ନୂଆଦିଲ୍ଲୀ : ପାକିସ୍ତାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଅତି କମରେ ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ଏବଂ ତିନି ଜଣ ଗୁରୁତର ହୋଇଛନ୍ତି। ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ ଏହି ଦୁର୍ଘଟଣା ନେଇ ଆଜି (ଶୁକ୍ରବାର) ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଡେରା ଇସମାଇଲ ଖାନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ​ଗାଡ଼ିର ବ୍ରେକ୍ ଫେଲ୍ ହେବା କାରଣରୁ ଏହା ଏକ ଗଭୀର ଖାତକୁ ଖସିପଡ଼ିଲା। ଗାଡ଼ିଟି ଝୋବ୍ ଜିଲ୍ଲାରୁ ଡେରା ଇସମାଇଲ ଖାନ ଅଭିମୁଖେ ଯାତ୍ରା କରୁଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇଛି ଯେ, ଘଟଣାସ୍ଥଳରୁ ପାଞ୍ଚ ଜଣ ମହିଳା, ଜଣେ ପୁରୁଷ ଏବଂ ଜଣେ ଶିଶୁ ସମେତ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତ ତିନି ଜଣଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ଅଧିକାରୀ ମାନେ ନିଶ୍ଚିତ କରିଛନ୍ତି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର ଥିଲେ।

ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବସ୍ ଦୁର୍ଘଟଣାରେ ଅତି କମରେ ନଅ ଜଣ ପ୍ରାଣ ହରାଇଥିଲେ ଏବଂ ୩୦ ରୁ ଅଧିକ ଆହତ ହୋଇଥିଲେ। ବସ୍ ଇସଲାମାବାଦରୁ ଲାହୋର ଅଭିମୂଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପଞ୍ଜାବ ପ୍ରଦେଶର ଚକୱାଲ ଜିଲ୍ଲାର ବାଲକାସର ନିକଟରେ ବସ୍ ଟି ଏକ ଖାତକୁ ଖସିପଡ଼ିଥିଲା। ଗାଡ଼ିଟି ୪୦ ରୁ ଅଧିକ ଯାତ୍ରୀଙ୍କୁ ନେଇଯାଉଥିଲା। ଟାୟାର ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିଲା।