ମାଲକାନଗିରି,୨୫/୨(ଆପ୍ର ): ମାଲକାନଗିରି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି। ପଡ଼ି ରହିଛି ଶହ ଶହ କୁଇଣ୍ଟାଲ ଧାନ । ଟାର୍ଗେଟ ବଢ଼ାଇବା ପାଇଁ ଚାଷୀମାନେ ଉପଜିଲ୍ଲାପାଳଙ୍କୁ ଭେଟି ଟାର୍ଗେଟ ବଢ଼ାଇବା ପାଇଁ ଦାବି କରିଛନ୍ତି। ମାଲକାନଗିରି ଜିଲ୍ଲା ପଦ୍ମଗିରି ଧାନ ମଣ୍ଡିରେ ପ୍ରାୟ ୪ହଜାରରୁ ଊର୍ଦ୍ଧ ଧାନ ପଡିରହିଛି। ଆଜି ପଦ୍ମଗିରି ପଞ୍ଚାୟତର ଶତାଧିକ ଚାଷୀ ମାଲକାନଗିରି ଉପଜିଲ୍ଲାପାଳଙ୍କୁ ଭେଟି ଟାର୍ଗେଟ ବଢ଼ାଇବା ସହିତ ତୁରନ୍ତ ଧାନ ଉଠାଇବା ପାଇଁ ଦାବି କରିଛନ୍ତି।

ଜିଲ୍ଲାରେ ଥିବା ବିଭିନ୍ନ ଧାନ ମଣ୍ଡିରେ ଟାର୍ଗେଟ ପୂରଣ ହୋଇଥିବାର ଆଳ ଦେଖାଇ ଗତ ଜାନୁଆରୀ ମାସରୁ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ୧,୫୫,୭୦୦ କ୍ଵିଣ୍ଟାଲ ଧାନ ପଡ଼ି ରହିଥିବାର ଜଣା ପଡିଛି। ଯଦି ସରକାର ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଧାନ କ୍ରୟ ନକରନ୍ତି ତେବେ ବଡ଼ଧରଣର ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି ନବନିର୍ମାଣ ଜିଲ୍ଲା କୃଷକ ସଙ୍ଗଠନର ସଭାପତି ଏରା ପଡ଼ିଆମୀ କହିଛନ୍ତି।