ଇସ୍‌ଲାମାବାଦ,୧୭/୦୮: ପାକିସ୍ତାନ୍‌ରେ ପ୍ରକୃତିର ତାଣ୍ଡବ। ଦୁଇଦିନ ପ୍ରବଳ ବର୍ଷା ଏବଂ ବନ୍ୟା ବିତ୍ପାତ  ବିପର୍ଯ୍ୟୟ ଘଟାଇଛି । ୪୮ ଘଣ୍ଟା ମଧ୍ୟରେ ୩୪୪ ପ୍ରାଣ  ହରାଇଛନ୍ତି । ଅନେକ ନିଖୋଜ ହୋଇଛନ୍ତି । ଖାଇବର  ପଖ୍‌ତୁନ୍‌ଖ୍ୱା ପ୍ରଦେଶରେ ସର୍ବାଧିକ କ୍ଷୟକ୍ଷତି  ହୋଇଛି । ଏଠାରେ ବିଭିନ୍ନ ନଦୀରେ ଭୟଙ୍କର ବନ୍ୟା  ଆସିବାରୁ ଲୋକଙ୍କ ଘରଦ୍ୱାର ଭାସିଯାଇଛି । କେବଳ  ଏହି ପ୍ରଦେଶରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ  ହାନି ଘଟିଛି । ପାକିସ୍ତାନରେ ବର୍ଷା ବିତ୍ପାତ ଆସନ୍ତା  ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ପାଣିପାଗ  ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ  ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି । 

ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ପାକିସ୍ତାନର ବିଭିନ୍ନ  ଜିଲ୍ଲାରେ ଅଚାନକ ବନ୍ୟା ଆସିଥିଲା । ଏଥିରେ ୨୦୦ରୁ  ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଅଧିକାରୀଙ୍କ  ମୁତାବକ, ୯ଟି ଜିଲ୍ଲାରେ ପ୍ରାୟ ୨ ହଜାର ଉଦ୍ଧାର  କର୍ମୀ ରେସ୍କ୍ୟୁ ଅପରେସନରେ ମୁତୟନ ହୋଇଛନ୍ତି ।  କିନ୍ତୁ ଏବେ ବି ଅନେକ ପ୍ରଭାବିତ ଅଞ୍ଚଳ ଅପହଞ୍ଚ  ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବାଦଲ  ଫାଟିବା ଯୋଗୁ ଭୂସ୍ଖଳନ ଘଟିଛି । ଅନେକ ସଡ଼କ ବନ୍ୟା ଯୋଗୁ ନଷ୍ଟ ହୋଇଯାଇଛି । ଫଳରେ ପ୍ରଭାବିତ  ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ମୁସ୍କିଲ ହୋଇପଡ଼ିଛି । ଏମିତି କି ଆମ୍ବୁଲାନ୍ସ ସେବା ବି ପହଞ୍ଚି  ପାରୁନାହିଁ । ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଥିବା  ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟ୍‌ଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି।