ରାଉରକେଲା,୨୭/୧୦: ରାଉରକେଲାରେ ଗତ ୩ ମାସ ହେଲା ବନ୍ଦ ରହିଛି ବିମାନ ସେବା। ବିମାନ ଉଡ଼ାଣ ଚାଲୁ କରିବା ଦାବିରେ ସୋମବାର ୧୦ଟା ସମୟରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ଵାଳଙ୍କ ନେତୃତ୍ଵରେ ଆନ୍ଦୋଳନକାରୀମାନେ ବିମାନ ବନ୍ଦର ସମ୍ମୁଖରେ ଆନ୍ଦୋଳନ କରିଥିଲେ । ପରିବା ଧରି ଅଭିନବ ଉପାୟରେ ପ୍ରତିବାଦ ଚଳାଇଥିଲେ। ଆନ୍ଦୋଳନକାରୀ ଦାବି କରିଥିଲେ ଯେ, ଯଦି ସରକାର ବିମାନ ଚଳାଇ ପାରୁନାହାନ୍ତି, ତାହେଲେ ବିମାନ ବନ୍ଦରକୁ ପରିବା ହାଟ କରିଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ରାଉରକେଲାରେ ବିମାନ ସେବା ପ୍ରତି ଅବହେଳା କରାଯିବ ନାହିଁ। ଇତି ମଧ୍ୟରେ ୩ ମାସ ବିତି ଯାଇଥିଲେ ହେଁ ସରକାର, ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିପ୍ରତି କିଛି ପଦକ୍ଷେପ ନେଉ ନାହାନ୍ତି। ତେଣୁ ଆମେ ଆନ୍ଦୋଳନ କରିବାକୁ ବାଧ୍ୟ ହେଲୁ ବୋଲି ମୁକ୍ତିକାନ୍ତ କହିଛନ୍ତି। ଅନ୍ୟପଟେ ଆନ୍ଦୋଳନ ଚାଲିଥିବା ବେଳେ ଛେଣ୍ଡ ଥାନା ପୁଲିସ ସେଠାରେ ପହଞ୍ଚି ଆନ୍ଦୋଳନକାରୀ ଉଠାଇ ନେଇ ଥାନାରେ ଅଟକ ରଖିଛି।