କଟକ/ନରସିଂହପୁର,୨୪/୦୭: ରାତିରେ ଘରକୁ ଫେରୁଥିବା ବେଳେ  ବାଇକ୍‌ରୁ ତେଲ ସରିଗଲା । ପେଟ୍ରୋଲ  ପମ୍ପ୍‌ ଯାଇ ତେଲ ମାଗିବାରୁ ବୋତଲରେ ପେଟ୍ରୋଲ ଦେଇ ହେବନି ବୋଲି କୁହାଗଲା ।  ଘାଟି ରାସ୍ତାରେ ବାଇକ୍‌ ରଖି ଘରକୁ କେମିତି  ଯିବେ? ବାଧ୍ୟ ହେଇ ପିକ୍‌ଅପ୍‌ ଭ୍ୟାନ୍‌ ଭଡ଼ା  କରି ସେଥିରେ ବାଇକ୍‌ ଲଦି ତେଲ ଟାଙ୍କି ଯାଏ ଆଣିଲେ । ପିକ୍‌ଅପ୍‌ ଉପରେ ଚଢ଼ି ପମ୍ପ  କର୍ମଚାରୀ ପେଟ୍ରୋଲ ପକାଇବା ପରେ ବାଇକ୍‌  ଷ୍ଟାର୍ଟ କରି ଘରକୁ ଗଲେ ବାଇକ୍‌ ଚାଳକ ।  ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି  କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ । 



ନରସିଂହପୁର ନୂଖାପଡ଼ା ଅଞ୍ଚଳର  ଜଣେ ବ୍ୟକ୍ତି କୌଣସି କାମରେ ଅନୁଗୁଳ  ଯାଇଥିଲେ । ଘରକୁ ଫେରୁଥିବା ବେଳେ ରାତି  ପ୍ରାୟ ୮ଟା ବେଳକୁ ନରସିଂହପୁର-ଅନୁଗୁଳ  ଘାଟିରେ ତାଙ୍କ ବାଇକ୍‌ରୁ ତେଲ ସରିଗଲା । ନିକଟରେ ଥିବା କିଛି ପେଟ୍ରୋଲ ପମ୍ପ୍‌କୁ  ଯାଇ ବୋତଲରେ ବ୍ୟକ୍ତି ଜଣକ ପେଟ୍ରୋଲ  ମାଗିଲେ । କିନ୍ତୁ ପେଟ୍ରୋଲ ପମ୍ପ୍‌ ମାନଙ୍କୁ ଜାରି  ହୋଇଥିବା ନିର୍ଦ୍ଦେଶ ଅନୁସାରେ ବୋତଲରେ  ପେଟ୍ରୋଲ ଦେବାକୁ ମନା କରିଦିଆଗଲା । ଫଳରେ କୌଣସି ବାଟ ନପାଇ ଅନ୍ୟ କିଛି  ଗାଡ଼ିରୁ ସହାୟତା ବି ମାଗିଥିଲେ । କିନ୍ତୁ କେହି  ନିଜ ଗାଡ଼ିରୁ ପେଟ୍ରୋଲ କାଢ଼ି ଦେଲେନାହିଁ ।  ଘାଟି ରାସ୍ତାରେ ନେଟ୍‌ୱକ୍‌ ନ ଥିବାରୁ ଘରକୁ  ମୋବାଇଲ୍‌ ସଂଯୋଗ ବି ହୋଇପାରିଲାନାହିଁ ।  

ଶେଷରେ ଏହି ବାଟ ଦେଇ ନରସିଂହପୁର  ଅଭିମୁଖେ ଯାଉଥିବା ଏକ ଖାଲି ପିକ୍‌ଅପ୍‌ର  ଭ୍ୟାନ୍‌ରେ ବ୍ୟକ୍ତି ଜଣକ ସେଥିରେ ବାଇକ୍‌  ଲଦି ନରସିଂହପୁର ପର୍ଯ୍ୟନ୍ତ ଆଣିଥିଲେ । ନରସିଂହପୁର ଶ୍ରୀରାମବଜାର ନିକଟରେ ଥିବା  ପଟ୍ଟନାୟକ ପେଟ୍ରୋଲ୍‌ ପମ୍ପ୍‌ରେ ବାଇକ୍‌ରେ  ପେଟ୍ରୋଲ ପକାଇ ନିଜ ଘରକୁ ଫେରିଥିଲେ ।  ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ  ଭାଇରାଲ୍‌ ହେବାରେ ଲାଗିଛି । ରାସ୍ତାରେ  ଯା’ଆସ ବେଳେ ଗାଡ଼ିରୁ ହଠାତ୍‌ ପେଟ୍ରୋଲ  ସରିଯିବା ପରେ କେତେ ଯେ ହଇରାଣ  ହେଉଛନ୍ତି ତାହା ଏଥିରୁ ସ୍ପଷ୍ଟ ହେଉଛି ।