ଭୁବନେଶ୍ୱର,୨୦/୦୭: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ରିପୋର୍ଟ ଦେଲା । ଏହାକୁ ଆଧାର କରି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ଏପରିକି ଷଡ଼ଯନ୍ତ୍ରର ଗନ୍ଧ ବାରିଲେ, ସେଥିଲାଗି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି)କୁ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଲେ । ହେଲେ ଛାତ୍ରଛାତ୍ରୀ କିପରି ପାଠ ପଢ଼ିବେ କାହାର ଚିନ୍ତା ନାହିଁ । ଏହି ବାଦ ବିବାଦକୁ ପ୍ରାୟ ଏକ ମାସ ହୋଇଗଲାଣି । ହେଲେ ଏଯାବତ ଶିକ୍ଷକଙ୍କ ପାଖେ ସଂଶୋଧିତ ପୁସ୍ତିକା ପହଞ୍ଚିଲା ନାହିଁ । ପିଲାମାନେ ସେହି ତ୍ରୁଟିପୂର୍ଣ୍ଣ ବହିରେ ପାଠପଢ଼ୁଛନ୍ତି । କେବେ ପିଲାଙ୍କ ପାଖେ ସଂଶୋଧିତ ବହି ପହଞ୍ଚିବ ତାହା କେହି ଜାଣି ନାହାନ୍ତି କି କାହାରି ପାଖେ ଉତ୍ତର ମଧ୍ୟ ନାହିଁ ।

ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ନେଇ ‘ପ୍ରମେୟ’ ପ୍ରଥମେ ଲୋକଲୋଚନକୁ ଆଣିଲା । ଖବର ପ୍ରକାଶ ପରେ ଜୁନ୍ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡକାଇଲେ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି କରି ୭ଦିନରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ । ଜୁନ୍ ୨୬ ତାରିଖରେ ତଦନ୍ତ କମିଟିର ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ୪ଜଣଙ୍କୁ ନିଲମ୍ବିତ କରିବା ସହ ୬ଜଣ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ । ଏଥିସହ କମିଟିର ୧୪ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଗଲା । ଏଥିରେ ଥିଲା ୭ ଦିନ ମଧ୍ୟରେ ମୁଖ୍ୟ ତ୍ରୁଟି ସଂଶୋଧିତ ପୁସ୍ତିକା ପ୍ରକାଶ କରାଯିବ । ଛାତ୍ରଛାତ୍ରୀଙ୍କୁ ସଂଶୋଧିତ୍ ସିଟ୍ ପ୍ରଦାନ କରାଯିବ । ଏକ ସାର୍ବଜନୀନ ତ୍ରୁଟି ସଂଶୋଧନ ପୋର୍ଟାଲ ଖୋଲାଯିବ । ପାଠ୍ୟପୁସ୍ତକରେ ଥିବା ଭୁଲ୍ ଥିବା ପୃଷ୍ଠାକୁ ବଦଳାଇ ସେଠାରେ ନୂଆ ପୃଷ୍ଠା ପ୍ରିଣ୍ଟିଂ କରି ଯୋଗାଇ ଦିଆଯିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୃଷ୍ଠା ଯୋଗାଇ ଦିଆଯିବ । ସଂଶୋଧିତ ପିଡିଏଫ୍‌କୁ ଅଫିସିଆଲ୍ ଶିକ୍ଷଣ ସଂସ୍କରଣ ଭାବେ ଘୋଷଣା କରାଯିବ । ଶିକ୍ଷକଙ୍କ ପାଇଁ ତୁରନ୍ତ ସଂଶୋଧନ ସଂପର୍କିତ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଅଧିକ ପଢ଼ନ୍ତୁ :-  Text Book Error: ଏସ୍ସିଇଆର୍ଟିରେ ଘାଣ୍ଟୁଛି କ୍ରାଇମ୍ବ୍ରାଞ୍ଚ; ମୂଳ ପାଣ୍ଡୁଲିପି ଜବତ, ଯାଞ୍ଚ୍ କରିବେ ବିଶେଷଜ୍ଞ

ଏହାପରେ ଜୁଲାଇ ୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଗଲା । କୁହାଗଲା, ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରାଯାଇ ପାଠପଢ଼ା ଚାଲୁ ରହିବ । ସରକାର ଯଥା ଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଉଛି । ଖୁବ୍ ଶୀଘ୍ର ସଂଶୋଧିତ ବହି ଆମ ବିଭାଗ ଏବଂ ଓସେପାର ୱେବ୍‌ସାଇଟ୍‌ରେ ଅପଲୋଡ୍ ହେବ । ଏହାକୁ ଶିକ୍ଷାବିତ୍ ଏବଂ ଜନସାଧାରଣଙ୍କ ମତାମତ ପାଇଁ ଆହ୍ୱାନ କରାଯିବ । ସମସ୍ତଙ୍କ ମତାମତକୁ ବିଚାର କରି ସଂଶୋଧିତ ବହି ପ୍ରସ୍ତୁତ କରାଯିବ । ଠିକ୍ ଏହାର ପରଦିନ ବିଭାଗ ପକ୍ଷରୁ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏସ୍‌ସିଇଆର୍‌ଟି ଏବଂ ଓସେପା ୱେବ୍‌ସାଇଟ୍‌ରେ ଦିଆଗଲା । ଏହି ପୁସ୍ତକ ଗୁଡ଼ିକ ସଂପର୍କରେ ଜନସାଧାରଣ ଓ ଶିକ୍ଷାବିତ୍‌ଙ୍କ ମତାମତ ପାଇଁ ଆହ୍ୱାନ କରାଗଲା । ଏନେଇ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଗଲା । ଏସ୍‌ସିଇଆର୍‌ଟି ୱେବ୍‌ସାଇଟ୍‌ରେ ‘ମହାନ୍ ବିପ୍ଲବୀ ମାଧୋ ସିଂହ’ ସଂଶୋଧିତ ପ୍ରସଙ୍ଗକୁ ଅପଲୋଡ୍ କରାଯାଇଛି । ସେହିପରି ସପ୍ତମଶ୍ରେଣୀର ସାହିତ୍ୟ ସୁମନ ପାଠ୍ୟପୁସ୍ତକର ସଂଶୋଧିତ ପୁସ୍ତିକା ଅପଲୋଡ୍ କରାଯାଇଛି । ଓସେପା ୱେବ୍ସାଇଟ୍ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସଂଶୋଧିତ ପାଠ୍ୟପୁସ୍ତକକୁ ମଧ୍ୟ ଅପଲୋଡ୍ କରାଯାଇଛି । ହେଲେ କୁହାଯାଇଥିବା ସଂଶୋଧିତ ପୁସ୍ତିକା ଏଯାବତ ସ୍କୁଲରେ ପହଞ୍ଚିନି । ଯାହାକୁ ନେଇ ଏବେ ଚିନ୍ତାରେ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ।

