୍ଚିଥିଲା । ହେଲେ ଚଳିତବର୍ଷ ପ୍ରକାଶିତ ୨୦୨୫-୨୬ ରିପୋର୍ଟରେ ଏହା ପୁଣି ବଢ଼ି ୧୦% ରେ ପହଞ୍ଚିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁନିଫାଏଡ୍‌ ଡିଜିଟାଲ ଇନ୍‌ଫରମେସନ୍‌ ଅନ୍‌ ସ୍କୁଲ ଏଜୁକେସନ (ୟୁଡିଆଇଏସ୍‌ଇ) ରିପୋର୍ଟ ୨୦୨୫-୨୬ରେ ଏହା ଦେଖିବାକୁ ମିଳିଛି । ଏହି ରିପୋର୍ଟଟି ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି । 

ଗୁରୁବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଜାତୀୟସ୍ତରରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଡ୍ରପ୍‌ଆଉଟ ହାର କମିଛି । ୨୦୨୩- ୨୪ରେ ମାଧ୍ୟମିକ ସ୍ତରରେ ଡ୍ରପ୍‌ଆଉଟ୍‌ ହାର ୧୦.୯% ଥିଲା । ଏହା ୨୦୨୪-୨୫ରେ ୮.୨% ଥିବା ବେଳେ ଚଳିତବର୍ଷ ଆହୁରି ଖସି ୭% ପହଞ୍ଚିଛି । ସେହିପରି ଉଚ୍ଚପ୍ରାଥମିକ ସ୍ତରରେ ୫.୨% ଓ ୨୦୨୪-୨୫ରେ ୩.୫% ଥିବା ବେଳେ ୨୦୨୫-୨୬ରେ ସାମାନ୍ୟ ବଢ଼ି ୩.୬% ହୋଇଛି । ୨୦୨୩-୨୪ରେ ପ୍ରାଥମିକରେ ୩.୭%, ଗତବର୍ଷ ୨.୩% ଥିବା ବେଳେ ଚଳିତବର୍ଷ ୧.୮%କୁ କମି ଓଡ଼ିଶାରେ ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାଥମିକ ଶିକ୍ଷା ସ୍ତରରେ ଡ୍ରପ୍‌ଆଉଟ୍‌ ହାର ୦.୫%, ଉଚ୍ଚ ପ୍ରାଥମିକରେ ୧.୭%, ହାଇସ୍କୁଲରେ ୯.୧% ଥିଲା । ଏହା ବୃଦ୍ଧି ପାଇ ୨୦୨୪-୨୫ରେ ପ୍ରାଥମିକ ସ୍ତରରେ ୧.୪%, ଉଚ୍ଚ ପ୍ରାଥମିକରେ ୩.୨% ଓ ମାଧ୍ୟମିକରେ ୯.୮% ହୋଇଥିଲା । ୨୦୨୫- ୨୬ରେ ପ୍ରାଥମିକରେ ୦.୯%, ଉଚ୍ଚ ପ୍ରାଥମିକରେ ୨.୨%କୁ କମିଛି । ହେଲେ ମାଧ୍ୟମିକରେ ଗତବର୍ଷ ୯.୮% ଥିବା ବେଳେ ଚଳିତବର୍ଷ ୧୦% ହୋଇଛି । 

ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଚଳିତବର୍ଷ ଡ୍ରପ୍‌ଆଉଟ ହାର ମାଧ୍ୟମିକରେ ୩%, ପଶ୍ଚିମବଙ୍ଗରେ ୧.୫%, ଆନ୍ଧ୍ରପ୍ରଦେଶରେ ୭.୮% ଥିବା ବେଳେ ଅନ୍ୟ ରାଜ୍ୟ ମଧ୍ୟରେ ତେଲଙ୍ଗାନାରେ ୧.୭%, ବିହାରରେ ୬.୮%, ମେଘାଳୟାରେ ୫%, ମଣିପୁରରେ ୪.୮%, ମିଜୋରାମରେ ୭.୮%, ତାମିଲ୍‌ନାଡ଼ୁରେ ୪.୮%, ପୁଡୁଚେରୀରେ ୨.୫%, ମହାରାଷ୍ଟ୍ରରେ ୬.୨%, ରାଜସ୍ଥାନରେ ୭.୫%, ପଞ୍ଚାବରେ ୪.୮%, ଚଣ୍ଡିଗଡ଼ରେ ୩.୩%, ଉତ୍ତରାଖଣ୍ଡରେ ୫.୩%, ହିମାଚଳପ୍ରଦେଶରେ ୪.୮%, ଦିଲ୍ଲୀରେ ୭.୩%, ଗୋଆରେ ୫.୭% ଓ ଉତ୍ତରପ୍ରଦେଶରେ ୬.୪% ଡ୍ରପ୍‌ ଆଉଟ ହାର ରହିଛି ।

ଓଡ଼ିଶାରେ ଡ୍ରପ୍‌ ଆଉଟ୍‌ ହାର କମାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ଏହା କମିବା ବଦଳରେ ବଢ଼ୁଛି । ଯାହା ଚିନ୍ତାର ବିଷୟ ପାଲଟିଛି ।  କେବଳ ଡ୍ରପ୍‌ ଆଉଟ୍‌ ନୁହେଁ ରିପୋର୍ଟ କହୁଛି, ରାଜ୍ୟରେ ୬୧ ହଜାର ୫୯୪ ସ୍କୁଲ ଥିଲା ବେଳେ ୭୭, ୮୮, ୫୬୭ ପିଲା ପାଠ ପଢୁଛନ୍ତି । ପାଠ ପଢ଼ାଇବାକୁ ୩, ୪୧, ୯୦୯ ଶିକ୍ଷକ ଅଛନ୍ତି । ହାରାହାରି ପ୍ରତି ୨୩ ଜଣ ପିଲାଙ୍କୁ ପାଠ ପଢ଼ାଇବାକୁ ଜଣେ ଶିକ୍ଷକ ଅଛନ୍ତି । ଜାତୀୟସ୍ତରରେ ଆନୁପାତିକ ହାର ୨୪ ଥିଲାବେଳେ ପଡ଼ୋଶୀ ରାଜ୍ୟଗୁଡ଼ିକ ଠାରୁ ଓଡ଼ିଶା ଉନ୍ନତ ସ୍ଥିତିରେ ଅଛି । ଗତ ୨୦୨୪- ୨୫ ଶିକ୍ଷାବର୍ଷରେ ୧୦୮୯ ସ୍କୁଲ ଜଣେ ଲେଖାଏ ଶିକ୍ଷକଙ୍କୁ ନେଇ ଚାଲୁଥିଲା । ମାତ୍ର ଏବର୍ଷ ଅର୍ଥାତ୍‌ ୨୦୨୫-୨୬ ବର୍ଷରେ ୧୪୫୮ ସ୍କୁଲରେ ଜଣେ ଲେଖାଏ ଶିକ୍ଷକରେ ପାଠପଢ଼ା ହେଉଛି । ଏହି ସ୍କୁଲଗୁଡ଼ିକରେ ପଢୁଛନ୍ତି ୫୯ ହଜାର ୬୭୨ ପିଲା ।

ଅଧିକ ପଢ଼ନ୍ତୁ- Panchayat Elections : ୨୦୨୭ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ​​​​​​​