କଟକ,୧୧/୦୯: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଓଡିଶା ପୁଲିସ ତରଫରୁ "ଅପରେସନ୍ ପ୍ରହାର" ଆରମ୍ଭ କରାଯାଇଛି । ଗତ ୦୧ ତାରିଖରୁ ୦୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗର, କଫ୍ ସିରପ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାରେ ସଫଳ ହୋଇଛି । ସମୁଦାୟ ୧୧୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଏହି କ୍ରମରେ, ଗତ ସପ୍ତାହକ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ୭୨ଟି ମାମଲା ରୁଜୁ କରାଯିବା ସହ ୪୮୦୮ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ମାମଲାରେ ସମ୍ପୃକ୍ତ ଥିବା ୯୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବ୍ରାଉନ ସୁଗର ଚୋରା ଚାଲାଣ କ୍ଷେତ୍ରରେ ୨୭ଟି ମାମଲା ରୁଜୁ କରାଯାଇ ୨୩୭୪ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି ଏବଂ ୪୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ୩୦୫୨ ବୋତଲ କଫ ସିରପ ଜବତ ହେବା ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ସହ ୧୨୯ ବିଏନଏନଏସ ଅନୁଯାୟୀ ୭୦ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ବ୍ୟତୀତ ଚୋରା ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ସମ୍ପୃକ୍ତି ଥିବା ୩ଟି ଦୋକାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।