ନୂଆଦିଲ୍ଲୀ,୦୯/୦୨; କ'ଣ ଚାହୁଁଛି ପାକିସ୍ତାନ ? ହଠାତ୍ ମ୍ୟାଚ ଖେଳିବାକୁ ମନା କରୁଛି । ବୟକଟ୍ ବାତିଲ କରିବାକୁ ଡିମାଣ୍ଡ ରଖୁଛି । ମନମାନୀ ଚଲାଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଉପରେ ସସପେନ୍ସ ଜାରି ରହିଛି । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଖେଳିବାକୁ ମନା କରି ଦେଇଛି। ତଥାପି, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଲିଖିତ ସୂଚନା ଦେଇନାହିଁ । ତେଣୁ, ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ ହେବ ବୋଲି ଆଶା କରାଯାଉଛି । ହେଲେ ବୟକଟରୁ ୟୁଟର୍ଣ୍ଣ ପାଇଁ ୩ ବଡ଼ ସର୍ତ୍ତ ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

​​​​​​​ପାକିସ୍ତାନକୁ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ ନ କରିବା ଲାଗି ମନାଇବାକୁ ବୈଠକ କରିଛି ଆସିସି । ଏହି ବୈଠକ ଲାହୋରରେ ବସିଛି । ମୋହସିନ ନକଭିଙ୍କ ସହ ବାଂଲାଦେଶ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଅମିନୁଲ ଇସଲାମ ଏବଂ ଆଇସିସି ଉପାଧ୍ୟକ୍ଷ ତଥା ଏହି ମାମଲାରେ ମଧ୍ୟସ୍ତି ଇମ୍ରାନ୍ ଖୱାଜା ଯୋଗ ଦେଇଛନ୍ତି । ସୂଚନା ଅନୁସାରେ ପିସିବି ପୂର୍ବ ନିଷ୍ପତ୍ତି ବଦଳାଇ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପ୍ରାୟ ରାଜି ହୋଇଛି । କିନ୍ତୁ ୩ଟି ସର୍ତ୍ତ ରଖିଛି । ସେଥିରେ ବାଂଲାଦେଶ ବିଶ୍ୱକପରୁ ବାଦ ପଡିଥିବାରୁ ତାକୁ କ୍ଷତି ପୂରଣ ସହ ଆଇସିସି ପ୍ରତିଯୋଗିତା ଆୟୋଜନ କରିବାକୁ ଅଧିକାର ଦେବାକୁ ରହିଛି । ଆଇସିସି ୩ଟି ସର୍ତ୍ତ ମାନିଛି ନା ନାହିଁ ତାହା ଜଣାପଡିନାହିଁ ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ; ପରାଜୟରୁ ଅଳ୍ପକେ ବର୍ତ୍ତିଲା ଇଂଲଣ୍ଡ, ମ୍ୟାଚ୍ ହାରି ବି ହୃଦୟ ଜିତିଲା ନେପାଳ

ଟେଲିକମ୍ ଏସିଆ ସ୍ପୋର୍ଟ ରିପୋର୍ଟ ଅନୁଯାୟୀ, ପିସିବି ମୁଖ୍ୟ ମୋହସିନ୍ ନକଭି ଭାରତ ବିପକ୍ଷ ମ୍ୟାଚ୍ ପାଇଁ ବୟକଟ ଡାକରା ଶେଷ କରିବାକୁ ଆଇସିସି ସମ୍ମୁଖରେ ତିନୋଟି ସର୍ତ୍ତ ରଖିଛନ୍ତି । ସେ ବିଶ୍ୱ ସଂସ୍ଥାଠାରୁ ଅଧିକ ରାଜସ୍ୱ ଅଂଶ ଏବଂ ଭାରତ ସହିତ ଦ୍ୱିପାକ୍ଷିକ କ୍ରିକେଟ୍ ପୁଣି ଆରମ୍ଭ କରିବାକୁ ଦାବି କରିଛନ୍ତି । ଏହା ବ୍ୟତୀତ, ସେ ୨୦୨୬ ଟି-୨୦ ବିଶ୍ୱକପରେ ଭାରତୀୟ ଖେଳାଳିମାନଙ୍କୁ ପାକିସ୍ତାନୀ ଖେଳାଳିଙ୍କ ସହ ମିଳାଇବାକୁ ମଧ୍ୟ ଦାବି କରିଛନ୍ତି । 
 

ପ୍ରଥମ ସର୍ତ୍ତ- ପାକିସ୍ତାନକୁ ବିଶ୍ୱକପରୁ ଅଧିକ ରାଜସ୍ୱ ଦରକାର ।

ଦ୍ୱିତୀୟ ସର୍ତ୍ତ- ଭାରତ ସହ ଦ୍ୱିପାକ୍ଷିକ ସିରିଜ ପୁଣି ଆରମ୍ଭ ହେଉ ।

ତୃତୀୟ ସର୍ତ୍ତ- ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚରେ ଭାରତୀୟ ଖେଳାଳି ପାକ୍ ପ୍ଲେୟାରଙ୍କ ସହ ହାତ ମିଳାନ୍ତୁ ।

ପାକିସ୍ତାନର ଦ୍ୱିତୀୟ ଦାବିକୁ ମାନିବନି ଭାରତ- ଆଇସିସି ନିକଟରେ ପାକିସ୍ତାନର ଦ୍ୱିତୀୟ ଦାବିରେ ଭାରତ କେବେବି ରାଜି ହେବ ନାହିଁ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ୍ ୨୦୧୨ରେ ଖେଳାଯାଇଥିଲା। ରାଜନୈତିକ ଉତ୍ତେଜନା ଯୋଗୁଁ, ଗତ ୧୬ ବର୍ଷ ଧରି ଦୁଇ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିପକ୍ଷରେ ଖେଳିଛନ୍ତି । ଗତ ବର୍ଷ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତର ଆଭିମୁଖ୍ୟ ଆହୁରି କଠୋର ହୋଇଛି । ଏହି ଆକ୍ରମଣ ପରେ, ଟିମ୍ ଇଣ୍ଡିଆ ୨୦୨୫ ଏସିଆ କପରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ବନ୍ଦ କରିଦେଇଛି । ଯଦିଓ ପାକିସ୍ତାନର ବାକି ଦୁଇଟି ଦାବି ପୂରଣ ହୁଏ, ତଥାପି ଦ୍ୱିପାକ୍ଷିକ ସିରିଜ୍ ପୁଣି ଆରମ୍ଭ ଅସମ୍ଭବ ।

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ପାକିସ୍ତାନୀ ସାମ୍ବାଦିକଙ୍କ ଅପଡେଟ୍- ପାକିସ୍ତାନୀ ସାମ୍ବାଦିକ ଜାହିଦ୍ ଗିଶକୋରି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଫେବୃଆରୀ ୧୫ ତାରିଖରେ ଟି୨୦ ବିଶ୍ୱକପରେ ପାକିସ୍ତାନ ଦଳ ଭାରତ ସହିତ ମୁକାବିଲା କରିବାର ଯଥେଷ୍ଟ ସମ୍ଭାବନା ଅଛି।  ଶ୍ରୀଲଙ୍କାରେ ଏହି ମ୍ୟାଚ୍ ବିଷୟରେ ପାକିସ୍ତାନର ଦୁଇ ଜଣ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ତାଙ୍କୁ ସୂଚନା ଦେଇଥିବା କହିଛନ୍ତି । ତେଣୁ, ଏହି ବଡ଼ ମ୍ୟାଚ୍ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି ପାକିସ୍ତାନୀ ସାମ୍ବାଦିକ ।