ୱାଶିଂଟନ/ତେହରାନ, ୨୧/୦୪ : ଇସଲାମାବାଦରେ ଆଜି ଆମେରିକା-ଇରାନ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହେବ। ଦ୍ଵିତୀୟ ପର୍ଯ୍ୟାୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣିଥରେ ଧମକ ଦେଇଛନ୍ତି । କହିଛନ୍ତି ଯୁଦ୍ଧ ବନ୍ଦ ଲାଗି ଶାନ୍ତି ବୁଝାମଣା ନକଲେ ଇରାନ ଉପରେ ପ୍ରବଳ ବୋମା ବର୍ଷଣ କରାଯିବ । ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଯୁଦ୍ଧବିରତି ଶେଷ ହେବା ପୂର୍ବରୁ ଇରାନ ସହ ବୁଝମଣା ଚୂଡ଼ାନ୍ତ ହେବ ବୋଲି ଆଶା ରହିଛି । କିନ୍ତୁ ଯଦି ଇରାନ ଏହି ଆଲୋଚନାକୁ ନ ଆସେ କିମ୍ବା କଥାବାର୍ତ୍ତା ବିଫଳ ହୁଏ କିମ୍ବା ଯୁଦ୍ଧବିରତି ଅବଧି ନ ବଢ଼େ ତେବେ ଆମେରିକା ତାର ବିକଳ୍ପ ପ୍ରସ୍ତୁତ କରିରଖିଛି । ଇରାନ ଉପରେ ଅଜସ୍ର ବୋମା ଫୁଟିବ ।
ଇସଲାମାବାଦରେ କଥାବାର୍ତ୍ତା ଲାଗି ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କ ନେତୃତ୍ୱରେ ଆମେରିକାର ଏକ ୩ ଜଣିଆ ପ୍ରତିନିଧି ଦଳ ସେଠାକୁ ଯାଇଛନ୍ତି । ତେବେ ଇରାନ ଏହି ଆଲୋଚନାରେ ଅଂଶଗ୍ରହଣ କରିବ କି ବୋଲି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ସେ ଜାଣିନାହାନ୍ତି । କିନ୍ତୁ ଇରାନ ସେଠାକୁ ଯିବା କଥା । ଗଲେ ଭଲ । ଆମେ ବି ଚାହୁଁଛୁ ଇରାନ ଯାଉ, ଆଲୋଚନାରେ ଭାଗନେଉ । କିନ୍ତୁ ନଗଲେ ଆହୁରି ଭଲ । ଇରାନ ସହ ଶାନ୍ତି ଆଲୋଚନାରେ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନରଙ୍କୁ ସାମିଲ କରାଯିବାକୁ ନେଇ ପ୍ରଶ୍ନ ଉଠିଛି । କାରଣ ମଧ୍ୟପ୍ରାଚ୍ୟ ଅଞ୍ଚଳରେ କୁଶନରଙ୍କ ବ୍ୟବସାୟିକ ସ୍ୱାର୍ଥ ଥିବା ଅଭିଯୋଗ ହୋଇଛି । କିନ୍ତୁ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି ।
ଆମେରିକା ଓ ଇରାନ ମଧ୍ୟରେ ଗତ ୮ ତାରିଖରେ ହୋଇଥିବା ୧୪ ଦିନିଆ ଯୁଦ୍ଧବିରତି ଆସନ୍ତା ୨୨ରେ ଶେଷ ହେଉଛି । ତା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ପୁଣି ଏକ ପର୍ଯ୍ୟାୟ କଥାବାର୍ତ୍ତା କରିବା ଲାଗି ଆମେରିକା ଓ ଇରାନର ପ୍ରତିନିଧି ଦଳ ଇସଲାମାବାଦ ଅଭିମୁଖେ ଆସିଛନ୍ତି । ଭାନ୍ସଙ୍କ ସହ କୁଶନର ଓ ମଧ୍ୟପ୍ରାଚ୍ୟର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଆମେରିକା