ନୂଆଦିଲ୍ଲୀ,୧୪/୦୯: ଆଉ କିଛି ଘଣ୍ଟାର ଅପେକ୍ଷା । ଦୁଲୁକିବ ଦୁବାଇ ଗ୍ରାଉଣ୍ଡ । କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ୱୀ ଭାରତ-ପାକିସ୍ତାନ । ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ମ୍ୟାଚକୁ ନେଇ ବୋବାଲ୍ ଦେଖିବାକୁ ମିଳିଛି । କେଉଁଠି ବିଜୟ ପାଇଁ ହୋମଯଜ୍ଞ ହେଉଛି ତ କେଉଁଠି ବିରୋଧ ପ୍ରଦର୍ଶନ କରାଯାଇଛି । ମ୍ୟାଚକୁ ବାତିଲ ପାଇଁ ଦାବି ହୋଇଛି । ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆକ୍ରମଣରେ ମୃତକଙ୍କ ପରିବାର ଭାରତ-ପାକିସ୍ତାନ ମ୍ୟାଚକୁ ବିରୋଧ କରିଛନ୍ତି ।
ଜମ୍ମୁକାଶ୍ମୀର ପହଲଗାମ ବୈସରନ ଘାଟିରେ ଗତ ଏପ୍ରିଲ ୨୨ରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣ ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କର ଜୀବନ ଯାଇଥିଲା । ଏଥିରେ ଭାଇ ଓ ବାପାଙ୍କୁ ହରାଇଥିବା ଗୁଜରାଟର ଏକ ପରିବାର ଭାରତ-ପାକିସ୍ତାନ ମ୍ୟାଚକୁ ବିରୋଧ କରିଛନ୍ତି । ସାୱନ ପରମାର ଯିଏ କି ତାଙ୍କ ବାପା-ଭାଇଙ୍କୁ ହରାଇଥିଲେ । ସେ କହିଛନ୍ତି, ''ପହଲଗାମ ଆକ୍ରମଣରେ ଆମ ଘରର ଦୁଇଜଣଙ୍କ ସହ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ଆମେ ଯେବେ ଜାଣିଲୁ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେବ ଏହା ଆମକୁ ବିଚଳିତ କରିଛି । ଆତଙ୍କୀ ଦେଶ ସହ ଯଦି ମ୍ୟାଚ୍ ଖେଳିବାର ଅଛି, ତେବେ ପ୍ରଥମେ ମୋ ଭାଇକୁ ଫେରାଇ ଦିଅ ଯିଏକି ୧୬ ବର୍ଷରେ ଗୁଳି ଖାଇଛି । ଅପରେସନ୍ ସିନ୍ଦୂର ଏବେ ବ୍ୟର୍ଥ ହୋଇଛି ।''
ସେହିପରି ପହଲଗାମ ଆତଙ୍କୀ ଆକ୍ରମଣରେ ସ୍ୱାମୀ ଓ ପୁଅକୁ ହରାଇଥିବା ଗୁଜରାଟର କିରଣ ପରମାର କହିଛନ୍ତି, ''ଏହି ମ୍ୟାଚ ହେବା କଥା ନୁହେଁ । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିବାକୁ ଚାହୁଁଛି କି ଅପରେସନ୍ ସିନ୍ଦୂର ଶେଷ ହୋଇନାହିଁ । କାହିଁକି ଭାରତ-ପାକିସ୍ତାନ ମ୍ୟାଚ ହେଉଛି ? ଦେଶର ସମସ୍ତଙ୍କୁ କହିବାକୁ ଚାହୁଁଛି କି ପହଲଗାମ ପୀଡିତଙ୍କ ପରିବାରକୁ ଭେଟନ୍ତୁ ଯେଉଁମାନେ ସେମାନଙ୍କ ଆତ୍ମୀୟଙ୍କୁ ହରାଇଛନ୍ତି । ଦେଖନ୍ତୁ ସେମାନେ କେତେ ଦୁଃଖରେ ଅଛନ୍ତି । ଆମ କ୍ଷତ ଶୁଖିନାହିଁ ଏବେ ମ୍ୟାଚ ହେବାକୁ ଯାଉଛି ।''