ନୂଆଦିଲ୍ଲୀ, ୭।୫: ଭାରତର ସାମରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା 'ଅପରେସନ୍ ସିନ୍ଦୂର'କୁ ଆଜି ଏକ ବର୍ଷ ପୂରିଛି । ଏହି ଅବସରରେ ଭାରତୀୟ ସ୍ଥଳସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ସେନା ଅଧିକାରୀମାନେ ଅପରେସନ୍ ସମ୍ପର୍କରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି, ଯାହା ପାକିସ୍ତାନର ମିଥ୍ୟା ପ୍ରଚାରକୁ ସମ୍ପୂର୍ଣ୍ଣ ଭାବେ ପଦାରେ ପକାଇ ଦେଇଛି ।

ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି: ୧୩ ବିମାନ ଓ ୧୧ ଏୟାରଫିଲ୍ଡ ଟାର୍ଗେଟ୍

ଏୟାର ମାର୍ଶଲ ଏ.କେ. ଭାରତୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ଏହି ଅପରେସନରେ ଭାରତର କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। କିନ୍ତୁ ପାକିସ୍ତାନକୁ ଶକ୍ତ ଆଘାତ ଲାଗିଛି । ସେ କହିଛନ୍ତି, ପାକିସ୍ତାନର ୯ଟି ପ୍ରମୁଖ ଆତଙ୍କବାଦୀ ଶିବିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଛି । ଶତ୍ରୁପକ୍ଷର ୧୧ଟି ଏୟାରଫିଲ୍ଡକୁ ଭାରତୀୟ ବାୟୁସେନା ନିଶାଣ କରିଥିଲା । ପାକିସ୍ତାନର ୧୩ଟି ଯୁଦ୍ଧ ବିମାନକୁ ମାଟିରେ ମିଶାଇ ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀୟ ସେନା ୩୦୦ କିଲୋମିଟର ଦୂରରୁ 'ଲଙ୍ଗେଷ୍ଟ କିଲ୍' ଅର୍ଥାତ୍ ସବୁଠାରୁ ଦୂରରୁ ଶତ୍ରୁକୁ ନିପାତ କରି ଏକ ନୂଆ ରେକର୍ଡ ସ୍ଥାପନ କରିଛି ।

"ଆତଙ୍କବାଦୀଙ୍କ ପାଇଁ କୌଣସି ସ୍ଥାନ ସୁରକ୍ଷିତ ନୁହେଁ"

ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘଇ କହିଛନ୍ତି ଯେ, ଅପରେସନ୍ ସିନ୍ଦୂର ଏକ ସଠିକ୍ ସମୟରେ ଏବଂ ଅତ୍ୟନ୍ତ ଗୋପନୀୟ ଭାବେ କରାଯାଇଥିଲା । ଏହା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ସଂଗଠନର ମେରୁଦଣ୍ଡ ଭାଙ୍ଗି ଦେଇଛି । ଭାରତର ଦୃଢ଼ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗୁଁ ପାକିସ୍ତାନର ସମସ୍ତ ପ୍ରତିଆକ୍ରମଣ ବିଫଳ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପରେସନ୍ ସିନ୍ଦୂର ଏବେ ବି ଜାରି ରହିଛି । ଏହାର ଅର୍ଥ ହେଉଛି ଭାରତୀୟ ସେନା ଏବେ ନିଜର ରଣନୀତିରେ ପରିବର୍ତ୍ତନ କରୁଛି ଏବଂ ଆଗାମୀ ଯେକୌଣସି ଆହ୍ୱାନ ପାଇଁ ନିଜକୁ ପ୍ରସ୍ତୁତ ରଖିଛି । ଯେତେବେଳେ ବି ଆବଶ୍ୟକ ପଡ଼ିବ, ପୁଣି ଥରେ 'କାଇନେଟିକ୍ ଆକ୍ସନ' ବା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନୌସେନାର ସତର୍କବାଣୀ:

ନୌସେନା ଆଡମିରାଲ ଏ.ଏନ. ପ୍ରମୋଦ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ସାମରିକ କାର୍ଯ୍ୟାନୁଷ୍ଠାନ ସବୁବେଳେ ଏକ 'ସରପ୍ରାଇଜ୍' ହୋଇଥାଏ । ଯଦି ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ମିଳେ, ତେବେ ଭାରତୀୟ ନୌସେନା ଶତ୍ରୁକୁ ଏକ ବଡ଼ ଧରଣର ଧକ୍କା ଦେବାକୁ ପଛାଇବ ନାହିଁ ।

ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର କମାଲ:

ଏହି ସଫଳ ଅପରେସନରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର ସଫଳତା ମଧ୍ୟ ଦେଖିବାକୁ ମିଳିଛି । ବ୍ରହ୍ମୋସ ଏବଂ ଆକାଶ ପରି ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀ ଏହି ଅପରେସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ରାଜନୈତିକ ଇଚ୍ଛାଶକ୍ତି ଏବଂ ସେନାର ବୃତ୍ତିଗତ କାର୍ଯ୍ୟଦକ୍ଷତା ଯୋଗୁଁ ହିଁ ଏତେ କମ ସମୟ ମଧ୍ୟରେ ଏହି ଜଟିଳ ଅଭିଯାନ ସଫଳ ହୋଇପାରିଛି । ସେନା ଅଧିକାରୀମାନେ ଶେଷରେ ସ୍ପଷ୍ଟ କରିଛନ୍ତି ଯେ, ଭାରତର ଏହି ଲଢ଼େଇ ଆତଙ୍କବାଦ ବିରୋଧରେ ଥିଲା । ଯଦି ପାକିସ୍ତାନ ସେନା ଏହାକୁ ନିଜର ଲଢ଼େଇ ବୋଲି ଭାବିବ, ତେବେ ଭାରତୀୟ ସେନା ସେମାନଙ୍କୁ ସମୁଚିତ ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ ରହିଛି ।

ଆହୁରି ପଢ଼ିବ... Operation Sindoor: ପ୍ରଧାନମନ୍ତ୍ରୀ ମୋଦିଙ୍କର ନୂଆ ଏକ୍ସ ଡିପି ଦେଖିଛନ୍ତି କି ? ସେନାର ସାହାସିକତାକୁ କଲେ ସଲାମ୍