ନୂଆଦିଲ୍ଲୀ,୫।୫: ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ସବରିମାଲା ବିବାଦରେ ଆବେଦନ ଦାଖଲ କରିଥିବା ୟଙ୍ଗ ଲୟର୍ସ ଆସୋସିଏସନ୍କୁ କଡା ଭର୍ତ୍ସନା କରିଛନ୍ତି। ଇଣ୍ଡିଆନ୍ ୟଙ୍ଗ୍ ଲୟର୍ସ ଆସୋସିଏସନ୍ ଦ୍ୱାରା ଦାୟର କରାଯାଇଥିବା ଜନସ୍ୱାର୍ଥ ମାମଲା ଉପରେ କୋର୍ଟ ପ୍ରଶ୍ନ ଉଠାଇ ପଚାରିଥିଲେ ଏହି ସଂଗଠନ କିଏ ? ଆବେଦନକୁ ଆରମ୍ଭରୁ ଖାରଜ କରିଦିଆଯିବା ଉଚିତ ଥିଲା। ପିଆଇଏଲ୍ ବା ‘ଜନସ୍ୱାର୍ଥ ମାମଲା’ ଏବେ ବ୍ୟକ୍ତିଗତ ସ୍ୱାର୍ଥ, ଆର୍ଥିକ ସ୍ୱାର୍ଥ ଏବଂ ରାଜନୈତିକ ସ୍ୱାର୍ଥ ମାମଲା’ ରେ ପରିଣତ ହୋଇଛି। କୋର୍ଟ ଆବେଦନକାରୀଙ୍କୁ ମଧ୍ୟ ଭର୍ତ୍ସନା କରି କହିଛନ୍ତି ‘ଆପଣଙ୍କର ଆଉ କୌଣସି କାମ ନାହିଁ କି?
ଖଣ୍ଡପୀଠ ପଚାରିଥିଲେ, କାହିଁକି ଏକ ଓକିଲ ମନ୍ଦିର ପ୍ରବେଶ ଭଳି ଧାର୍ମିକ ପ୍ରସଙ୍ଗରେ ପିଆଇଏଲ୍ ଦାୟର କଲା ? ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ ଏପରି ଏକ ସଂଗଠନ ହିନ୍ଦୁ ମନ୍ଦିର ସହ ଜଡିତ ମାମଲାରେ କିପରି ପିଟିସନ୍ ଦାୟର କରିପାରିବ ? ସଂଘର ଓକିଲ ଉତ୍ତର ଦେଇଥିଲେ ଯେ ପିଆଇଏଲ୍ ସଂଗଠନର ମହିଳା ସଦସ୍ୟଙ୍କ ଦ୍ୱାରା ଦାୟର କରାଯାଇଥିଲା। କୋର୍ଟ ୨୦୦୬ରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା ଆବେଦନକୁ ଆଇନ ପକ୍ରିୟାର ଦୂରୁପଯୋଗ ବୋଲି କହିଛନ୍ତି। ଏହା ସହ କଡା ଶବ୍ଦରେ କହିଛନ୍ତି, ଏହି ଆବେଦନ କାହିଁକି ଦାଖଲ କଲ ? କ’ଣ ଆପଣ ଦେଶର ମୁଖ୍ୟ ପୂଜାରୀ ? ଏହି ଟିପ୍ପଣୀ ୯ ବିଚାରପତିଙ୍କ ସମ୍ବିଧାନିକ ଖଣ୍ଡପୀଠ ଦେଇଛନ୍ତି, ଏହାର ଅଧ୍ୟକ୍ଷତା ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କରୁଥିଲେ। ଖଣ୍ଡପୀଠରେ ଜଷ୍ଟିସ୍ ବିଭି ନାଗରତ୍ନା, ଏମଏମ୍ ସୁନ୍ଦରଶ, ଅହସାନୁଦ୍ଧିନ୍ ଅମାନୁଲ୍ଲାହ, ଅରବିନ୍ଦ କୁମାର, ଅଗଷ୍ଟିନ୍ ଜର୍ଜ ମସିହା, ପ୍ରସନ୍ନା ବି ଭରାଳେ, ଆର ମହାଦେଭନ ଓ ଜୟମାଲ୍ୟ ବାଗଚୀ ରହିଛନ୍ତି।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କଡ଼ା ଟିପ୍ପଣୀ ଦେଇଥିଲେ, ‘ଏପରି ଏକ ଦଲିଲକୁ ସିଧା ଡଷ୍ଟବିନ୍ରେ ଫିଙ୍ଗି ଦିଆଯିବା ଉଚିତ ଥିଲା। ଏହି ମାମଲାରେ ଏକ ପିଆଇଏଲ୍ ଆବେଦନ କରିବାର ଆଧାର କ'ଣ ଥିଲା? ଶୁଣାଣି ବେଳେ କୋର୍ଟ ଆବେଦନକାରୀ ସଂଗଠନର ଉଦେଶ୍ୟ ଓ ଅଧିକାର ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ନାଗରତ୍ନା କହିଛନ୍ତି, କୌଣସି ଜୁରିଷ୍ଟିକ୍ ବଡି ଅର୍ଥାତ ଆଇନଗତ ସଂସ୍ଥା ବ୍ୟକ୍ତିଗତ ଆସ୍ଥା ନେଇ ଦାବି କରିପାରିବନି। ବିଶ୍ବାସ ବ୍ୟକ୍ତିର ହୋଇଥାଏ, ସଂସ୍ଥାର ନୁହେଁ। ଆପଣଙ୍କ ପାଖରେ କୌଣସି ଅନ୍ତରଆତ୍ମା ନାହିଁ। ଜଷ୍ଟିସ୍ ଅରବିନ୍ଦ କୁମାର ମଧ୍ୟ ସଂଗଠନକୁ ପଚାରିଛନ୍ତି, କ’ଣ ଆବେଦନ ଦାଖଲ କରିବା ପାଇଁ କୌଣସି ଔପଚାରିକ ପ୍ରସ୍ତାବ ପାସ୍ କରାଯାଇଥିଲା କି ? ଯଦି ହଁ ତେବେ କ’ଣ ସଂଗଠନ ଅଧ୍ୟକ୍ଷ ଏହାକୁ ମଞ୍ଜୁରୀ ଦେଇଥିଲେ ?
