ଭୁବନେଶ୍ୱର, ୨୯/୦୫: ଶୁକ୍ରବାରଠାରୁ ତାତି ଆହୁରି କମିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଗତ କିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ଜ୍ୱାଳାରେ ସାମୟିକ ବ୍ରେକ୍ ଲାଗିପାରେ । ଏଭଳି ଆଶା ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଆସନ୍ତା ୨୯ ଓ ୩୦ ତାରିଖରେ କାଳବୈଶାଖୀର ପ୍ରଭାବ ବଢ଼ିବ । ଏଥିପାଇଁ ତାତି କମିଯିବ । ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ । ଆସନ୍ତା ୪ ଓ ୬ ତାରିଖ ଯାଏ ତାତି କମ୍ ରହିବ ବୋଲି ସେ କହିଛନ୍ତି । ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ଦୁଇ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିଯିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୫ ଡିଗ୍ରୀରୁ ୩୭ ଡିଗ୍ରୀକୁ ଖସିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି କମିବ ।
ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ଆକଳନ ଅନୁସାରେ, ୧ରୁ ୩ ତାରିଖ ଯାଏ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଅଧିକ ବର୍ଷା ହେବ । ୨୮ରୁ ୩୦ ତାରିଖ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତଥାପି ୩୧ ତାରିଖ ଯାଏ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବନି ବୋଲି ଏଥିରେ କୁହାଯାଇଛି । ପୁଣି ଜୁନ୍ ୪ରୁ ୧୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ (୩ରୁ ୫ ଡିଗ୍ରୀ ଅଧିକ) ରହିପାରେ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି ।
ଗୁରୁବାର ବଲାଙ୍ଗିରରେ ଦିନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁରରେ ୪୩.୧, ଟିଟିଲାଗଡ଼ରେ ୪୩, ହୀରାକୁଦରେ ୪୨.୫, ବରଗଡ଼ରେ ୪୨.୨, ନୂଆପଡ଼ାରେ ୪୨, ଝାରସୁଗୁଡ଼ାରେ ୪୧.୮, ଅନୁଗୁଳରେ ୪୧.୧ ଡିଗ୍ରୀ ରେକର୍ଡ ହୋଇଛି । ମାଲକାନଗିରିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଛି । ଗଞ୍ଜାମର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇଛି ।