ଭୁବନେଶ୍ୱର,୦୯/୧୧: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ୧୫ ଶିଳ୍ପ  ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ରାଜ୍ୟକୁ  ୩୩୫୩.୧୫ କୋଟିର ନିବେଶ ଆସିବ ଏବଂ  ୪୬୩୭ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ଓଡ଼ିଶା ଟେକ୍ସଟାଇଲ ମାନୁଫାକଚରିଂ  ଖୋର୍ଦ୍ଧାରେ ବୟନ ବର୍ଜ୍ୟବସ୍ତୁରୁ ପ୍ରକ୍ରିୟାକୃତ ସୂତା  ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି । ଏହି ୟୁନିଟରେ  ୫୩୫ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି  ହେବ । ଆଇଟିସି ଭୁବନେଶ୍ୱରରେ ଏହାର  ୫ ଷ୍ଟାର ୱେଲ୍‌କମ ହୋଟେଲ୍‌କୁ ସମ୍ପ୍ରସାରଣ  କରିବ । ଏଥିରେ ୧୧୯ କୋଟି ଟଙ୍କା ନିବେଶ  ସହ ଅତିରିକ୍ତ ୨୪୦ ନିଯୁକ୍ତି ସୃଷ୍ଟି ହେବ । 

ଏସ୍‌ଜେ ଜେଆର୍‌ଜି ଭେଞ୍ଚର୍ସ ଏଲ୍‌ଏଲ୍‌ପି  ୧୦୦ କୋଟି ବିନିଯୋଗରେ ପୁରୀରେ ହୋଟେଲ  ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର (ଲାଇଫ୍‌  ଗ୍ରୁପ ଅଫ୍‌ ହୋଟେଲ୍‌ସ) କୋରାପୁଟରେ ୫୦  କୋଟି ନିବେଶରେ ୪ ଷ୍ଟାର ରିସର୍ଟ ସୁବିଧା କରିବ ।  ୨ ପ୍ରକଳ୍ପ ଦ୍ୱାରା ୩୮୦ ନିଯୁକ୍ତି ସୃଷ୍ଟି ହେବ । 

ରାଜ୍ୟରେ ରିଲାଏନ୍ସ ବାୟୋ ଏନର୍ଜି  କମ୍ପ୍ରେସଡ ବାୟୋ ଗ୍ୟାସ ଏବଂ ପରମେଣ୍ଟେଡ  ମାନ୍ୟୁର ପ୍ଲାଣ୍ଟ ଅର୍ଗାନିକ ମାନ୍ୟୁର ପ୍ଲାଣ୍ଟ ପୁରୀରେ  ସ୍ଥାପନ କରିବ । ୧୨୧ କୋଟି ଟଙ୍କା ଏହି ୟୁନିଟରେ  ନିବେଶ ହେବ । କଟକରେ ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିଜ  ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ପଞ୍ଜ ଆଇରନ,  ବିଲେଟ, ଫେରୋ ଆଲୟ, ସିଣ୍ଟର ସହ ଏକ  କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ବସାଇବ । ଏଠାରେ ୮୦୦  ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ଝାରସୁଗୁଡ଼ାରେ ଏଚ୍‌ଏମ୍‌ ପାୱାର  ଆଣ୍ଡ୍‌ କେବଲ ଲିମିଟେଡ ଆଲୁମିନିୟମ  କଣ୍ଡକ୍ଟର, ପାୱାର କେବଲ ଏବଂ ୱେୟାର  ମାନୁଫାକଚରିଂ ୟୁନିଟ୍‌ ୫୫.୭୨ କୋଟି  ଟଙ୍କା ବିନିଯୋଗରେ ବସାଇବ । ନେକ୍ସ  ଥର୍ମାଲ ଏସିଆ ଲିମିଟେଡ ଖୋର୍ଦ୍ଧାରେ ହିଟିଂ  ଏଲିମେଣ୍ଟ କାରଖାନା ବସାଇବାକୁ ଯାଉଛି ।  

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ  ୧୫୪୨ କୋଟି ଟଙ୍କା ବିନିଯୋଗ କରିବେ  କମ୍ପାନି । ଖୋର୍ଦ୍ଧାରେ ଭୁବନେଶ୍ୱରୀ ଫୁଡ୍‌ସ  ଆଣ୍ଡ୍‌ ବେଭରେଜ ୟୁନିଟ ଆସିବ । ଏଥିରେ  ୮୦୦ କୋଟି ଟଙ୍କା ନିବେଶ କରିବ କମ୍ପାନି । ସେହିଭଳି ଅବାନ ବେଭରେଜ, ୬୨୨ କୋଟି  ଟଙ୍କା ବିନିଯୋଗରେ ଖାଦ୍ୟ ପ୍ରକ୍ରିୟାକରଣ  ୟୁନିଟ, ଜିଓ ଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ,  ଆଭିରା ଡିଷ୍ଟିଲେରୀ ଭଳି କମ୍ପାନିଗୁଡ଼ିକ ମଧ୍ୟ  ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ  ନିବେଶ କରିବାକୁ ଯାଉଛନ୍ତି । ଏସବୁ  ନିବେଶ ଦ୍ୱାରା ୧୩୫୦ ନିଯୁକ୍ତି ସୃଷ୍ଟି ହେବ । 

ସେହିଭଳି ଇଫ୍ୟୁନେକ୍ସ ପ୍ରାଇଭେଟ  ହେଲ୍‌ଥକେୟାର କଟକରେ ଇନଟ୍ରାଭେନସ  ଫ୍ଲୁଇଡ ୟୁନିଟ୍‌ ସ୍ଥାପନ କରିବ । କଟକରେ  ଅଲ୍‌ଟ୍ରାଟେକ ସିମେଣ୍ଟ ଏହାର ଉତ୍ପାଦନ ୟୁନିଟ  କ୍ଷମତା ୩ରୁ ୬ ନିୟୁତ ଟନ୍‌କୁ ବୃଦ୍ଧି କରିବ ।  ଏଥିରେ କମ୍ପାନି ୩୭୨ କୋଟି ଟଙ୍କା ନିବେଶ  କରିବ ଏବଂ ୫୮୧ ଲୋକଙ୍କୁ ନିଯୁକ୍ତି ମିଳିବ ।