କଟକ, ୮/୧୨ : ଦୀର୍ଘ ଦୁଇ ଦଶନ୍ଧି ହେଲା ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜିତ ହେଲେ ଖେଳାଳିମାନେ ହୋଟେଲ ମେ’ଫେୟାରରେ ରହି ଆସୁଛନ୍ତି । ଏଥର ମଧ୍ୟ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି ସେଠାରେ ରହିଛନ୍ତି । ତେବେ ଖେଳାଳିମାନେ ଓଡ଼ିଶା ଆସିଲେ କ’ଣ ଖାଇଥାନ୍ତି ତା’ ଉପରେ ସମସ୍ତଙ୍କର ନଜର ରହିଥାଏ । କିଛି ଖେଳାଳି ନିଜର ବ୍ୟକ୍ତିଗତ ରୋଷେୟା ଧରି ଆସିଥାନ୍ତି । ସେମିତି କିଛି ଖେଳାଳି ସ୍ଥାନୀୟ ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ଏଥର ଖେଳାଳିଙ୍କୁ ଓଡ଼ିଶାର ପ୍ରସିଦ୍ଧ ରସାବଳୀ, ଦେଶୀ ଚିକେନ, ଚକୁଳି ଓ ମାଟି ହାଣ୍ଡି ମଟନ ପରସା ଯିବ ବୋଲି ହୋଟେଲ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସେହିପରି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମଧ୍ୟ ମେନ୍ୟୁରେ ରହିବ । ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୧୧ ତାରିଖରେ ଖେଳାଯିବାକୁ ଥିବାରୁ ଖେଳାଳିମାନେ ବୁଲାବୁଲିର ସୁଯୋଗ ପାଇବେ ନାହିଁ।

ଆଜି ଅଭ୍ୟାସ କାଲି ମ୍ୟାଚ୍

ସୂଚନା ଥାଉକି, ବାରବାଟୀ ମ୍ୟାଚ୍ ପାଇଁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ଦିନ ବାରବାଟୀ ଷ୍ଟାଡିୟମକୁ ଓହ୍ଲାଇବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି । ଲମ୍ବା ସମୟ ଧରି ଅଭ୍ୟାସ କରିବେ । ସାମ୍ବାଦିକ ସମ୍ମିଳନୀରେ ମ୍ୟାଚ ଓ ଭେନ୍ୟୁକୁ ନେଇ ନିଜ ମତ ବି ରଖିବେ । ଅଭ୍ୟାସକୁ ସୁରୁଖୁରୁରେ ଶେଷ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍, ପୁଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୋମବାର ଦିନ ୧ଟା ପୂର୍ବରୁ ଟିମ୍ ଇଣ୍ଡିଆ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବ । ଦିନ ୧ଟାରେ ସାମ୍ବାଦିକ ସମ୍ମିଳନୀ ପରେ ପ୍ରାୟ ଅପରାହ୍ଣ ୧ଟା ୩୦ରୁ ୪.୩୦ ପର୍ଯ୍ୟନ୍ତ ଖେଳାଳିମାନେ ଏଠାରେ ଅଭ୍ୟାସ କରିବେ । ଦକ୍ଷିଣ ଆଫ୍ରିକା ଦଳର ଅପରାହ୍ଣ ୪ଟା ୪୫ ମିନିଟରେ ସାମ୍ବାଦିକ ସମ୍ମିଳନୀ ପରେ ୫ଟା.୩୦ ମିନିଟରୁ ଅଭ୍ୟାସ କରିବ । ଦଳ ୮ଟା.୩୦ ପର୍ଯ୍ୟନ୍ତ ଅଭ୍ୟାସ କରି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ସୂଚନା ମିଳିଛି । ସାଧାରଣ ଲୋକ ଅଭ୍ୟାସ ଦେଖିବାକୁ ପ୍ରତିଥର ପରି ୬ ଓ ୭ ନମ୍ବର ଗ୍ୟାଲେରୀ ଖୋଲାଯିବ । ଆବଶ୍ୟକ ସ୍ଥଳେ ୧ ଓ ୨ ନମ୍ବର ଗ୍ୟାଲେରୀ ମଧ୍ୟ ଖୋଲାଯିବ ବୋଲି ଓସିଏ ସୂଚନା ଦେଇଛି ।