ଭୁବନେଶ୍ୱର,୦୫/୦୬: ଲି ବ୍ଲିସ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ  ଚଳଚ୍ଚିତ୍ର "ଆଇ ଆମ୍‌ କାଳିଆ- ଲଭ୍‌ ଅର୍‌ ଡିଭୋସନ୍‌?’ର ଫାଷ୍ଟ୍‌ ଲୁକ୍‌ ବୁଧବାର  ସନ୍ଧ୍ୟାରେ ଉନ୍ମୋଚନ ହୋଇଛି । ଚଳଚ୍ଚିତ୍ରର  ପୂରା ଟିମ୍‌ ଏବଂ ବିଶିଷ୍ଟ ଅତିଥିବୃନ୍ଦ ଯୋଗଦେଇ  ଏହାକୁ ଉନ୍ମୋଚନ କରିଥିଲେ । ଆଜିକା ସମୟରେ  ମହାପ୍ରଭୁଙ୍କୁ ଖୁବ୍‌ ଭକ୍ତି କରୁଥିବା, ତାଙ୍କ ପାଇଁ  ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥିବା ଅନେକ  ବ୍ୟକ୍ତି ଆମ ସମାଜରେ ଅଛନ୍ତି,  ଯେଉଁମାନେ ଲୋକଲାଚନକୁ  ଆସିପାରନ୍ତି ନାହିଁ । ସେମିତି ଏକ  ହୃଦୟସ୍ପର୍ଶୀ ସାମାଜିକ କାହାଣୀକୁ  ନେଇ ନିର୍ମାଣ ହୋଇଛି ‘ଆଇ ଆମ୍‌ କାଳିଆ’ ।  

ସୁବାସ ସାହୁ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ମୁଖ୍ୟ  ଭୂମିକାରେ ହରିହର ମହାପାତ୍ର ଅଭିନୟ କରିଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ଋଷିଆର ପରିଚିତ ଥିଏଟର  ଅଭିନେତ୍ରୀ ଅନିୟା, ଅଭିନେତ୍ରୀ ପୁଷ୍ପା ପଣ୍ଡା,  ଅଭିନେତା କୁନା ତ୍ରିପାଠୀ, ସାତ୍ୟକି ମିଶ୍ର ପ୍ରମୁଖ  ଅଭିନୟ କରିଛନ୍ତି । କାହାଣୀ ଡା. ମୋନାଲିସା  ମହାପାତ୍ର ରଚନା କରିଥିଲା ବେଳେ ଚିତ୍ରନାଟ୍ୟ ଓ  ନିର୍ଦ୍ଦେଶନା ଦେଇଛନ୍ତି ନିଜେ ହରିହର ମହାପାତ୍ର ।  ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାଶ, ସହ ନିର୍ଦ୍ଦେଶନା ଆଶିଷ ବେହେରା, ଚିତ୍ର ଉତ୍ତୋଳନ  କରିଛନ୍ତି କାହ୍ନୁ ନନ୍ଦ ଶୁଭମ୍‌ । ପ୍ରଡକ୍ସନ୍‌ ଡିଜାଇନ୍‌ ସାରଦା ନାୟକ କରିଥିବା ବେଳେ ପ୍ରଚାର ଦାୟିତ୍ୱରେ  ରହିଛନ୍ତି ପ୍ରଣୟ ଜେଠୀ ଏବଂ ଉପଦେଷ୍ଟା ଅଛନ୍ତି  ଅମୀୟ ମହାରଣା । ଶ୍ରୀକ୍ଷେତ୍ର ପୁରୀରେ ଚଳଚ୍ଚିତ୍ରର  ସମ୍ପୂର୍ଣ୍ଣ ସୁଟିଂ ହୋଇଛି । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଜଣେ ବିଦେଶୀ ଅଭିନେତ୍ରୀଙ୍କୁ ନେଇ  ନିର୍ମିତ ଏହା ଚତୁର୍ଥ ଓଡ଼ିଆ ସିନେମା । ବଡ଼କଥା ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ  ଚଳଚ୍ଚିତ୍ରଟି ସାରା ଓଡ଼ିଶାରେ ମୁକ୍ତିଲାଭ କରିବ  ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଜି ଫାଷ୍ଟ୍‌  ଲୁକ୍‌ ଉନ୍ମୋଚନ ପର୍ବରେ ଘୋଷଣା ହୋଇଛି ।