ନୂଆଦିଲ୍ଲୀ,୦୯/୦୨;  ଅଦ୍ଭୁତ, ଅବିଶ୍ୱସନୀୟ । ଅନଭିଜ୍ଞ ନେପାଳ ଖେଳାଳିଙ୍କ ସାହସ ଏବଂ ଚେଜ୍‌ କରିବାର ଧୈର୍ଯ୍ୟକୁ କ୍ରିକେଟ୍‌ ଦୁନିଆ ଭୂୟସୀ ପ୍ରଶଂସା କରୁଛି । ବିଶ୍ୱର ୩ ନମ୍ବର ଦଳ ଇଂଲଣ୍ଡକୁ ଯେଉଁଭଳି ଭାବେ ଇନିଂସର ଶେଷ ବଲ ଯାଏ ହରକତ କଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ଯଦିଓ ଅନ୍ତିମ ଓଭରର ଅନ୍ତିମ ବଲରେ ଇଂଲଣ୍ଡ ୪ ରନ୍‌ରେ ମ୍ୟାଚ ବିଜୟୀ ହୋଇଥିଲା କିନ୍ତୁ ନେପାଳ ଖେଳାଳି ଜିତିଥିଲେ ସବୁରି ହୃଦୟ । ଚଳିତ ବିଶ୍ୱକପ୍‌ରେ ଦୁଇ ଦିନ ମଧ୍ୟରେ ଖେଳାଯାଇଥିବା ୫ଟି ଲିଗ ମ୍ୟାଚରୁ ଇଂଲଣ୍ଡ- ନେପାଳ ମ୍ୟାଚ ରୋମାଞ୍ଚର ଶିଖର ଛୁଇଁଥିଲା । ଯଦି ଏହି ମ୍ୟାଚ୍‌ରେ ନେପାଳ ବିଜୟୀ ହୋଇଥାନ୍ତା, ତେବେ ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ ସହ ଇତିହାସ ରଚିଥାନ୍ତା । ମ୍ୟାଚ ହାରିବି ସମସ୍ତଙ୍କ ହୃଦୟ ଜିତିଛି ନେପାଳ କ୍ରିକେଟ୍ ଟିମ୍ ।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୮୪ ରନ କରିଥିଲା । ଜବାବରେ ନେପାଳ ୬ ୱିକେଟ୍‌ରେ ୧୮୦ ରନ କରିପାରିଥିଲା । ୱିଲ ଜାକ୍ସ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଶେଷ ୯ ବଲରୁ ନେପାଳ ୧୩ ରନ୍‌ ଆବଶ୍ୟକ କରୁଥିଲା । ଲୋକେଶ ବାମ ୨ ଓ ୧ ରନ୍‌ ନେଇ ଗୁଲସନ ଝାଙ୍କୁ ଷ୍ଟ୍ରାଇକ ଛାଡ଼ିଥିଲେ । ଝା (୧) କିନ୍ତୁ ୧୯ ଓଭରର ଅନ୍ତିମ ବଲରେ ଆଉଟ୍‌ ହୋଇଯାଇଥିଲେ । ଶେଷ ୬ ବଲରେ ନେପାଳର ବିଜୟ ପାଇଁ ୧୦ ରନ ଲୋଡ଼ା ଥିଲା । ସାମ କୁରାନ ବୋଲିଂ କରିବାକୁ ଆସିଥିଲେ । ଷ୍ଟ୍ରାଇକରେ ଥିଲେ ବାମ୍‌ । ଓଭରର ପ୍ରଥମ ବଲରେ କୌଣସି ରନ ହୋଇ ନଥିଲା । ଦ୍ୱିତୀୟ ବଲରେ ବାମ୍‌ ୧ ରନ ନେଇଥିଲେ । ତୃତୀୟ ବଲରେ କରନ କେସି ମଧ୍ୟ ୧ ରନ କରିଥିଲେ । ଚତୁର୍ଥ ବଲରେ ବାମ୍‌ ୨ ରନ୍‌ ନେଇ ଇଂଲଣ୍ଡକୁ ଘୋର ଚାପରେ ପକାଇଥିଲେ । ଛାତି ଧଡ଼ ଧଡ଼ କରୁଥିଲା । କିନ୍ତୁ ପଞ୍ଚମ ବଲ୍‌ ଡଟ୍‌ ଯାଇଥିଲା । ତଥାପି ଇଂଲଣ୍ଡର ଭୟ ଯାଇ ନଥିଲା । ଶେଷ ବଲରେ ଗୋଟିଏ ଛକା ଆବଶ୍ୟକ ଥିଲା । ବାମ କିନ୍ତୁ ବିଫଳ ହୋଇଥିଲେ । ସେ ମାତ୍ର ଗୋଟିଏ ରନ ନେବାରେ ସଫଳ ହୋଇଥିଲେ । ଇଂଲଣ୍ଡକୁ ମିଳିଥିଲା ବଡ଼ ଆଶ୍ୱସ୍ତି । ୪ ରନ୍‌ରେ ବିଜୟୀ ହୋଇ ଦଳ ପୂରା ପଏଣ୍ଟ ହାସଲ କରିଥିଲା ଦଳ ।

​​​​​​​

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ; ଆୟର୍ଲାଣ୍ଡକୁ ୨୦ ରନ୍‌ରେ ହରାଇ ଶ୍ରୀଲଙ୍କାର ବିଜୟ ଅଭିଯାନ, ହସରଙ୍ଗା ଭାଙ୍ଗିଲେ ଆଫ୍ରିଦିଙ୍କ ରେକର୍ଡ

ଇଂଲଣ୍ଡ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୮୪ ରନ କରିଥିଲା । ଜାକୋବ ବେଥେଲ ୫୫, ହ୍ୟାରି ବ୍ରୁକ୍‌ ୫୩ ଓ ୱିଲ ଜାକ୍ସ ୩୯ (ଅପରାଜିତ) ରନ କରିଥିଲେ । ଦୀପେନ୍ଦ୍ର ସିଂ ଓ ନନ୍ଦନ ଯାଦବ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ୧୮୫ ରନର ବିଜୟ ଲକ୍ଷ୍ୟ ନେଇ ନେପାଳ ଶେଷ ବଲ ପର୍ଯ୍ୟନ୍ତ ଲଢ଼େଇ କରି ୬ ୱିକେଟ୍‌ରେ ୧୮୦ ରନ କରିଥିଲା । କୁଶଲ ଭୁର୍ତେଲ ୨୯, ରୋହିତ ପୌଦେଲ ୩୯, ଦୀପେନ୍ଦ୍ର ସିଂ ୪୪ ଓ ଲୋକେଶ ବାମ ୩୯ ରନ କରିଥିଲା । ଲିଆମ ଡାଓସନ ୨ ୱିକେଟ୍‌ ନେଇଥିଲେ ।