ଭୁବନେଶ୍ୱର,୨୯/୦୬: ଆଜିଠୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ତିନିଦିନ ଧରି ନିର୍ବାଚନ ପ୍ରକ୍ରିୟା ଚାଲିବ । ଏହାପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯିବ । ଦୀର୍ଘ ଅପେକ୍ଷା ପରେ ଶେଷରେ ଅଟକି ରହିଥିବା ରାଜ୍ୟ ସଭାପତି ଚୟନ ପାଇଁ ବିଜେପି ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟ ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର  ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିର୍ବାଚନ ନେଇ ବିସ୍ତୃତ ସୂଚନା ଦେଇଛନ୍ତି । 

ସେ କହିଛନ୍ତି,  ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି ଓ ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଏବେ ରାଜ୍ୟ ସଭାପତି ନିର୍ବାଚନ  ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଚାଲିବ । ଜୁଲାଇ ୧ ସୁଦ୍ଧା ରାଜ୍ୟର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ୍‌ଙ୍କୁ ପର୍ଯ୍ୟବେକ୍ଷକ ଭାବେ  ନିଯୁକ୍ତି ଦିଆଯାଇଛି । ସେ ନିର୍ବାଚନ ପ୍ରକ୍ରିୟା  ପରିଚାଳନାକୁ ତଦାରଖ କରିବେ । ନିର୍ବାଚନ  ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ତତ୍କାଳ  ଓଡ଼ିଶା ଆସିବେ । 

ପ୍ରତି ୩ ବର୍ଷରେ ଥରେ ବିଜେପିର  ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ ।  ଏଥର ସାଙ୍ଗଠନିକ ନିର୍ବାଚନ ୨୦୨୪ ବୁଥ୍‌ରୁ  ନେଇ ରାଷ୍ଟ୍ରୀୟ ସଭାପତି ଚୟନରେ ଶେଷ  ହେବ । ରାଜ୍ୟ ସଭାପତିଙ୍କ ନାଁ ଘୋଷଣା  ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି  କୁହାଯାଉଛି । ରଥଯାତ୍ରା ପରେ ମନ୍ତ୍ରିମଣ୍ଡଳ  ସମ୍ପ୍ରସାରଣ ଓ ଅଦଳବଦଳ ହେବ । ଏଥିସହ  ଖାଲି ପଡ଼ିଥିବା ନିଗମ ଓ ବୋର୍ଡର ଅଧ୍ୟକ୍ଷ  ପଦବିରେ ନିଯୁକ୍ତି କରାଯିବ । ସରକାର ବର୍ଷ  ପୂର୍ତ୍ତି ପାଳନ କରୁଥିବାରୁ ସଂଗଠନକୁ ମଧ୍ୟ ସମାନ  ଗୁରୁତ୍ୱ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ଯୋଜନା  କରିଛନ୍ତି । ଏବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ  ତୋମାର ଓଡ଼ିଶାରେ ଅଛନ୍ତି । ଖୁବ୍‌ଶୀଘ୍ର ନିର୍ବାଚନ  ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଆସି ପହଞ୍ଚିବେ।  ରଥ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ/ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆଗେଇବ  ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।