ସୁନ୍ଦରଗଡ଼/ହେମଗିର,୦୭/୧୧: ଦେଢ଼ବର୍ଷ ହେଲା ବିବାହ କରିବାକୁ ଜିଦ୍‌ ଧରିଥିଲା । ରାସ୍ତାରେ ଅଟକାଇ ହଇରାଣ କରୁଥିଲା । ଘରକୁ ଆସି ଧମକାଉଥିଲା । ବିବାହ କରିବାକୁ ରାଜି ନ ହେବାରୁ ରାସ୍ତାରେ ଏକାକି ଦେଖି ଫାର୍ସାରେ ହାଣି ମାରିଦେଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମର ଅଙ୍ଗନବାଡ଼ି  କର୍ମୀ ଦିବ୍ୟାଭାରତୀ ଅଢ଼ା (୨୩)ଙ୍କୁ ବୁଧବାର ମଧ୍ୟାହ୍ନରେ  ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକତରଫା ପ୍ରେମରୁ  ଗ୍ରାମର ଶରତ କଉଡ଼ି (୨୪) ଏଭଳି ନାରକୀୟ କାଣ୍ଡ  ଘଟାଇଥିବା ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ  କରିଛନ୍ତି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର  ହୋଇଯାଇଛି । ପୁଲିସ୍‌ ଘଟଣାର ତଦନ୍ତ କରୁଛି । 

ଅଭିଯୋଗ ଅନୁଯାୟୀ, ପୂର୍ଣ୍ଣା  ଗ୍ରାମର ଧନୁର୍ଜୟ ଅଢ଼ା ଏବଂ ସଂଯୁକ୍ତା  ଅଢ଼ାଙ୍କ ୩ ସନ୍ତାନଙ୍କ ମଧ୍ୟରେ ମଝିଆ  ଝିଅ ଦିବ୍ୟାଭାରତୀ ଗାଁରେ ଅଙ୍ଗନବାଡ଼ି  କର୍ମୀ ଥିଲେ । ବୁଧବାର ସ୍କୁଲ ଛୁଟି  ପରେ ପ୍ରାୟ ସାଢ଼େ ୧୨ଟାରେ ଘରକୁ  ଫେରୁଥିବାବେଳେ ଗାଁ ବସ୍ତି ରାସ୍ତାରେ  ତାଙ୍କୁ କେହି ଫାର୍ସାରେ ହାଣି ହତ୍ୟା  କରିଥିଲା । ରାସ୍ତାରେ ରକ୍ତ ଜୁଡୁବୁଡୁ  ମୃତଦେହ ପଡ଼ିଥିବା ନେଇ ଅଙ୍ଗନବାଡ଼ି  କେନ୍ଦ୍ରର ସହାୟିକାଙ୍କଠାରୁ ପରିବାର ଲୋକେ ସୂଚନା  ପାଇ ହତ୍ୟାକାଣ୍ଡ ସ୍ଥଳକୁ ଯାଇଥିଲେ । 

ସୂଚନା ପାଇ  ପୁଲିସ୍‌ ପହଞ୍ଚି ତନାଘନା କରିଥିଲା ।  ମୃତଦେହ ପଡ଼ିଥିବା ସ୍ଥାନଠାରୁ ପ୍ରାୟ ୩୦  ମିଟର ଦୂରରୁ ରକ୍ତଭିଜା ଫାର୍ସାକୁ ଜବତ  କରାଯାଇଛି । ମୃତଦେହ ହେମଗିର  ସ୍ୱାସ୍ଥ୍ୟକେନ୍ଦ୍ର ମର୍ଗହାଉସ୍‌ରେ ରଖାଯାଇଛି ।  ଗୁରୁବାର ବ୍ୟବଚ୍ଛେଦ କରାଯିବ । ମୃତ ଅଙ୍ଗନବାଡ଼ି କର୍ମୀଙ୍କ ମା’  ସଂଯୁକ୍ତାଙ୍କ କହିବା କଥା, ଗ୍ରାମର ଶରତ  ଝିଅ ଦିବ୍ୟାଭାରତୀକୁ ବିବାହ କରିବାକୁ ଜିଦ୍‌  କରୁଥିଲା । ବିବାହ ନ କଲେ ମାରିଦେବ  ବୋଲି ଧମକ ଦେଇଥିଲା । ସେ ହିଁ ଝିଅକୁ ହତ୍ୟା  କରିଛି ବୋଲି ସଂଯୁକ୍ତା ଅଭିଯୋଗରେ ଦର୍ଶାଇଛନ୍ତି ।