ପ୍ରତିନିଧି ଦଳରେ ସାମିଲ ଅଛନ୍ତି । ସେହିଭଳି ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ନେତୃତ୍ୱରେ ତେହରାନର ଏକ ପ୍ରତିନିଧି ଦଳ ସୋମବାର ଇସଲାମାବାଦ ପହଞ୍ଚିବ ବୋଲି ଜଣାପଡିଛି । ଏହା ପୂର୍ବରୁ ଇରାନ ବୈଠକରେ ସାମିଲ ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଇରାନ ଦର୍ଶାଇଥିଲା ଯେ ହୋର୍ମୁଜ ଉପକୂଳରେ ଥିବା ଏହାର ସବୁ ବନ୍ଦରକୁ ଆମେରିକା ଅବରୋଧ କରିଦେଇଛି । ଏଥିସହ ଏହାର ଏକ ତୈଳ ଟ୍ୟାଙ୍କରକୁ କବ୍ଜା କରିନେଇଛି । ଏଭଳି ସ୍ଥଳେ କଥାବାର୍ତ୍ତରେ ଭାଗନେବା ସମ୍ଭବ ନୁହେଁ । ଏ ସମ୍ପର୍କରେ ଇରାନ ମଧ୍ୟ ଆଲୋଚନାର ଆୟୋଜନ କରୁଥିବା ପାକିସ୍ତାନକୁ ଜଣାଇ ଦେଇଥିଲା । ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ଘଟଣା ସମ୍ପର୍କରେ ଟ୍ରମ୍ପଙ୍କୁ ଟେଲିଫୋନ୍ ଯୋଗେ ଅବଗତ କରିଥିଲେ । ଇରନର ସବୁ ବନ୍ଦରକୁ ଅବରୋଧ କରାଯାଇଥିବାରୁ କଥାବାର୍ତ୍ତାରେ ବାଧା ସୃଷ୍ଟି ହୋଇଥିବା ମୁନିର କହିଥିଲେ । ତେବେ ଟ୍ରମ୍ପ ଏହା ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଟ୍ରମ୍ପଙ୍କ ଠାରୁ ଆଶ୍ୱାସନା ପାଇବା ପରେ ଇରାନ ଆଲୋଚନାରେ ଭାଗନେବାକୁ ରାଜି ହୋଇଛି । ଆଲୋଚନା ଲାଗି ଇସ୍ଲାମାବାଦରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଆମେରିକା ଓ ଇରାନ ମଧ୍ୟରେ ଗତ ୧୧-୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । କିନ୍ତୁ ଇରାନର ପରମାଣୁ କାର୍ଯ୍ୟକ୍ରମ, ହୋର୍ମୁଜ ଜଳମାର୍ଗ ଏବଂ ଲେବାନନରେ ଆକ୍ରମଣ ଭଳି ୩ଟି ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ଆଗକୁ ବଢ଼ିପାରି ନଥିଲା । ଉଭୟ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିବାରୁ ବିନା କୌଣସି ବୁଝାମଣାରେ ଆଲୋଚନା ଶେଷ ହୋଇଥିଲା । ସେପଟେ ଉଭୟ ଦେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲେ ମଧ୍ୟ ପୂର୍ବରୁ ଘୋଷଣା ହୋଇଥିବା ଯୁଦ୍ଧବିରତି ଏବେ ବି ବଳବତ୍ତର ରହିଛି । ହେଲେ ହୋର୍ମୁଜକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।
ଏହି ଖବରଟିକୁ ପଢନ୍ତୁ- ୟୁଏସ୍ –ଇସ୍ରାଏଲ କରୁଛନ୍ତି ‘ସରପ୍ରାଇଜ୍ ଆଟାକ୍’ର ପ୍ଲାନ୍ : ଇରାନର ବଡ଼ ଦାବି