ସିଜେଆଇ ସୂର୍ଯ୍ୟକାନ୍ତ କଡା ଟିପ୍ପଣୀ ଦେଇ କହିଥିଲେ, ଏଭଳି ଭାବରେ ଆବେଦନ ଦାଖଲ କରିବା ବଦଳରେ ସଂଗଠନକୁ ବାର୍ ଓ ଯୁବ ଓକିଲଙ୍କ ହିତରେ କାମ କରିବା ଦରକାର। ଜଷ୍ଟିସ୍ ନାଗରତ୍ନା ମଧ୍ୟ କହିଛନ୍ତି ଯେ, ଗ୍ରାମୀଣ କ୍ଷେତ୍ରରୁ ଆସୁଥିବା ପ୍ରତିଭାଶାଳୀ ଓକିଲଙ୍କୁ ସହଯୋଗ ଦେବା ଓ ଏଥିପାଇଁ ଅବସର ସୃଷ୍ଟି କରିବା ଦିଗରେ କାମ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ରବି ପ୍ରକାଶ ଗୁପ୍ତା କୋର୍ଟଙ୍କୁ କହିଛନ୍ତି, ୨୦୦୬ ରେ ପ୍ରକାଶିତ ଚାରୋଟି ସମାଚାର ରିପୋର୍ଟ ଆଧାରରେ ଏହି ପିଆଇଏଲ୍ ଦାଖଲ କରାଯାଇଥିଲା। ସେ କହିଛନ୍ତି, ସଂଗଠନର ଉଦେଶ୍ୟ ଭଗବାନ ଅୟାପ୍ପାଙ୍କ ଭକ୍ତଙ୍କ ଆସ୍ଥାକୁ ଚ୍ୟାଲେଞ୍ଜ ଦେବା ନୁହେଁ, ବଂର ତାକୁ ବଜାୟ ରଖିବା।
ଉଲ୍ଲେଖନୀୟ ଯେ, କେରଳର ସାବରୀମାଳା ବିବାଦରେ ଦୀର୍ଘ ସମୟ ଧରି ୧୦ ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ ରୋକ ରହିଥିଲା। ଏହି ପରମ୍ପରା ଭଗବାନ ଆୟାପ୍ପାଙ୍କୁ ନୈଷ୍ଟିକ ବ୍ରହ୍ମାଚାରୀ ମାନିବା ଉପରେ ରହିଛି। ଏହି ପ୍ରଥାକୁ ଚ୍ୟାଲେଞ୍ଜ ଦେଇ ୨୦୦୬ ରେ ଇଣ୍ଡିଆନ୍ ୟଙ୍ଗ ଲୟାର୍ସ ଆାସୋସିଏସନ୍ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ଏହି ମାମଲାରେ ସାବରୀମାଳା ମନ୍ଦିରର ପ୍ରବେଶ ସମ୍ପର୍କିତ ନିଷ୍ପତ୍ତି ୨୦୧୮ ଅନୁସାରେ ୫ ବିଚାରପତିଙ୍କ ସମ୍ବିଧାନିକ ଖଣ୍ଡପୀଠ ସେପ୍ଟେମ୍ବର ୨୦୧୮ ରେ ୪:୧ ବହୁମତରେ ରାୟ ଦେଇଥିଲେ। କୋର୍ଟ କହିଥିଲେ ମହିଳାଙ୍କ ପ୍ରବେଶ ଉପରେ ରୋକ ଲଗାଇବା ଅଣସମ୍ବିଧାନିକ। କୋର୍ଟ କହିଥିଲେ କୋର୍ଟ କହିଥିଲେ ଯେ ଏହି ପ୍ରଥା ମହିଳାଙ୍କ ମୌଳିକ ଅଧିକାର, ବିଶେଷକରି ସମାନତା ଏବଂ ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଛି। ତଥାପି, ଏହି ନିଷ୍ପତ୍ତି ଦେଶବ୍ୟାପୀ ବ୍ୟାପକ ବିତର୍କ ଏବଂ ପ୍ରତିବାଦର କାରଣ ହୋଇଥିଲା। ପରବର୍ତ୍ତୀ ସମୟରେ ଧାର୍ମିକ ପରମ୍ପରା ଏବଂ ସାମ୍ବିଧାନିକ ଅଧିକାର ମଧ୍ୟରେ ସନ୍ତୁଳନ ଉପରେ ପ୍ରଶ୍ନ ଉଠାଇ ଅନେକ ସମୀକ୍ଷା ଆବେଦନ ଦାଖଲ କରାଯାଇଥିଲା।
ଆହୁରି ପଢନ୍ତୁ :Bengal Result 2026; ମୁସଲିମ୍ ବହୁଳ ୧୧୫ ଆସନରୁ ୩୯ରେ କେମିତି ଫୁଟିଲା ପଦ୍ମ ? କଣ କଲା ବିଜେପି