ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ଭାରତ ସରକାର ଦୃଢ ପଦକ୍ଷେପ ନେବାକୁ ଆରମ୍ଭ କରି ଦେଇଛନ୍ତି। ବୁଧବାର ପାକିସ୍ତାନ ବିରୋଧରେ ୫ଟି କଡ଼ା ନିଷ୍ପତ୍ତି ନେବା ପରେ , ଏବେ ଆଜି ଗୁରୁବାର ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କର ଓ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍‌ କରିବାକୁ ପହଞ୍ଚିଛନ୍ତି। ସୁରକ୍ଷା ପରିସ୍ଥିତିର ଗମ୍ଭୀରତା ଓ ଆଗାମୀ ରଣନୀତି ଉପରେ ଆଲୋଚନା ଦୃଷ୍ଟରୁ ଏହି ଉଚ୍ଚସ୍ତରୀୟ ବୈଠକକୁ ଗୁରୁତ୍ତ୍ୱପୂର୍ଣ୍ଣ ଭାବେ ମନେକରାଯାଉଛି।


ଏହାସହ ବିଦେଶ ମନ୍ତ୍ରଣାଳୟ (ଏମଇଏ)ରେ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ହୋଇଛି, ଯେଉଁଥିରେ ଅନେକ ଦେଶର ରାଷ୍ଟ୍ରଦୂତକୁ ଡ଼କାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜର୍ମାନୀ, ଜାପାନ, ପୋଲାଣ୍ଡ , ବ୍ରିଟେନ ଓ ରୁଷ୍ ସମେତ ଅନେକ ଦେଶର ରାଷ୍ଟ୍ରଦୂତ ସାଉଥ୍‌ ବ୍ଲକ୍‌ ସ୍ଥିତ ବିଦେଶ ମନ୍ତ୍ରଣାଳୟର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହି କୂଟନୀତିଜ୍ଞମାନଙ୍କୁ ପହଲାଗାମ ଆତଙ୍କୀ ହମଲାର ବିସ୍ତୃତ ସୂଚନା ଦିଆଯାଇଛି ଏବଂ ଭାରତର ସୁରକ୍ଷା ଚିନ୍ତା ଗୁଡ଼ିକ ବିଷୟରେ ଅବଗତ କରାଯାଇଛି। ବିଦେଶ ସଚିବ ବିକ୍ରମ ମିସ୍ତ୍ରି ସବୁ ଦେଶର ରାଷ୍ଟ୍ରଦୂତଙ୍କୁ ପାଖାପାଖି ୩୦ ମିନିଟ୍‌ ସମୟ ଯାଏ ବ୍ରିଫିଂ ଦେଇଛନ୍ତି। ଚାଇନା ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗଙ୍କୁ ବିଦେଶ ମନ୍ତ୍ରଣାଳୟ ମୁଖ୍ୟାଳୟ ଡ଼କାଯାଇ ଥିଲା।

ସୂଚନା ମୁତାବିକ , ଏମଇଏର ବରିଷ୍ଠ ଅଧିକାରୀ ସେମାନଙ୍କୁ ହମଲା ପଛରେ ସମ୍ଭାବିତ ଆତଙ୍କୀ ସଙ୍ଗଠନ, ପାକିସ୍ତାନର ଭୂମିକା ଓ ସୁରକ୍ଷା ଏଜେନ୍ସି ଦ୍ୱାରା କରାଯାଇ ଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଛନ୍ତି। 

ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ନିଜେ ସ୍ଥିତିର ସମୀକ୍ଷା କରିବେ ଏବଂ ବୈସରନର ହମଲାର ସ୍ଥାନକୁ ଯାତ୍ରା କରିବେ। ସେ ସେଠାରେ ସେନା କମାଣ୍ଡର ଓ ସ୍ଥାନୀୟ ଅଧିକାରୀଙ୍କ ସହ ସୁରକ୍ଷା ବନ୍ଦୋବସ୍ତ ନେଇ ସମୀକ୍ଷା କରିବେ ଓ ଆଗାମୀ ରଣନୀତି ସ୍ଥିର କରିବେ । ସେନାର ଏହି ପଦକ୍ଷେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇ ଦେଶରେ ଏକ ଦୃଢ ସଙ୍କେତ ଭାବେ ବିବେଚନା କରାଯାଉଛି।

ଅନ୍ୟପଟେ ସୁରକ୍ଷା ଏଜେନ୍ସି ମାନେ ପହଲଗାମ ଓ ଆଖପାଖ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରି ଦେଇଛନ୍ତି। ପ୍ରାରମ୍ଭିକ ଯାଞ୍ଚରେ ସୀମା ସେପଟୁ ଆତଙ୍କୀଙ୍କ ଅନୁପ୍ରବେଶ ଓ ତାଙ୍କର ସ୍ଥାନୀୟ ନେଟୱର୍କ ଥିବା ନେଇ ଆଶଙ୍କା କରାଯାଉଛି। ଏନଆଇଏ , ଆଇବି ଓ ସେନା ଗୁଇନ୍ଦା ଏଜେନ୍ସି ଗୁଡ଼ିକ ହମଲା ସହ ସଂପୃକ୍ତ ପ୍ରତି ଦିଗକୁ ଗଭୀରତା ସହ ଯାଞ୍ଚ କରୁଛନ୍ତି। ଘଟଣାସ୍ଥଳରୁ ଜବତ ଅସ୍ତ୍ରଶସ୍ତ୍ର ଓ ଉପକରଣର ଯାଞ୍ଚ କରି ଆତଙ୍କୀଙ୍କ ଉତ୍ସ ଓ ସମର୍ଥନର ପ୍ରଣାଳୀ ବିଷୟରେ ପତ୍ତା କରାଯାଉଛି।