ନୂଆଦିଲ୍ଲୀ,୩୦।୫: ବିହାର ସରକାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ସରକାରୀ ବାସଭବନ ଛାଡିବାକୁ ନିର୍ଦେଶ ଦିଆଯାଇଛି। ୧୦ ସର୍କୁଲାର ରୋଡ୍ରେ ଥିବା କ୍ବାଟରକୁ ଖାଲି କରିବାକୁ ଅଲ୍ଟିମେଟମ ଦିଆଯାଇଛି। ତେବେ ରାବ୍ରି ଦେବୀ ଏହାକୁ ଖାଲି କରିବାକୁ ସଫାସଫା ମନା କରିଦେଇଛନ୍ତି। ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ, ଯେତେ ଫୋର୍ସ ଡକାଇବାର ଅଛି ଡାକି ଦିଅନ୍ତୁ, ତଥାପି ଏହି ଘରୁ ବାହାର କରିପାରିବେନି। ରାବ୍ରୀ ଦେବୀଙ୍କ ଏହି ବୟାନ ପରେ ଏବେ ତାଙ୍କ ବାସଭବନ ନିକଟରେ ପାଟନା ପୋଲିସ ପହଁଞ୍ଚି ଯାଇଛି।
ରାବ୍ରି ଦେବୀଙ୍କୁ ୧୦ ସର୍କୁଲାର ରୋଡ୍ରେ ଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ବିହାର ସରକାର ନିର୍ଦେଶ ଦେଇଥିଲେ। ହେଲେ ସରକାରଙ୍କ ନିର୍ଦେଶକୁ ମାନିନଥିବାରୁ ଓ ଚ୍ୟାଲେଞ୍ଜ ଦେଇଥିବାରୁ ଏବେ ପୋଲିସ ପହଁଞ୍ଚିଛି। କୁହାଯାଉଛି ଯେ, ପାଟା ପୋଲିସ ଶନିବାର ରାବ୍ରି ଦେବୀଙ୍କ ବାସଭବନରେ ପହଁଞ୍ଚିଥିଲା। ସଚିବାଳୟ ଏସଡିପିଓ ଅନୁ କୁମାରୀ ତାଙ୍କ ବାସଭବନ ଭିତରକୁ ଯାଇଥିଲେ। ରାବ୍ରି ଦେବୀଙ୍କୁ ସାକ୍ଷାତ କରିଥିଲେ। ତେବେ ତାଙ୍କ ଭିତରେ କେଉଁ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା ତାହା ସ୍ପଷ୍ଟ ହୋଇନି। ଉଲ୍ଲେଖନୀୟ ଯେ, ପାଟନାରେ ଥିବା ଏହି ବାସଭବନରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଦୁଇ ଦଶକ ହେବ ରହି ଆସୁଛି।
ରାବ୍ରୀ ଦେବୀଙ୍କ ଚ୍ୟାଲେଞ୍ଜକୁ ନେଇ ଏହା ପୂର୍ବବରୁ ବିଜେପି ରାଜ୍ୟ ମୁଖପାତ୍ର ନୀରଜ କୁମାର କହିଛନ୍ତି, ରାବ୍ରି ଦେବୀ ଜୀ, ଏହା ଜଙ୍ଗଲ ରାଜ ନୁହେଁ।ଏଠାରେ ଆଇନ ପାଳନ କରାଯିବା ଉଚିତ। ଚିକିତ୍ସା ପାଇଁ ସିଙ୍ଗାପୁର ଯାଆନ୍ତି, ନାତିର ଜନ୍ମଦିନ ପାଳନ କରିବାକୁ ଦିଲ୍ଲୀ ଯାଆନ୍ତି, ଏବଂ ଯେତେବେଳେ ଲୁଟପାଟର କଥା ଆସେ, ସେମାନେ ବିହାର ଚାଲିଆସନ୍ତୁ। ଏସବୁ ଚାଲିବନି,ଆଇନକୁ ସମ୍ମାନ ଦେବାକୁ ପଡିବ।’ ନୀରଜ କୁମାର ଆହୁରି କହିଛନ୍ତି, ‘ଲାଲୁ ପରିବାର ୧୦ ସର୍କୁଲାର ରୋଡରେ କେଉଁ ଧନ ଲୁଚାଇ ରଖିଛନ୍ତି? ଯଦି ଗୁପ୍ତ ଧନ ଥାଏ, ବିହାର ପୋଲିସ ତାକୁ ଖୋଜି ବାହାର କରିଦେବ।