ଫିରିଙ୍ଗିଆ,୧୭/୧୨ : କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କାରବାରକୁ ବିନାଶ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ପୁଲିସ ମୁଖିଆଙ୍କ ନିର୍ଦେଶ ଓ ଜିଲ୍ଲା ପୁଲିସ ମୁଖିଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାର ଗଞ୍ଜେଇ କାରବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଗୋଛାପଡ଼ା ପୋଲିସ ପକ୍ଷରୁ ଏହି ଅଭିଯାନ ବୁଧବାର ୧୧ ଦିନରେ ପହଞ୍ଚିଛି I
ବୁଧବାର ଗୋଛାପଡ଼ା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଥାନା ଅଧୀନରେ ଥିବା ଲୁଇସିଂ ପଞ୍ଚାୟତ ଅଧୀନ କୁମେଲ ସିଂ ଏବଂ କଟରକେତା ଗାଁ ନିକଟବର୍ତ୍ତି ଜଙ୍ଗଲ ଜମିମାନଙ୍କରେ ଚାଷ ହୋଇଥିବା ପ୍ରାୟ ୧୧୨ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ପାଖାପାଖି କୋଟିଏ ଟଙ୍କାର ଗଞ୍ଜେଇ ଗଛ ଗୁଡ଼ିକୁ କାଟି ନଷ୍ଟ କରି ଦିଆଯାଇଛି I ତେବେ ବୁଧବାର ହୋଇଥିବା ଏହି ଅଭିଯାନରେ ବନ ବିଭାଗ, ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିବାବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡ଼ିକ କଟାଯାଇଥିଲା I ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବାବେଳେ ଏହି ଗଞ୍ଜେଇ କଟାକୁ ନେଇ ଗୋଛାପଡା ଥାନାରେ କେଶ ନଂ୨୪୯/୨୦୨୫ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I