ନୂଆଦିଲ୍ଲୀ ୧୨/୦୫: ଭାରତ ବିରୋଧରେ ଏଫ-୧୬ ଯୁଦ୍ଧବିମାନ ବ୍ୟବହାର କରି ପାକିସ୍ତାନ ବଡ଼ ଭୁଲ କରିଦେଇଛି । କାରଣ ଏହି ବିମାନ ଏବେ ପାକିସ୍ତାନ ଠାରୁ ଆମେରିକା ଫେରାଇ ନେବା ଉପରେ ବିଚାର କରୁଥିବା ନେଇ ସୂଚନା ମିଳିଛି । ଭାରତ ବିରୋଧରେ ଏହାକୁ ବ୍ୟବହାର ନ କରିବା ସର୍ତ୍ତରେ ହିଁ ଆମେରିକା ଏହି ଅତ୍ୟାଧୁନିକ ଲଢ଼ୁଆ ବିମାନ ପାକିସ୍ତାନକୁ ଦେଇଥିଲା । ଏହା କେବଳ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅଣାଯାଇଥିଲା । ହେଲେ ପାକିସ୍ତାନ ଭାରତ ବିରୋଧରେ ତାର ବ୍ୟବହାର କରିଛି ।  

ଏଫ-୧୬କୁ ପାକିସ୍ତାନୀ ବାୟୁସେନାର ସବୁଠାରୁ ଶ୍ରେଷ୍ଠ ସ୍କ୍ୱାଡ୍ରନ ବୋଲି ବିବେଚନା  କରାଯାଏ । ପାକିସ୍ତାନ ଏହି ବିମାନ ଆମେରିକା ଠାରୁ କିଣିଛି । ବିମାନ କ୍ରୟ-ବିକ୍ରୟ ବେଳେ ଦୁଇଦେଶ ମଧ୍ୟରେ ଏକ ସର୍ତ୍ତ ରହିଥିଲା । ଯାହାକୁ ଏଣ୍ଡ ୟୁଜ ମନିଟରିଂ ଏଗ୍ରିମେଣ୍ଟ କୁହାଯାଉଛି । ସେଥିରେ କୁହାଯାଇଥିଲା କି ଏହି ଯୁଦ୍ଧବିମାନକୁ ପାକିସ୍ତାନ  ଆତଙ୍କବାଦୀ ବିରୋଧୀ ଅଭିଯାନ ଓ ଆଭ୍ୟନ୍ତରୀଣ  ସୁରକ୍ଷା ଦିଗରେ  ବ୍ୟବହାର କରିବ।  କୌଣସି ପରିସ୍ଥିତିରେ  ଭାରତ ବିରୋଧରେ ଏହାକୁ ବ୍ୟବହାର କରିବ ନାହିଁ । ଆମେରିକା ମଧ୍ୟ ପାକିସ୍ତାନର ଏହି ଏଫ-୧୬ ବିମାନ ବ୍ୟବହାର  ଉପରେ ନଜର ରଖିଆସିଛି । ହେଲେ ପାକିସ୍ତାନ  ଲଗାତାର ଭାବେ ସର୍ତ୍ତ ଉଲ୍ଲଂଘନ କରି ଭାରତ  ବିରୋଧରେ ବ୍ୟବହାର କରିଆସୁଛି । ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭାରତ  ବିରୋଧରେ ଏଫ-୧୬ ବ୍ୟବହାର କରିଥିଲା।  ଭାରତର ମିଗ୍‌-୨୧ ବିମାନ ତାକୁ ଗୁଳିକରି  ଖସାଇ ଦେଇଥିଲା ।  ଏକଥା  ସାମ୍‌ନାକୁ ଆସିବା ପରେ ଭାରତ ଆମେରିକାକୁ  ତାହା ଜଣାଇଥିଲା । ଆମେରିକା ଚିଠି ଲେଖି  ପାକିସ୍ତାନକୁ ତାଗିଦ ମଧ୍ୟ କରିଥିଲା । 

ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ଏଫ- ୧୬କୁ ବ୍ୟବହାର କରିଥିଲା । ଯାହାକୁ ଭାରତୀୟ ସେନା ଖସାଇ ଦେଇଥିଲେ । କେବଳ ଏଫ- ୧୬ ନୁହେଁ, ଚୀନ୍‌ ନିର୍ମିତ ଜେଏଫ-୧୭ ଭଳି  ଆଧୁନିକ ବିମାନ ମଧ୍ୟ ଭାରତୀୟ ସେନା ହାତରେ ଚିତ୍‌ ମାରିଥିଲା । ବର୍ତ୍ତମାନ ଏହା  ସାମ୍‌ନାକୁ ଆସିବା ପରେ ଆମେରିକା ଏବେ  ପାକିସ୍ତାନ ନିକଟରୁ ଏଫ-୧୬ ଫେରାଇନେବା ଉପରେ ବିଚାର କରୁଛି । ନଚେତ ଏଫ- ୧୬ ବ୍ୟବହାର ନେଇ ପାକିସ୍ତାନ ଉପରେ କଟକଣା ଲଗାଇବ । ଏପରିକି ଏଫ-୧୬ର ରକ୍ଷଣାବେକ୍ଷଣ ଲାଗି ପାକିସ୍ତାନକୁ ଆମେରିକା  ଯେଉଁ କୋଟି କୋଟି ଟଙ୍କାର ସହାୟତା ଦେଉଛି ତାକୁ ବନ୍ଦ କରିପାରେ ।