ନୂଆଦିଲ୍ଲୀ, ୨୧।୪: ନିଜର ଚରମ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା ଲାଗିଛି । ସାଉଦି ଆରବର ଚାପ ଏବଂ ଅନୁରୋଧ ଆଗରେ ନଇଁଯାଇ ପାକିସ୍ତାନ, ସୁଦାନ ସହିତ କରିଥିବା ୧.୫ ବିଲିୟନ ଡଲାର (ପ୍ରାୟ ୪୨ ହଜାର କୋଟି ପାକିସ୍ତାନୀ ଟଙ୍କା)ର ଏକ ବୃହତ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନ ଚୁକ୍ତିକୁ ବାତିଲ କରିଦେଇଛି । ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଏବଂ ଆନ୍ତର୍ଜାତୀୟ ରଣନୀତିକୁ ଦୃଷ୍ଟିରେ ରଖି ସାଉଦି ଆରବ ଏହି ଚୁକ୍ତି ପାଇଁ ପାଣ୍ଠି ଯୋଗାଇବାକୁ ମନା କରିଦେବା ପରେ ପାକିସ୍ତାନ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ।

କ’ଣ ଥିଲା ଏହି ମେଗା ଡିଲ୍ ?

ସୂଚନା ଅନୁଯାୟୀ, ପାକିସ୍ତାନୀ ସେନା ସୁଦାନକୁ ନିଜର ଅତ୍ୟାଧୁନିକ ଜେଟ୍ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଏକ ଚୁକ୍ତି କରିଥିଲା । ରଏଟର୍ସର ରିପୋର୍ଟ ଅନୁଯାୟୀ, ଗତ ଜାନୁଆରୀ ମାସରେ ଏହି ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା । ଏହି ଚୁକ୍ତି ପଛରେ ସାଉଦି ଆରବର ପ୍ରମୁଖ ଭୂମିକା ରହିଥିଲା ଏବଂ ସେହି ସମୟରେ ଏହାକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଥିଲା । ବିଶେଷକରି ପୂର୍ବରୁ ଭାରତ ସହ ସୀମା ବିବାଦ ସମୟରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ପ୍ରଣାଳୀର ପ୍ରଦର୍ଶନକୁ ଦେଖି ସୁଦାନ ଏହି ଆଗ୍ରହ ପ୍ରକାଶ କରିଥିଲା । ସୁଦାନରେ ଗତ ପ୍ରାୟ ତିନି ବର୍ଷ ଧରି ସେନା ଏବଂ ଅର୍ଦ୍ଧସାମରିକ ବଳ ‘ରାପିଡ୍ ସପୋର୍ଟ ଫୋର୍ସେସ୍’ (RSF) ମଧ୍ୟରେ ଭୟଙ୍କର ସଂଘର୍ଷ ଜାରି ରହିଛି । ଏହି ଯୁଦ୍ଧ ଯୋଗୁଁ ବିଶ୍ୱର ସବୁଠାରୁ ବଡ଼ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ସୁଦାନ ହେଉଛି ସୁନାର ଏକ ପ୍ରମୁଖ ଉତ୍ପାଦକ ଦେଶ, ତେଣୁ ଏହାକୁ ନେଇ ବିଭିନ୍ନ ବିଦେଶୀ ଶକ୍ତିଙ୍କ ମଧ୍ୟରେ ସ୍ୱାର୍ଥ ରହିଛି ।

ସୂତ୍ର ଅନୁଯାୟୀ, ପାଶ୍ଚାତ୍ୟ ରାଷ୍ଟ୍ରମାନେ ସୌଦି ଆରବକୁ ପରାମର୍ଶ ଦେଇଥିଲେ କି ସେ ଆଫ୍ରିକାରେ ଚାଲିଥିବା ଏହି 'ପ୍ରକ୍ସି ୱାର୍' ରୁ ନିଜକୁ ଦୂରେଇ ରଖୁ । ସାଉଦି ଆରବ ସୁଦାନ ସେନାକୁ ସମର୍ଥନ କରୁଥିବା ବେଳେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ବିରୋଧୀ ପକ୍ଷ RSFକୁ ସହାୟତା କରୁଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ, ନିଜର ରଣନୀତିକୁ ପୁନଃ ସମୀକ୍ଷା କରିବା ପରେ ସାଉଦି ଆରବ ପାକିସ୍ତାନକୁ ଏହି ଚୁକ୍ତିରୁ ହଟିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏଥିପାଇଁ ଫଣ୍ଡିଂ ବନ୍ଦ କରିଦେଇଛି ।

ପାକିସ୍ତାନ ଉପରେ ଏହାର ପ୍ରଭାବ:

ପାକିସ୍ତାନ ପାଇଁ ସାଉଦି ଆରବ କେବଳ ଏକ ସହଯୋଗୀ ନୁହେଁ, ବରଂ ଏକ ଆର୍ଥିକ ମେରୁଦଣ୍ଡ । ପାକିସ୍ତାନର ଦୁର୍ବଳ ଅର୍ଥନୀତି ପାଇଁ ସାଉଦି ସବୁବେଳେ ଋଣ ଏବଂ ସହାୟତା ପ୍ରଦାନ କରିଆସିଛି । ଏପରିକି ଦୁଇ ଦେଶ ମଧ୍ୟରେ ଏକ ‘ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’ ମଧ୍ୟ ରହିଛି । ତେଣୁ ସାଉଦିର ନିଷ୍ପତ୍ତିକୁ ପାକିସ୍ତାନ ଏଡ଼ାଇବା ସମ୍ଭବ ନଥିଲା । କେବଳ ସୁଦାନ ନୁହେଁ, ଲିବିଆର 'ନ୍ୟାସନାଲ ଆର୍ମି' ସହିତ ପାକିସ୍ତାନର ହୋଇଥିବା ୪ ବିଲିୟନ ଡଲାରର ଅନ୍ୟ ଏକ ଚୁକ୍ତି ମଧ୍ୟ ଏବେ ବିପଦରେ ଥିବା କୁହାଯାଉଛି । ସାଉଦି ଆରବ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ନିଜର ରଣନୀତିରେ ପରିବର୍ତ୍ତନ କରୁଥିବାରୁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ରପ୍ତାନି ବ୍ୟବସାୟ ଏବେ ବଡ଼ ବାଧାର ସମ୍ମୁଖୀନ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ଉପରେ ପାକିସ୍ତାନୀ ସେନା କିମ୍ବା ସାଉଦି ସରକାର କୌଣସି ଆଧିକାରିକ ପ୍ରତିକ୍ରିୟା ରଖିନାହାନ୍ତି । ମାତ୍ର ଏହି ଘଟଣା ପ୍ରମାଣିତ କରୁଛି ଯେ, ପାକିସ୍ତାନ ନିଜର ବୈଦେଶିକ ନୀତି ଏବଂ ଆର୍ଥିକ ନିଷ୍ପତ୍ତି ପାଇଁ ସମ୍ପୂର୍ଣ୍ଣ ଭାବେ ସାଉଦି ଆରବ ଉପରେ ନିର୍ଭରଶୀଳ ।

ଆହୁରି ପଢ଼ନ୍ତୁ... ​​​​​​​Islamabad peace talks: ଟ୍ରମ୍ପଙ୍କ ଧମକ ଭିତରେ ଆଜି ଇସଲାମାବାଦରେ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା, ଯୁଦ୍ଧ ବନ୍ଦ ନେଇ ଫିଟିପାରେ ବାଟ