ଭୁବନେଶ୍ୱର,୨୪/୧୦: ଓଡ଼ିଶା ମାନବାଧିକାର କମିଶନ(ଓଏଚ୍ଆରସି)ରେ ଏବେ ସମସ୍ତ ମାମଲା ଭିଡିଓ କନଫରେନ୍ସିଂ(ଭିସି) ମାଧ୍ୟମରେ ଶୁଣାଣି ହେବ । ଶୁଣାଣି ସୁଚାରୁରୂପେ ସମ୍ପାଦନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି କମିଶନ । ଏହି ପ୍ରକ୍ରିୟାକୁ ଏକୀକୃତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ କମିଶନ ନିୟମ ଓ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଆସନ୍ତା ୨୭ ତାରିଖଠାରୁ ସମସ୍ତ ବେଞ୍ଚ ଭିସି ମାଧ୍ୟମରେ ଶୁଣାଣି କାର୍ଯ୍ୟକାରୀ କରାଯିବ ।
କମିଶନଙ୍କ ସମସ୍ତ ବେଞ୍ଚ "ଗୁଗୁଲ ମିଟ୍' ପ୍ଲାଟଫର୍ମ ମାଧ୍ୟମରେ ଭିଡିଓ କନଫରେନ୍ସିଂ ମୋଡ୍ ସହିତ ଫିଜିକାଲ୍ ମୋଡ୍ କାର୍ଯ୍ୟ ସଂପାଦନ କରିବେ । ଯେଉଁ ପକ୍ଷ/ପରାମର୍ଶଦାତାମାନେ ଦୂରଦୁରାନ୍ତରୁ ଭର୍ଚୁଆଲ୍ରେ ଉପସ୍ଥିତ ହେବାକୁ ଇଚ୍ଛୁକ, ସେମାନେ ଅଭିଯାଗକାରୀଙ୍କ ନାମ, ମାମଲା ନମ୍ୱର, ବେଞ୍ଚ ନାମ ଏବଂ ଭିସି ମାଧ୍ୟମରେ ହାଜର ହେବାକୁ ଇଚ୍ଛିକ ବ୍ୟକ୍ତିଙ୍କ ବିବରଣୀ ଫର୍ମ ଭରି ଶୁଣାଣି ପୂର୍ବ ତାରିଖ ଅପରାହ୍ନ ୪ଟା ସୁଦ୍ଧା କମିଶନଙ୍କ ଇ-ମେଲ୍ ଏସ୍ଏଚ୍ଆର୍ସିଓଡିଆଇଏସ୍ଏଚ୍ଏବିବିଏସ୍ଆର୍ଅ ଜିମେଲ୍ଡଟ୍ କମ୍ରେ ପଠାଇବା ଆବଶ୍ୟକ । ଶୁଣାଣି ଦିନ ପଠାଯାଇଥିବା କୌଣସି ଇ-ମେଲ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ପକ୍ଷ ଓ ଓକିଲମାନେ ଶୁଣାଣି ଦିନ ସକାଳ ୧୧ ଟାରୁ କମିଶନଙ୍କ ୱେବ୍ସାଇଟ୍ ଓଏଚ୍ଆର୍ସିଡଟ୍ ଏନ୍ଆଇସିଡଟ୍ଇନ୍ରେ ଭିଡିଓ ଲିଙ୍କ ଏବଂ ସମୟ ଦେଖିପାରିବେ । ନିର୍ଦ୍ଦିଷ୍ଟ ସମୟର ୫ ମିନିଟ୍ ପୂର୍ବରୁ ଭିଡିଓ କନଫରେନ୍ସିଂରେ ଯୋଗଦେବାକୁ ପଡ଼ିବ । କୌଣସି ବ୍ୟକ୍ତି କିମ୍ୱା ସଂସ୍ଥାଙ୍କ ଦ୍ୱାରା ଅନଧିକୃତ ଅଡିଓ କିମ୍ୱା ଭିଡିଓ ରେକର୍ଡିଂ କରାଯିବ ନାହିଁ । ଅଂଶଗ୍ରହଣକାରୀମାନେ ମର୍ଯ୍ୟାଦା ସହିତ ସଂଯମ ପୋଷାକ ପିନ୍ଧିବେ । ପୁଲିସ୍ ଅଧିକାରୀମାନେ ନିର୍ଦ୍ଧାରିତ ଆଇନ୍ ଓ ନିୟମ ଅନୁଯାୟୀ ସରକାରୀ ୟୁନିଫର୍ମରେ ଉପସ୍ଥିତ ରହିବାକୁ କମିଶନ କହିଛନ୍ତି । ଭିଡିଓ କନଫରେନ୍ସିଂ ସମୟରେ ଯଦି କୌଣସି ଅନାବଶ୍ୟକ ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ଅଧ୍ୟକ୍ଷ ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟଧାରାକୁ ହଠାତ ବନ୍ଦ କରାଯାଇପାରେ । ଭିଡିଓ କନ୍ଫରେନ୍ସିଂ ସମ୍ୱନ୍ଧୀୟ ଯେକୌଣସି ସମସ୍ୟା ପାଇଁ ଦେଖା ଦେବ ତା’ହେଲେ ୭୬୫୬୮୪୯୬୦୩ରେ ସମ୍ପର୍କ କରିବାକୁ କମିଶନ ଜଣାଇଛନ୍ତି ।