ଭୁବନେଶ୍ୱର,୧୮/୬ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦ୍ୱାରା ୫ଟି ଅଣଧାନ ଫସଲ କିସମକୁ ବିକଶିତ କରାଯାଇଛି । ଏହି କିସମକୁ ରାଜ୍ୟସ୍ତରୀୟ କିସମ ଅନୁମୋଦନ କମିଟି ପକ୍ଷରୁ ଅନୁମୋଦନ କରାଯାଇଛି । ଅନୁମୋଦନ ହେବା ପରେ ରାଜ୍ୟର କୃଷକମାନଙ୍କ ବ୍ୟବହାର ପାଇଁ ଲୋକାର୍ପିତ କରାଯଇଛି । ଏହା ଅଧିକ ଅମଳକ୍ଷମ ହେବା ସହିତ ରୋଗ ପୋକ ସହନଶୀଳ କିସମ । ଯାହା ରାଜ୍ୟ ସରକାରଙ୍କ ଫସଲ ବିବିଧିକରଣ ଯୋଜନାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଏହି ଫସଲ କିସମ ଗୁଡ଼ିକ ମାଣ୍ଡିଆ (ଶ୍ରୀ ନିଧି), ବିରି (ଶ୍ରୀୟା), ଅଳସୀ (ପ୍ରଭାତ), ଜଡ଼ା (ମାଣିକ) ଓ ତୋରିଆ (ଜୟନ୍ତୀ) ନିଜସ୍ୱ ସ୍ୱତନ୍ତ୍ର ବିଶେଷତା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଆଦୃତ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି । ମଧ୍ୟମ ଅବଧି ମାଣ୍ଡିଆ କିସମ (ଶ୍ରୀ ନିଧି) ର ହାରାହାରି ହେକ୍ଟର ପ୍ରତି ଅମଳ ୨୫.୨୦ କ୍ୱିଣ୍ଟାଲ ରହିଛି । ଏଥିରେ ପୁଷ୍ଟିସାର, ଆଇରନ ଓ ଜିଙ୍କ ଆଦି ପୋଷକ ତତ୍ତ୍ୱ ମାତ୍ରା ଅଧିକ ରହୁଥିବାରୁ ଏହି ଲଘୁ ଶସ୍ୟ କିସମ ରାଜ୍ୟର ଖାଦ୍ୟ ଓ ପୋଷଣ ସୁରକ୍ଷାରେ ବ୍ୟାପକ ଭୂମିକା ଗ୍ରହଣ କରିବ ।
ବିରି କିସମ (ଶ୍ରୀୟା) ହେଉଛି ସାହେବି ଓ ପତ୍ରମୋଚା ରୋଗ, ଧଳା ମାଛି, ପତ୍ର ଊକୁଣି ଓ ଛୁଇଁ ବିନ୍ଧା ପୋକ ସହନଶୀଳ କିସମ । ଧାନ ଚାଷ ପରେ ପଡ଼ିଆ ଜମିର ସଫଳ ପରିଚାଳନା ପାଇଁ ଏହି ଚାଷ କରାଯାଇପାରିବ । ହେକ୍ଟର ପ୍ରତି ହାରାହାରି ୧୫ କ୍ୱିଣ୍ଟାଲ ଅମଳ ହେଉଥିବା ଏହି ବିରି କିସମରେ ପର୍ଯ୍ୟାପ୍ତ ପରିମାଣରେ ପୁଷ୍ଟିସାର ସହ ଆଇରନ, ଜିଙ୍କ ଓ କପର ଆଦି ଆବଶ୍ୟକୀୟ ଖାଦ୍ୟ ଉପାଦାନ ଭରି ରହିଛି । ସ୍ୱଳ୍ପ ଅବଧିର ତାରିଆ କିସମ (ଜୟନ୍ତୀ) ରାଜ୍ୟର ଉଭୟ ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଂଚଳର ଧାନ ପର୍ଯ୍ୟବେସିତ ଫସଲ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇ ଚାଷୀର ଆୟ ଦ୍ୱିଗୁଣିତ କରିବ । ଖାଇବା ତେଲ ଉତ୍ପାଦନରେ ସ୍ୱାବଲମ୍ବୀ ହେବାରେ ଯଥେଷ୍ଟ ସହାୟକ ହେବ । ଏଥିରେ ୪୦ପ୍ରତିଶତରୁ ଅଧିକ ତୈଳାଶଂ ଥିବା ସହ ପତ୍ରପୋଡା, ପାଉଁଶିଆ ଓ ଜଉ ପୋକ ରୋଗ ପାଇଁ ସହନଶୀଳତା ରହିଛି ।
ଅଧିକ ଅମଳକ୍ଷମ, ମଧ୍ୟମ ଅବଧି ଏବଂ ଉଭୟ ଖରିଫ ଓ ପ୍ରାକ ରବି ଚାଷ ପାଇଁ ଉପଯାଗୀ ଅଳସୀ କିସମ "ପ୍ରଭାତ' କୋରାପୁଟ, ମାଲକାନଗିରି ଓ କେନ୍ଦୁଝର ପରି ଆଦିବାସୀ ବହୁଳ ଅଂଚଳର ଚାଷୀଙ୍କ ପାଖରେ ଆଦୃତ ହୋଇପାରିବ । ସମ୍ପ୍ରତି ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ଅଳସୀ ଦାନା, ତେଲ ଓ ପିଡ଼ିଆର ଚାହିଦା ଅହେତୁକ ବୃଦ୍ଧି ପାଇବ । ରାଜ୍ୟ ସରକାର ରେଶମ ଚାଷକୁ ପ୍ରୋତ୍ସାହନ ଦେଉଥିଲା ବେଳେ ଏରି ରେଶମ କୀଟର ପୋଷକ ଫସଲ, ଜଡ଼ା ଚାଷକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ତରଫରୁ ରାଜ୍ୟର ପ୍ରଥମ ଶଙ୍କର ଜଡ଼ା କିସମ ‘ମାଣିକ’ ବିକଶିତ ହୋଇଛି । ଏହା ମୂଳସଢା ଭଳି ପ୍ରମୁଖ ରୋଗ ବିରୁଦ୍ଧରେ ସହନଶୀଳ ଥିବାସହ ଏହାର ପତ୍ର ସ୍ୱଳ୍ପ ପରିମାଣ ମହମ ଯୁକ୍ତ ହୋଇଥିବାରୁ ଏରି ରେଶମ କୀଟର ଖାଦ୍ୟ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।