ନୂଆଦିଲ୍ଲୀ, ୨୫।୨: ପାନାମାର ମାଟି ତଳୁ ମିଳିଛି ଏକ ଏମିତି ରହସ୍ୟ, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ! ପାନାମାର ଘଞ୍ଚ ଜଙ୍ଗଲ ଓ ପୁରୁଣା ମାଟି ତଳେ ଦେବତାଙ୍କ ଭଳି ଶୋଇଥିଲା ଏକ ରହସ୍ୟ । ପାନାମା ସିଟିଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନରେ ମୁଖ୍ୟ ଗବେଷକ ଜୁଲିଆ ମାୟୋଙ୍କ ନେତୃତ୍ୱରେ ଖୋଦନ ଚାଲିଥିଲା । ହଠାତ୍ ସେମାନଙ୍କୁ ମିଳିଲା ଏକ ବିଶାଳ କବର, ଯାହା ପ୍ରାୟ ୮୦୦ ରୁ ହଜାର ଖ୍ରୀଷ୍ଟାବ୍ଦ ପୁରୁଣା । ଏହି କବର ଭିତରେ ଥିବା କଙ୍କାଳଟି କେବଳ ମାଟିରେ ଶୋଇନଥିଲା, ବରଂ ତା' ଚାରିପଟେ ଘେରି ରହିଥିଲା ଅମୂଲ୍ୟ ସମ୍ପତ୍ତି । ଏହି ରହସ୍ୟ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଅଜଣା ଥିଲା, ଏହା ଏକ ଅଜବ ଦୁନିଆର ବାଟ ଖୋଲିଥିଲା । ଆସନ୍ତୁ ଜାଣିବା ପାନାମାର 'ଏଲ୍ କାନୋ' ପ୍ରତ୍ନତାତ୍ତ୍ୱିକ ପାର୍କରୁ ମିଳିଥିବା ସେହି ସୁନା ଭର୍ତ୍ତି କବରର ରହସ୍ୟମୟ କାହାଣୀ...
ଏହା ବି ପଢ଼ନ୍ତୁ... ସାବଧାନ ! ମାର୍ଚ୍ଚ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଛୁଟିର ସମ୍ପୂର୍ଣ୍ଣ ତାଲିକା...
ପାନାମାର ନାଟା ଅଞ୍ଚଳରେ ଥିବା 'ଏଲ୍ କାନୋ' ନାମକ ଏକ ପାର୍କରେ ପ୍ରତ୍ନତତ୍ତ୍ୱବିତ୍ ମାନେ ଖୋଳୁ ଖୋଳୁ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ମାଟି ତଳେ ଶୋଇଥିଲା ଏକ କଙ୍କାଳ, ଯାହା ଚାରିପଟେ ଝଲସୁଥିଲା କୁଢ଼ କୁଢ଼ ସୁନା ! ସେହି ଶକ୍ତିଶାଳୀ ବ୍ୟକ୍ତି କିଏ ଥିଲେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । ସାଧାରଣ ଲୋକଙ୍କୁ ଏମିତି ସୁନା ଗହଣା ଦେଇ ପୋତାଯାଏ ନାହିଁ । ଜଣାପଡ଼ିଛି ଯେ, ସେହି କବରଟି ଜଣେ ଅତ୍ୟନ୍ତ ପ୍ରଭାବଶାଳୀ 'ମୁଖିଆ' ବା 'ରାଜା' ଙ୍କର ଥିଲା । ତାଙ୍କ ଶରୀରରେ ଏବଂ ଚାରିପଟେ ଭାରି ଓଜନର ସୁନା ହାର ଓ କଙ୍କଣ, କାନରେ ପିନ୍ଧିବା ପାଇଁ ସୁନା କାନଫୁଲ, ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ମାଟି ପାତ୍ର ଆଦି ମିଳିଛି । ପ୍ରାୟ ୨୦୦ ବର୍ଷ ଧରି ଏହି ସ୍ଥାନଟି କେବଳ ଉଚ୍ଚ ପଦବୀରେ ଥିବା ଲୋକଙ୍କୁ ପୋତିବା କରିବା ପାଇଁ ବ୍ୟବହାର କରାଯାଉଥିଲା । ଏପର୍ଯ୍ୟନ୍ତ ସେଠାରୁ ୯ଟି ଏମିତି ଭିଆଇପଙ୍କ କବର ମିଳିସାରିଲାଣି । ରହସ୍ୟମୟ କଥା ହେଉଛି ସେହି ସୁନା ଗହଣା ଉପରେ ବାଦୁଡ଼ି ଏବଂ କୁମ୍ଭୀରର ଆକୃତି ଖୋଦିତ ହୋଇଛି । ସେ ସମୟର ଲୋକେ ଏହି ଜୀବମାନଙ୍କୁ ଶକ୍ତି ଓ ଭୟର ପ୍ରତୀକ ଭାବେ ପୂଜା କରୁଥିଲେ ।
ପ୍ରତ୍ନତତ୍ତ୍ୱବିତ୍ଙ୍କ ହାତରେ ଲାଗିଥିବା ଏହି କବରଟି ଦେଖିବାକୁ ଭୟଙ୍କର । କାରଣ ସେଠାରେ କେବଳ ସେହି ମୁଖିଆଙ୍କ କଙ୍କାଳ ନଥିଲା, ସେ ସମୟର ଏକ ବିଶ୍ୱାସ ଥିଲା ଯେ, ମଲା ପରେ ବି ମଣିଷର ଦୁନିଆ ଶେଷ ହୁଏନି । ତେଣୁ ମୁଖିଆଙ୍କୁ ସେବା କରିବା ପାଇଁ ତାଙ୍କ ସହିତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଜୀବନ୍ତ ବଳି ଦେଇ ପୋତି ଦିଆଯାଉଥିଲା ! ଏହା ଇତିହାସର କଠୋର ପରମ୍ପରା ଥିଲା । ମୁଖିଆଙ୍କ ପ୍ରତିପତ୍ତି ଏତେ ଥିଲା ଯେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଜଣେ ଦେବତାଙ୍କ ଭଳି ବିଦାୟ ଦିଆଯାଇଥିଲା । ଏତେ ସୁନା ଓ ଆସବାବପତ୍ର ଦେଖି ବୈଜ୍ଞାନିକମାନେ କହିଛନ୍ତି ଯେ, ସେ ସମୟର ଲୋକେ 'ମୃତ୍ୟୁ ପରର ଜୀବନ' କୁ ବହୁତ ଗୁରୁତ୍ୱ ଦେଉଥିଲେ । ସେମାନେ ଭାବୁଥିଲେ କି ମରିବା ପରେ ବି ଏହି ସବୁ ସୁନା-ଗହଣା ଓ ମାଟି ପାତ୍ର ମୁଖିଆଙ୍କ କାମରେ ଆସିବ । ପାନାମାର ଏହି ଘଟଣା ପ୍ରମାଣ କରୁଛି ଯେ, ଆଜିଠୁ ହଜାର ବର୍ଷ ପୂର୍ବେ ମଧ୍ୟ ସମାଜରେ ଧନୀ-ଗରିବର ଭେଦଭାବ ଥିଲା ଏବଂ ସୁନା ଥିଲା ସବୁଠୁ ବଡ଼ ସମ୍ମାନର ପ୍ରତୀକ । ସେ ସମୟର ଲୋକଙ୍କ ବିଶ୍ୱାସ ଥିଲା ଯେ ମୃତ୍ୟୁ ଶେଷ ନୁହେଁ, ବରଂ ଏକ ନୂଆ ଯାତ୍ରାର ଆରମ୍ଭ ।