ନୂଆଦିଲ୍ଲୀ,୨୬/୦୯: ଚଳିତ ଏସିଆ କପ ଟୁର୍ଣ୍ଣାମେଣ୍ଟର ଫାଇନାଲ ଲାଇନ୍ ଅଫ୍ ଚୂଡାନ୍ତ ହୋଇ ସାରିଛି । ସେପ୍ଟେମ୍ବର ୨୮ରେ ଟ୍ରଫି ଟକ୍କର ହେବ । ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବ । ଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଘା ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଭାରତଠୁ ଦୁଇଥର ହାରିବା ପରେ ବି ତାଙ୍କର ମୁହଁଫୁଟାଣି ଛାଡିନାହିଁ । ଫାଇନାଲରେ ଆମକୁ କ'ଣ କରିବାର ଅଛି ଜାଣିଛୁ ଆମେ ତାଙ୍କୁ ହରାଇବୁ ବାେଲି କହିଛନ୍ତି ପାକ୍ କ୍ୟାପ୍ଟେନ ସଲମାନ ।
ଚଳିତ ଏସିଆ କପ ଫାଇନାଲ୍ରେ ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସାମ୍ନା ସାମ୍ନି ହେବେ । ସୁପର-୪ ରାଉଣ୍ଡର ଏକ ମ୍ୟାଚରେ ବାଂଲାଦେଶକୁ ୧୧ ରନରେ ହରାଇ ପାକିସ୍ତାନ ଫାଇନାଲରେ ସ୍ଥାନ ପକ୍କା କରିଛି । ୧୯୮୪ରେ ଏସିଆ କପ ଆରମ୍ଭ ହୋଇଥିଲା । ପ୍ରଥମ ସିଜନରେ ଭାରତ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଥିଲା । ଏହାପରେ ୨୦୧୬ ଓ ୨୦୧୮ରୁ ଛାଡି ଭାରତ ସବୁ ସିଜିନରେ ଚାମ୍ପିଅନ ହୋଇଛି । ପାକିସ୍ତାନ ୨୦୦୦ ମସିହାରେ ଶ୍ରୀଲଙ୍କା ଓ ୨୦୧୨ରେ ବାଂଲାଦେଶକୁ ହରାଇ ଟ୍ରଫି ଉଠାଇଥିଲା । ୧୩ ବର୍ଷ ହେବ ଏସିଆ କପ ଉଠାଇବାକୁ ବ୍ୟାକୁଳ ଅଛି ପାକିସ୍ତାନ । ଏଥର ତା ସାମ୍ନାରେ ଭାରତ ଚ୍ୟାଲେଞ୍ଜ ହେବ । ଫାଇନାଲ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘା କହିଛନ୍ତି, ''ଆମେ ଜାଣୁଛି ଯେ ଆମକୁ ଫାଇନାଲରେ କ'ଣ କରିବାକୁ ହେବ । ଫାଇନାଲରେ ତାଙ୍କ ଟିମକୁ ହାଇବାକୁ ଆମେ ଚେଷ୍ଟା କରିବୁ । ତାଙ୍କ ଦଳ ସମସ୍ତଙ୍କୁ ପରାସ୍ତ କରିପାରିବ, ଏପରିକି ଭାରତକୁ ମଧ୍ୟ । ଆମ ଦଳର ସବୁ ଖେଳାଳି ଫର୍ମରେ ଅଛନ୍ତି । ତଥାପି, ଆମକୁ ଆମର ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡିବ, ଆମେ ଏହା ଉପରେ କାମ କରିବୁ । ଆମେ ଜାଣିଛୁ ଯେ ଫାଇନାଲରେ ଆମକୁ କ'ଣ କରିବାକୁ ପଡିବ ଆମ । ଦଳର ଆତ୍ମବିଶ୍ୱାସ ଆମକୁ ଯେକୌଣସି ଦଳକୁ ଚ୍ୟାଲେଞ୍ଜ କରିବାର ଏବଂ ଆମେ ରବିବାର ଫୁଲ୍ ଜୋସ୍ରେ ରହିବୁ । ଭାରତ ପରି ଶକ୍ତିଶାଳୀ ଦଳ ବିରୁଦ୍ଧରେ ମଧ୍ୟ, ଆମେ ଆମର ସର୍ବୋତ୍ତମ ପ୍ରଦର୍ଶନ କରିବୁ ।''
ଇତିହାସରେ ପ୍ରଥମ ଥର ଏସିଆ କପ ଟ୍ରଫି ଟକ୍କରରେ ଲଢିବେ ଭାରତ-ପାକିସ୍ତାନ । ୪୧ ବର୍ଷର ଅପେକ୍ଷା ସେପ୍ଟେମ୍ବର ୨୮ରେ ଅନ୍ତ ହେବ । କେବେ ବି ଏସିଆ କପ ଫାଇନାଲରେ ଭାରତ- ପାକିସ୍ତାନ ମଧ୍ୟରେ ଫାଇନାଲ ଫାଇଟ ହୋଇନାହିଁ । ନୋ ହ୍ୟାଣ୍ଡସେକ୍ ବିବାଦ, ଅଭିଷେକ-ହାରିସ୍ ବାକ୍ଯୁଦ୍ଧ ଭିତରେ ଟ୍ରଫି ପାଇଁ ଟକ୍କର ଦେବେ ଦୁଇ ଦେଶ । ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୨ ଥର ଧୂଳି ଚଟାଇ ସାରିଛି ଭାରତ । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ଭାରତ-ପାକିସ୍ତାନ ଲଢେଇକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭରପୁର ଉତ୍ସାହ ରହିଛି ।