ନୂଆଦିଲ୍ଲୀ,୦୪/୧୦:ଏଣିକି ମହଙ୍ଗା ହେଲା ଆଧାର ଅପଡ଼େଟ୍। ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ ବା ୟୁଆଇଡିଏଆଇ ଆଧାର ଅପଡେଟ୍‌ କରାଇବା ଦେୟକୁ ୨୫ ଟଙ୍କା ଯାଏ ବଢ଼ାଇ ଦେଇଛି । ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ଦର । ଏହା ୨୦୨୮ ସେପ୍ଟେମ୍ବର ୩୦ ଯାଏ ଜାରି ରହିବ । ଏହାପରେ ପୁଣି ଥରେ ଦେୟ ସମୀକ୍ଷା ହେବ ଏବଂ ୨୦୨୮ ଅକ୍ଟୋବର ପହିଲାରୁ ୨୦୩୧ ସେପ୍ଟେମ୍ବର ୩୦ ଅବଧି ଲାଗି ଦେୟ ଲାଗୁ ନିଷ୍ପତ୍ତି ନିଆଯିବ। ନୂଆ ଦର ଅନୁସାରେ, ନୂଆ ଆଧାର ବନାଇବା ସମ୍ପୂର୍ଣ୍ଣ ଭାବେ ମାଗଣା ରହିବ । ମାତ୍ର ନାମ, ଠିକଣା ଏବଂ ଦସ୍ତାବିଜ ପରିବର୍ତ୍ତନ ଭଳି ସେବା ଲାଗି ପୂର୍ବରୁ ୫୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୭୫ ଟଙ୍କା ଲାଗିବ । 

ସେହିଭଳି ବାୟୋମେଟ୍ରିକ ଅପ୍‌ଡେଟ ଭଳି ସେବା ଲାଗି ୧୦୦ ଟଙ୍କା ପରିବର୍ତ୍ତେ ୧୨୫ ଟଙ୍କା ଲାଗିବ । ଶିଶୁଙ୍କ ଆଧାର ଅପଡେଟ୍‌ କରାଇବା ମାଗଣାରେ ହେବ । ୫ରୁ ୭ ବର୍ଷର ଶିଶୁ ଏବଂ ୧୫ରୁ୧୭ ବର୍ଷୀୟ ମାଗଣାରେ ବାୟୋମେଟ୍ରିକ ଅପ୍‌ଡେଟ୍‌ କରିପାରିବେ । ୭ରୁ ୧୫ ବର୍ଷର ଶିଶୁ ୨୦୨୬ ସେପ୍ଟେମ୍ବର ୩୦ ଯାଏ ମାଗଣାରେ ବାୟୋମେଟ୍ରିକ ଅପ୍‌ଡେଟ୍‌ କରିପାରିବେ । ଅନ୍ୟ ବାୟୋମେଟ୍ରିକ ଲାଗି ୧୨୫ ଟଙ୍କା ଦେବାକୁ ହେବ । ନାମ, ଲିଙ୍ଗ, ଜନ୍ମତିଥି, ଠିକଣା କିମ୍ବା ଯୋଗାଯୋଗ ତଥ୍ୟ ଭଳି ଅପ୍‌ଡେଟ୍‌ ବାୟୋମେଟ୍ରିକ ସହ ଅପଡେଟ୍‌ କରୁଥିଲେ ଅତିରିକ୍ତ କୌଣସି ଚାର୍ଜ ଲାଗିବନି । ମାତ୍ର କେବଳ ଡିମୋଗ୍ରାଫିକ ଅପଡେଟ୍‌ ଲାଗି ଦେୟ ୭୫ ଟଙ୍କା ରହିବ । ମାଇଁ ଆଧାର ପୋର୍ଟାଲରେ ପରିଚୟ ଏବଂ ଠିକଣା ଦସ୍ତାବିଜ ଅପ୍‌ଡେଟ ୨୦୨୬ ଜୁନ ଯାଏ ମାଗଣା ରହିବ । ମାତ୍ର ଏନରୋଲମେଣ୍ଟ ସେଣ୍ଟରରେ ଅପ୍‌ଡେଟ୍‌ କ୍ଷେତ୍ରରେ ୭୫ ଟଙ୍କା ଦେବାକୁ ପଡ଼ିବ । ହୋମ୍‌ ଏନରୋଲମେଣ୍ଟ ସର୍ଭିସ ୭୦୦ ଟଙ୍କା ରହିଥିବା ୟୁଆଇଡିଏଆଇ ପକ୍ଷରୁ ସୂଚନା ମିଳିଛି।