ନୂଆଦିଲ୍ଲୀ : ମଧ୍ୟ ଫିଲିପାଇନ୍ସରେ ଆସିଥିବା ଭୟଙ୍କର ଭୂମିକମ୍ପ ପରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ମାନେ ଭୁଶୁଡ଼ି ପଡ଼ିଥିବା ଘର ଏବଂ ଅନ୍ୟାନ୍ୟ କ୍ଷତିଗ୍ରସ୍ତ କୋଠାରେ ବଞ୍ଚିଥିବା ଲୋକଙ୍କ ସନ୍ଧାନ କରୁଛନ୍ତି । ଖନନକାରୀ ଦଳ ଏବଂ ସ୍ନିଫର କୁକୁର ବ୍ୟବହାର କରି ଏହି ଖୋଜାଖୋଜି ଜାରି ରଖିଛନ୍ତି । ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ଶହରୁ ଅଧିକ ଆହତ ହୋଇଛନ୍ତି।
ଅଧିକାରୀ ମାନେ କହିଛନ୍ତି ଯେ, ମଙ୍ଗଳବାର ରାତି ପ୍ରାୟ ୧୦ ଟା ସମୟରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହା ଫଳରେ ସେବୁ ପ୍ରଦେଶର ବୋଗୋ ସହର ଏବଂ ଆଖପାଖ ଗ୍ରାମ ଗୁଡ଼ିକରେ ଅନେକ ଘର, ନାଇଟ୍ କ୍ଲବ୍ ଏବଂ ବାଣିଜ୍ୟିକ କୋଠା ଭୁଶୁଡ଼ି ପଡ଼ିଥିଲା। ଅନେକ ଲୋକ ଭଗ୍ନାବଶେଷ ତଳେ ଏବେବି ଫସି ରହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ଲଗାଣ ବର୍ଷା ଏବଂ କ୍ଷତିଗ୍ରସ୍ତ ପୋଲ ଏବଂ ରାସ୍ତା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଗୋର ଉତ୍ତର-ପୂର୍ବରେ ପ୍ରାୟ ୧୯ କିଲୋମିଟର ଦୂରରେ ୫ କିଲୋମିଟର ଗଭୀରରେ ଅବସ୍ଥିତ। ବୋଗୋ ହେଉଛି ସେବୁ ପ୍ରଦେଶର ଏକ ଉପକୂଳବର୍ତ୍ତୀ ସହର, ଯାହାର ଜନସଂଖ୍ୟା ପ୍ରାୟ ୯୦ ହଜାର । ବୋଗୋ ସହରର ବିପର୍ଯ୍ୟୟ ଅଧିକାରୀ ମାନେ କହିଛନ୍ତି ଯେ, ବିପଦପୂର୍ଣ୍ଣ ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କଷ୍ଟକର ଥିଲା। ସେମାନେ ରିପୋର୍ଟ କରିଛନ୍ତି ଯେ, ପାର୍ବତ୍ୟ ଗ୍ରାମରୁ କିଛି ବଞ୍ଚିଥିବା ଲୋକଙ୍କୁ ହସ୍ପିଟାଲକୁ ଅଣାଯାଇଛି।