ଚେନ୍ନାଇ: ଫୁଲ ବଦଳରେ ମନ୍ତ୍ରୀଙ୍କ ଉପରକୁ କାଦୁଅ ଫିଙ୍ଗିଲେ ଲୋକେ । ତାମିଲନାଡୁର ଜଣେ ମନ୍ତ୍ରୀଙ୍କ ସହିତ ଏଭଳି କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ମନ୍ତ୍ରୀ ଥିରୁ ପୋନମୁଡିଙ୍କ ଉପରେ ଲୋକମାନେ କାଦୁଅ ଫିଙ୍ଗିଥିବା ଜଣାପଡ଼ିଛି । ବିଜେପି ନେତା କେ ଆନ୍ନାମଲାଇ ଏହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ଲୋକଙ୍କ ଆକ୍ରୋଶ ଚରମରେ ପହଞ୍ଚିବା ପରେ ଏହି ଫଳ ମିଳିଛି ବୋଲି ସେ ଲେଖିଛନ୍ତି । 

ଏହା ସହ ରାଜ୍ୟର ସ୍ଥିତିକୁ ନେଇ ଆନ୍ନାମଲାଇ ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଚେନ୍ନାଇର ବିଭିନ୍ନ ଗଳିରେ ସେଲଫି ନେବାରେ ବ୍ୟସ୍ଥ ଅଛନ୍ତି । ସହରରେ କମ୍‌ ବର୍ଷା ହୋଇଥିବା ବେଳେ ସେମାନେ ସେଠାରେ ହିଁ ବୁଲୁଛନ୍ତି । ଅନ୍ୟ ଅଞ୍ଚଳ ପ୍ରତି ସେମାନଙ୍କର ନିଘା ନାହିଁ ।’ ଆଜି ଲୋକମାନଙ୍କ ଅସନ୍ତୋଷ ସବୁ ସୀମା ଟପିଯାଇଛି । ଏହାର ଫଳ ଭୋଗିଛନ୍ତି ଡିଏମକେର ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଥିରୁ ପୋନମୁଡି । ଡିଏମକେର ଅବସ୍ଥା ଆଗକୁ କଣ ହେବ ତାକୁ ନେଇ ଏହା ହେଉଛି ଲୋକଙ୍କ ପକ୍ଷରୁ ଛୋଟ ସୂଚନା ବୋଲି ଲେଖିଛନ୍ତି ଆନ୍ନାମଲାଇ । 

ସେପଟେ ମନ୍ତ୍ରୀଙ୍କ ଉପରେ କାଦୁଅ ମାଡ଼ ସଂପର୍କରେ ଶାସକ ଡିଏମକେ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏବେ ତାମିଲନାଡୁ ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ସହ ଲଢ଼ୁଛି । ବାତ୍ୟା ଫେଙ୍ଗଲ ପ୍ରଭାବରେ ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।  ରାଜ୍ୟରେ ୧୫ ଟି ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଫୋନ୍‌ କରି ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଲୁପୁରମ, କୁଡାଲୋର ଏବଂ କାଲ୍ଲାକୁରିଚି ଜିଲ୍ଳାରେ ବନ୍ୟା ପ୍ରଭାବିତ ପରିବାରଙ୍କୁ ସହାୟତା ବାବଦରେ ୨୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।