ଅନ୍ୟପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ସରକାର ନିର୍ଦ୍ଦେଶ ଦେଲେ ୭ ଦିନ ମଧ୍ୟରେ ସଂଶୋଧିତ ପୁସ୍ତିକା ସ୍କୁଲକୁ ଦିଆଯିବ । ହେଲେ ୭ ଯାଇ ମାସେ ପାଖାପାଖି ହେଲାଣି କୌଣସି ସଂଶୋଧିତ ପୁସ୍ତିକା ପହଞ୍ଚିନି । ଶିକ୍ଷକମାନେ ଯେତିକି ପାରୁଛନ୍ତି ସେତିକି ସଂଶୋଧନ କରି ପଢ଼ାଉଛନ୍ତି । ଏପରିକି ସଂଶୋଧିତ ବହି ଏହି ଶିକ୍ଷାବର୍ଷ ଦିଆଯିବ କହିଲେ, ହେଲେ ଏଯାବତ ଛପା ଯାଇଥିବା ପୂର୍ବ ବହି ମଧ୍ୟ ପିଲାଙ୍କ ପାଖେ ପହଞ୍ଚିନି ।

ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ବିଭିନ୍ନ ସୋପାନକୁ ଅନୁସରଣ କରାଯାଇନାହିଁ । ପ୍ରତି ବିଷୟ ପାଇଁ ସ୍ୱତନ୍ତ୍ର ରିସୋର୍ସ ପର୍ସନ ନିୟୋଜିତ ହୋଇନଥିଲେ । ରିସୋର୍ସ ପର୍ସନଙ୍କୁ ନେଇ କୌଣସି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ କରାଯାଇନାହିଁ । ସଂପାଦନା ମଣ୍ଡଳୀର ହାତ ଲେଖାରେ ଡିଟିପି ହୋଇଛି । ମୁଦ୍ରଣ ପାଇଁ ଯିବା ପୂର୍ବରୁ ଚୂଡ଼ାନ୍ତ ସମୀକ୍ଷା ତଥା ପ୍ରୁଫ୍ ରିଡରଙ୍କ ଦ୍ୱାରା ଯାଞ୍ଚ କରାଯାଇନାହିଁ । ଭାଷା ଶୁଦ୍ଧତା ଆଣିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଇଂରାଜୀ ପାଇଁ ଇଏଲ୍‌ଟିଆଇ, ଗଣିତ ପାଇଁ ଗଣିତ ପ୍ରତିଷ୍ଠାନକୁ ଦିଆଯିବା କଥା ତାହା କରାଯାଇନାହିଁ। ଏପରିକି ଚୂଡ଼ାନ୍ତ ମୁଦ୍ରଣ ପୂର୍ବରୁ ଟ୍ରାଏଲ୍ ପାଠ୍ୟପୁସ୍ତକ ଆସିବା କଥା ତାହା ମଧ୍ୟ ହୋଇନି । ଏପରିକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମୋଟ ୫୫ଟି ପାଠ୍ୟପୁସ୍ତକରୁ ୫୨ଟି ବିଷୟର ପାଠ୍ୟପୁସ୍ତକ ମୁଦ୍ରଣ କରାଯାଇଛି । ହେଲେ ୩ଟି ଉର୍ଦ୍ଦୁ ପାଠ୍ୟପୁସ୍ତକ ଏଯାବତ ଛପା ହୋଇନି । ଅନ୍ୟପଟେ ପାଠ୍ୟପୁସ୍ତକ ଘଟଣାରେ କ୍ର।ଇମ୍‌ବ୍ରାଞ୍ଚ ରାଜ୍ୟ ବାହାରର କିଛି ଲିଙ୍କ୍‌ର ସୁରାକ ପାଇଛି । ଆସନ୍ତା ଦିନରେ କ୍ରାଇମ୍‌ବ୍ରାଞ୍ଚର ଟିମ୍ ରାଜ୍ୟ ବାହାରକୁ ଯାଇ ସେଠାରେ ତଦନ୍ତ କରିବା ସହ କିଛି ଅଧିକାରୀଙ୍କୁ ଜେରା କରିବାର ଯୋଜନା ପ୍ରସ୍ତୁତ କରିଛି ।