ନୂଆଦିଲ୍ଲୀ,୨୬।୭: ପହଲଗାମ୍ ହମଲାର ପ୍ରତିଶୋଧ ନେଲା ଭାରତୀୟ ସେନା । ‘ଅପରେସନ୍ ’ମହାଦେବ’ରେ ଯବାନଙ୍କ ଗୁଳିରେ ୩ ଟିଆରଏଫ୍ ଆତଙ୍କୀ ସହ ଲସ୍କର କମାଣ୍ଡର ହାସିମ ମୁସା ନିହତ। ଡ୍ରୋନ୍ରେ ଆତଙ୍କୀଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରାଯାଇଛି। ଲିଡବାସ୍ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ଜମ୍ମୁ କଶ୍ମୀର ପୋଲିସ ଓ ସେନା ପକ୍ଷରୁ ଏହି ଜଏଣ୍ଟ ଅପରେସନ ।
୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହି ଆତଙ୍କବାଦୀମାନେ ପହଲଗାମ୍ ହମଲାରେ ସମ୍ପୃକ୍ତ ଥିଲେ ବୋଲି କୁହାଯାଉଛି। ସୋମବାର ସର୍ଚ୍ଚ ଅପରେସନ୍ ବେଳେ ହଠାତ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ଯାହାଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଉତ୍ତେଜନା ବଢି ଯାଇଥିଲା। ଏହାପରେ ସୁରକ୍ଷାବାହିନୀ ପୁରା ଅଞ୍ଚଳକୁ ଘେରି ଯାଇଥିଲେ ଓ ଅପରେସନ୍ ଆହୁରି କଡାକଡି କରିଥିଲେ।
ସୁରକ୍ଷା ଏଜେନ୍ସିକୁ ସନ୍ଦେହ ରହିଛି ଯେ, ଜଙ୍ଗଲରେ ଏବେ ବି ଆହୁରି ଟିଆରଏଫ୍ ଆତଙ୍କୀ ଲୁଚି ରହିଥାଇ ପାରନ୍ତି। ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଟିଆରଏଫ୍ ଆତଙ୍କୀ ଗତିବିଧିର ଖବର ସାମନାକୁ ଆସିଥିଲା। ସିଆରପିଏଫ୍ ଓ ଜମ୍ମୁ-କଶ୍ମୀର ପୋଲିସର ଏକ ଜଏଣ୍ଟ ଅପରେସନ୍ ଦାଛିଗାମ୍ ଜଙ୍ଗଲର ଉପର ଭାଗରେ ଏବେ ବି ଜାରି ରହିଛି। ଜାନୁଆରୀରେ ଟିଆରଏଫ୍ର ଏକ ଆଡ୍ଡାକୁ ଧ୍ବଂସ କରି ଦିଆଯାଇଥିଲା। ଦାଛିଗାମ୍ ଜଙ୍ଗଲକୁ ପୂର୍ବରୁ ଟିଆରଏଫ୍ର ମୁଖ୍ୟ ହାଇଡଆଉଟ୍ ମନେକରାଯାଏ। ଏହି ଗ୍ରୁପ୍ ନିକଟରେ ଏଲ୍ଓସି ପାଖରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା। ଯେଉଁଥିରେ ଜଣେ ଯବାନ ଶହୀଦ ହୋଇଥିଲେ ଓ ୩ ଜଣ ଆହତ ହୋଇଥିଲେ।