ଭୁବନେଶ୍ୱର,୦୯/୧୧: ଆସନ୍ତା ୧୧ରେ ନୂଆପଡ଼ା ଉପନିର୍ବାଚନ । ସେଥିପାଇଁ ଆଜି ଅପରାହ୍ଣ ୪ଟାରୁ ବନ୍ଦ ହେବ ପ୍ରଚାର । ଲାଗୁ ହେବ ନୀରବ ଅବଧି ବା ସାଇଲେନ୍ସ ପିରିୟଡ୍ । ତା’ ପୂର୍ବରୁ ନୂଆପଡ଼ାକୁ ନିର୍ବାଚନ ପ୍ରଚାର ପାଇଁ ବାହାରୁ ଯାଇଥିବା ସବୁ ଦଳର ନେତାକର୍ମୀ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଛାଡ଼ିବେ । ସବୁ କଲ୍ୟାଣ ମଣ୍ଡପ, ହୋଟେଲ, ଅତିଥି ନିବାସ ଯାଞ୍ଚ କରାଯିବ । ନୂଆପଡ଼ା ସୀମାରେ କଡ଼ାକଡ଼ି ଯାଞ୍ଚ ହେବ । କେବଳ ନିର୍ବାଚନ ପ୍ରଚାର ପ୍ରସାର ନୁହେଁ ନିର୍ବାଚନ ସମ୍ପର୍କିତ ମିଡିଆ କଭରେଜ୍, ସଭାସମିତିକୁ ମଧ୍ୟ ବାରଣ କରାଯାଇଛି । ଏସବୁ ନିୟମ ଉଲ୍ଲଂଘନକାରୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ, ଜରିମାନା କିମ୍ୱା ଉଭୟ ହୋଇପାରେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୂଚନା ଦେଇଛନ୍ତି ।
ସେହିପରି ସୋସିଆଲ୍ ମିଡିଆରେ ବିଭ୍ରାନ୍ତିକର ସୂଚନା ପଠାଇବାରୁ ନିବୃତ୍ତ ରହିବାକୁ ସିଇଓ ପରାମର୍ଶ ଦେଇଛନ୍ତି । ଏପରି କଲେ ପରିଣାମ ଗମ୍ଭୀର ହୋଇପାରେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏକ ଜାତୀୟ ଦଳର ଜଣେ ବିଶିଷ୍ଟ ନେତା ଏବଂ ସମ୍ପୃକ୍ତ ଦଳର ଜଣେ ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ବିଭ୍ରାନ୍ତିକର ଫଟୋ ଏଆଇ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହି ଫଟୋ ପୋଷ୍ଟ କରାଯାଇଥିବାବେଳେ ତାଙ୍କୁ ଚିହ୍ନଟ କରାଯାଇଛି । ପୋଷ୍ଟକୁ ଯାଞ୍ଚ ପରେ ଏହା ମିଥ୍ୟା ଏବଂ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ ହୋଇଛି । ଏଭଳି ବିଭ୍ରାନ୍ତିକର ସୂଚନାର ପ୍ରଚାର ପ୍ରସାର ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । ତେଣୁ ସିଇଓ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସୋସିଆଲ ମିଡିଆକୁ ସତର୍କତାର ସହ ବ୍ୟବହାର କରିବା, ବିଭ୍ରାନ୍ତିକର ସୂଚନା ଓ ଫୋଟୋର ପ୍ରଚାର ପ୍ରସାରରୁ ନିବୃତ୍ତ ରହିବାକୁ ସିଇଓ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନ ପାଇଁ ନଭେମ୍ବର ୧୧ରେ ମତଦାନ ହେବ । ୧୪ରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ।