ବଣାଇଁ(ଆପ୍ର), ୨୬।୧୧ : ବଣାଇଁ ଥାନା ଭାଲୁଡୁଙ୍ଗୁରି ପଞ୍ଚାୟତ ଅନ୍ତର୍ଗତ ପୋଡାଗୋଠ ଗ୍ରାମରେ ହାତୀ ଆକ୍ରମଣରେ ମାମୁଁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସାଥିରେ ଥିବା ନାବାଳକ ଭଣଜା ଆହତ ହୋଇଛି। ମୃତକ ଜଣକ ହେଲେ ପୋଡାଗୋଠ ଗ୍ରାମର ବସନ୍ତ ଓରାମ ।
ବଣାଇଁ ଥାନା ଅନ୍ତର୍ଗତ ପୋଡାଗୋଠ ଗ୍ରାମର ବସନ୍ତ ଓରାମ(୪୫) ଓ ଭଣଜା ବିକାଶ ଓରାମ(୧୨) ନିଜ ଘରଠାରୁ କିଛି ଦୂରରେ ଥିବା ଜମିକୁ ଧାନ ବିଡା ବାନ୍ଧିବା ପାଇଁ ଯାଇଥିଲେ। ବିଲରେ ଧାନ ବାନ୍ଧୁଥିବା ସମୟରେ ହଠାତ୍ ଏକ ହାତୀ ସାମ୍ନାକୁ ଚାଲି ଆସିଥିଲା।କିଛି ଭାବିବା ପୂର୍ବରୁ ହାତୀଟି ବସନ୍ତଙ୍କୁ ଆକ୍ରମଣ କରିଥିଲା। ହାତୀ ହାବୁଡ଼ରୁ ସେ ବଂଚିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଏହା ଦେଖି ଭଣଜା ଜୀବନ ବିକଳରେ ଦୌଡ଼ି ପଳାଉଥିବା ବେଳେ ହାତୀଟି ତାକୁ ଗୋଡ଼ାଇ ଥିଲେ ବି ସେ ହାତୀ କବଳରୁ ବର୍ତ୍ତୀ ଯାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ଓ ବ୍ୟବଚ୍ଛେଦ ପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତକଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ସରକାରୀ ସହାୟତା ଯୋଗାଇବା ସହିତ ଆହତ ବିକାଶ ର ଚିକିତ୍ସା ଖର୍ଚ୍ଚ ବିଭାଗ ବହନ କରିବା ନେଇ ବନପାଳ ସଦାଶିବ ପାତ୍ର ପ୍ରକାଶ କରିଛନ୍ତି।