ନୂଆଦିଲ୍ଲୀ,୫।୩: ପାକିସ୍ତାନ କ୍ରିକେଟ ଟିମ୍ ପାଇଁ ଟି-୨୦ ବିଶ୍ବକପ୍ ୨୦୨୬ ଖୁବ୍ ଖରାପ ରହିଛି। ବହୁ କାରଣରୁ ଖେଳାଳିମାନେ ସମାଲୋଚନାର ସାମନା କରିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କ ବିରୋଧରେ ଆକ୍ସନ ମଧ୍ୟ ନେଇଛି। ଏସବୁ ଭିତରେ ଏକ ଚକିତ କଲା ଭଳି ଘଟଣା ସାମନାକୁ ଆସିଛି। ପାକିସ୍ତାନର ଟିମ୍ ନିଜର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା। ସେଠାରେ ଟିମ୍ ଥିବା ବେଳେ ହୋଟେଲ୍ରେ ଏଭଳି କିଛି ଘଟଣା ଘଟାଇଥିଲେ,ଯେଉଁ କାରଣରୁ ପାକିସ୍ତାନ ଟିମ୍ ମ୍ୟାନେଜର ନଭିଦ ଚିମାଙ୍କୁ ଆକ୍ସନ ନେବାକୁ ବାଧ୍ୟ କରିଥିଲା।
ଶ୍ରୀଲଙ୍କାରେ ଜଣେ ପାକିସ୍ତାନୀ ଖେଳାଳିଙ୍କ ଉପରେ ହୋଟେଲ କର୍ମଚାରୀଙ୍କ ସହ ଖରାପ ବ୍ୟବହାର କରିବାର ଅଭିଯୋଗ ଆସିଛି, ଯାହା ପରେ ତାଙ୍କୁ ଜରିମାନା ଦେବାକୁ ପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାର କାଣ୍ଡିର ଗୋଲଡେନ୍ କ୍ରାଉନ୍ ହୋଟେଲରେ ଏହି ଘଟଣା ଘଟିଛି, ଯେଉଁଠାରେ ବିଶ୍ୱକପ୍ ସମୟରେ ପାକିସ୍ତାନ ଦଳ ରହୁଥିଲା। ଅଭିଯୋଗ ଅନୁଯାୟୀ, ମହିଳା ହାଉସ କିପିଂ କର୍ମଚାରୀଙ୍କ ସହ ଖେଳାଳି ଜଣକ ଖରାପ ବ୍ୟବହାର କରିଥିଲେ। ପରେ ହୋଟେଲ ଅଧିକାରୀମାନେ ଟିମ୍ ମ୍ୟାନେଜର ନାଭିଦ ଚିମାଙ୍କ ନିକଟରେ ଅଭିଯୋଗ କରିଥିଲେ। ମ୍ୟାନେଜର ଖେଳାଳିଙ୍କୁ ଜରିମାନା କରିଥିଲେ ଏବଂ ହୋଟେଲ ମ୍ୟାନେଜମେଣ୍ଟଙ୍କୁ କ୍ଷମା ମାଗିଥିଲେ।
ଆହୁରି ପଢନ୍ତୁ : ସମାନ ଗ୍ରାଉଣ୍ଡ, ୩୮ ବର୍ଷର ପୁରୁଣା ଜଖମ୍: ସେମି ଫାଇନାଲରେ ହିସାବ କରିବ ସୂର୍ଯ୍ୟସେନା
ଟିମ୍ ମ୍ୟାନେଜର ନଭିଦ ଚିମାଙ୍କ ପକ୍ଷରୁ ତୁରନ୍ତ ମାମଲାର ସମାଧାନ କରାଯାଇଥିଲା,କିନ୍ତୁ ଖେଳାଳିଙ୍କୁ ଆଗକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଡିସିପ୍ଲିନାରୀ କମିଟି ଆଗରେ ହାଜର ହେବାର ସମ୍ଭାବନାରହିଛି। ଯେଉଁଠାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଟେଲିକମ୍ ଏସିଆ ସ୍ପୋର୍ଟର ରିପୋର୍ଟ ଅନୁସାରେ, ଏହି ଘଟଣା ବେଳେ ମହିଳା ହାଉସକିପିଂ ଷ୍ଟାଫ୍ ଚିଲାଇକି ସାହାଯ୍ୟ ପାଇଁ ଡାକିଥିଲେ। ଏହାପରେ ହୋଟେଲ କର୍ମଚାରୀ ତାଙ୍କର ସାହଯ୍ୟ ପାଇଁ ଆସିଥିଲେ।ତେବେ ଖେଳାଳିଙ୍କ ନାଁ ଏପର୍ଯ୍ୟନ୍ତ ସାମନାକୁ ଆସିନାହିଁ।
ଏହି ଘଟଣା ପାକିସ୍ତାନର ଶେଷ ସୁପର ୮ ମ୍ୟାଚ୍ ପୂର୍ବରୁ କିମ୍ବା ଏହାର ପାଖାପାଖି ଘଟିଥିଲା, ଯେଉଁଥିରେ ସେମାନେ ଶ୍ରୀଲଙ୍କାକୁ ମାତ୍ର ୫ ରନରେ ପରାସ୍ତ କରିଥିଲେ। ଏହି ବିଜୟ ସତ୍ତ୍ୱେ, ନେଟ୍ ରନ୍ ରେଟ୍ କମ୍ ଥିବାରୁ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା, ଯାହା ଫଳରେ ଏକ ନିରାଶାଜନକ ଅଭିଯାନ ହୋଇଥିଲା।ଉଲ୍ଲେଖନୀୟ ଯେ ପାକିସ୍ତାନୀ କ୍ରିକେଟରେ ଏପରି ବିବାଦ ପ୍ରଥମ ଥର ନୁହେଁ। ପୂର୍ବରୁ ଦଳର ଗସ୍ତ ସମୟରେ ଖେଳାଳି କିମ୍ବା ସହାୟକ କର୍ମଚାରୀଙ୍କ ଉପରେ ଅନୁଶାସନହୀନତାର ଅଭିଯୋଗ ଆସି ସାରିଛି।