କେନ୍ଦୁଝର,୦୭/୧୨: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ନିଜ ଜିଲ୍ଲା କେନ୍ଦୁଝର ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ନିଜ ଜିଲ୍ଲା ଗସ୍ତ ନୁହେଁ, ଜିଲ୍ଲାର ମୂଳ ସାଂସ୍କୃତିକ ପରିଚୟ ମା' ତାରିଣୀଙ୍କ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ଦିଷ୍ଟ । ଏଥିପାଇଁ ନୂଆ ଯୋଜନା ନେଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ମା'ତାରିଣୀଙ୍କ ପୀଠ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ମାନଚିତ୍ରରେ ଏକ ବିଶେଷ ସ୍ଥାନ ରଖେ ।

ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ କେନ୍ଦୁଝର ବିକାଶ ପାଇଁ ତାଙ୍କର ବଡ଼ ଯୋଜନାର ଏକ ପ୍ରମୁଖ ଅଂଶ ହେଉଛି ମା' ତାରିଣୀଙ୍କ ପୀଠର ବିକାଶ । ଏହାକୁ ବିଶ୍ୱସ୍ତରୀୟ କରାଯିବ। ଏଥିପାଇଁ ରବିବାରଠୁ ଆରମ୍ଭ ହେବ ମା'ଙ୍କ ପୀଠର କାୟାକଳ୍ପ । ମୁଖ୍ୟମନ୍ତ୍ରୀ ପାଖାପାଖି ୬୦ ଏକର ଜମି ଉପରେ ମା'ତାରିଣୀ ମନ୍ଦିରର ସର୍ବାଙ୍ଗୀନ ବିକାଶର ମୂଳଦୁଆ ରଖିବେ। ଏହି ପ୍ରକଳ୍ପ ସମୁହରେ ୩୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁମୋଦନ ଦିଆଯାଇଛି । ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଲୋକଙ୍କ ଏକ ସଙ୍ଗେ ପ୍ରସାଦସେବନର ବ୍ୟବସ୍ଥା, ନଡ଼ିଆ ଗୋଦାମ ସହିତ ମା'ତାରିଣୀ ମନ୍ଦିର ସମ୍ବନ୍ଧିତ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଜେ ଯୋଜନା କରିଛନ୍ତି । ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ୍ ଟାୱାର ଆଦି ନିମନ୍ତେ ମଧ୍ୟ ସେ ଯୋଜନା କରିଛନ୍ତି ।

ମା'ତାରିଣୀ ମନ୍ଦିର ସଂଲଗ୍ନ ଅଞ୍ଚଳଗୁଡିକର ବିକାଶ ସହ ଯାତ୍ରୀ ସୁବିଧା ପାଇଁ ପାଖ ଅଞ୍ଚଳରେ ଅନେକ ଆନୁସଙ୍ଗିକ ବ୍ୟବସ୍ଥାର ଯୋଜନା ହୋଇଛି ଯଥା: ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଜଳ ଯୋଗାଣ, ବିଦ୍ୟୁତ ଏବଂ ଆଲୋକୀକରଣ ବ୍ୟବସ୍ଥା, ଡ୍ରେନେଜ୍ ସୁବିଧା, ମନ୍ଦିର ସୀମା ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସମେତ ମନ୍ଦିର ଭିତରେ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡି ପରିଚାଳନା ପାଇଁ ବ୍ୟବସ୍ଥା ଏହି ଯୋଜନାରେ ସାମିଲ ଅଛି । ପୁଷ୍କରିଣୀ ଆମ ଧର୍ମୀୟ ଭାବନାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଧ୍ୟାନରେ ରଖି ବୃହତ୍ ପୁଷ୍କରିଣୀର ବିକାଶ, ଛୋଟ ପୁଷ୍କରିଣୀ ତଥା ମନ୍ଦିରର ପଛ ପାଶ୍ୱର୍ରେ ପୁଷ୍କରିଣୀ ଏବଂ ଶିଶୁ ଖେଳ ପଡ଼ିଆ ନିକଟରେ ପୁଷ୍କରିଣୀକୁ ସୁଦୃଶ୍ୟ କରାଯିବ ।

ସଡ଼କ ବିକାଶ ଏହି ଯୋଜନାର ପ୍ରମୁଖ ଅଙ୍ଗ । ଜାତୀୟ ରାଜପଥ ତଥା ହରିଚନ୍ଦନପୁରକୁ ୧୨ ମିଟର ଚଉଡ଼ା ରାସ୍ତା ସଂଯୋଗ କରିବ । ଏହା ସହ ମନ୍ଦିର ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ୍ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ଐତିହାସିକ ହେବ ବୋଲି ସାଧାରଣ ଲୋକେ ମତ ବ୍ୟକ୍ତ କରୁଛନ୍ତି । କେନ୍ଦୁଝର ଓଡ଼ିଶାର ଅର୍ଥନୀତି ବିକାଶରେ ଦୀର୍ଘ ଦଶନ୍ଧି ଧରି ବଡ଼ ଭୂମିକା ନେଇ ଆସିଛି । ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ କେଉଁଝର ଜିଲ୍ଲାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଲୋକଙ୍କ ମନରେ ଉତ୍ସାହ ଆଣିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜିଲ୍ଲାରେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକ ଖୁବ୍ ଉତ୍ସାହିତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାର ଭକ୍ତଙ୍କ ମହଲରେ ବିପୁଳ ଉତ୍ସାହ ଦେଖାଦେଇଛି । ପାଖାପାଖି ୩୦ ହଜାର ଲୋକେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସୂଚନା ମିଳିଛି ।