ଭୁବନେଶ୍ୱର, ୦୩/୦୩: ଭାରତବର୍ଷରେ ଦୋଳ, ହୋଲି ଉତ୍ସବ ନିମନ୍ତେ ବ୍ୟବହୃତ ପାରମ୍ପାରିକ ରଙ୍ଗ, ଯାହାକୁ ଆମେ ଅବିର ବା ଗୁଲାଲ ବୋଲି କହିଥାଉ। ସେସବୁ ବିଭିନ୍ନ ପ୍ରାକୃତିକ ସାମଗ୍ରୀ ବିଶେଷକରି ବୃକ୍ଷଜାତ ଉତ୍ସ ଯେମିତିକି ଫୁଲ, ଚେର, ମୂଳ ଏବଂ ମସଲା ଜାତୀୟ ପଦାର୍ଥରୁ ତିଆରି ହୋଇଥାଏ। କେବଳ ଏହି ସବୁ ଜିନିଷରୁ ରଙ୍ଗ ପ୍ରସ୍ତୁତ ହୋଇଥାଏ ବୋଲି କହିଲେ ହେବ ନାହିଁ। ଏଥିପାଇଁ ଅଟା, ବେସନ, ଆରାରୁଟ୍ ପାଉଡର୍ ଆଦି ମୁଖ୍ୟ ଉପାଦାନ ଭାବରେ ଦରକାର ହୋଇଥାଏ।
ହଳଦିଆ ରଙ୍ଗ ପାଇଁ ହଳଦି ଗୁଣ୍ଡ, ସବୁଜ ରଙ୍ଗ ପାଇଁ ନିମ୍ବ କିମ୍ବା ହେନା ପତ୍ର, ସାଫ୍ରନ ବା କେଶରିଆ, ଲାଲ ରଙ୍ଗ ନିମନ୍ତେ ପଳାସ ଫୁଲ, ମନ୍ଦାର ଫୁଲ ଓ ଗୋଲାପୀ ରଙ୍ଗ ପାଇଁ ବିଟ୍ ରୁଟ୍ ବ୍ୟବହାର କରାଯାଇଥାଏ। କେହି କେହି ମନ୍ଦାର, ଗୋଲାପ ପାଖୁଡା ଓ ରକ୍ତଚନ୍ଦନ ପାଉଡରରୁ ଲାଲ, ଗୋଲାପୀ ରଙ୍ଗ ତିଆରି କରିଥାନ୍ତି। ଆଉ କେହି ଡାଳିମ୍ବ ଚୋପାକୁ ସିଝାଇ ସେଥିରେ ହଳଦୀଗୁଣ୍ଡ ଓ ଲେମ୍ବୁରସ ମିଶାଇ ଉଜ୍ଜ୍ୱଳ ଲାଲ ରଙ୍ଗ ମଧ୍ୟ ପ୍ରସ୍ତୁତ କରିଥାନ୍ତି। ଗେଣ୍ଡୁଫୁଲ ଓ ବେଲ ମଧ୍ୟ ରଙ୍ଗ ତିଆରି ପାଇଁ ବ୍ୟବହୃତ ହୋଇଥାଏ। ରଙ୍ଗ ପ୍ରସ୍ତୁତି ନିମନ୍ତେ ଉପରୋକ୍ତ ଫୁଲ, ପତ୍ର, ଫଳ, ମୂଳ ଆଦିକୁ ଖରାରେ ଶୁଖାଯାଏ। କେତେକକୁ ସିଝାଯାଏ କିମ୍ବା ଗୁଣ୍ଡ କରାଯାଏ। ସେହିପରି କ୍ରସ୍ଡ ଜଗରନ୍ଦା ବା ଜାରୁଲ ଫୁଲରୁ ପ୍ରସ୍ତୁତ ହୋଇଥାଏ ନୀଳ ରଙ୍ଗ। ଇଣ୍ଡିଗୋ ଗଛର ପତ୍ରକୁ ଚୂର୍ଣ୍ଣ କରି ମଧ୍ୟ ଏହି ରଙ୍ଗ ପ୍ରସ୍ତୁତ କରାଯାଏ।