ଓଡ଼ାପଡ଼ା,୨୭/୯ : ତେଲ ଟ୍ୟାଙ୍କର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । ୫୫ ନଂ ଜାତୀୟ ରାଜପଥ ଓଡ଼ାପଡ଼ା କଲେଜ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବିରବର ବିଶ୍ଵାଳ (୬୫)। ସେ ରାସ୍ତା ଅତିକ୍ରମ କରିବା ସମୟରେ ଅନୁଗୁଳ ପଟରୁ ଢେଙ୍କାନାଳ ଆଡ଼କୁ ଦ୍ରୁତଗତିରେ ଯାଉଥିବା ତେଲ ଟ୍ୟାଙ୍କରଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବିରବର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କରକୁ ଜବତ କରି ଫାଣ୍ଡିକୁ ନେଇ ଯାଇଥିଲେ। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିବା ଜଣାପଡିଛି। ବିରବର ବିଶ୍ଵାଳଙ୍କ ପରଲୋକରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବାଲ୍ୟବନ୍ଧୁ ତଥା ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ଛବିରାଜ ବିଶ୍ଵାଳ ଶୋକବ୍ୟକ୍ତ କରିଛନ୍ତି ।